ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀ ଗଙ୍ଗାନଗର ରେଲୱେ ଟ୍ରାକରେ ହୋଇଥିବା ବିସ୍ଫୋରଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପଞ୍ଜାବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି । ଗିରଫ ହୋଇଥିବା ଦୁଇ ଜଣଙ୍କ ପରିଚୟ ମହକଦୀପ କୌର (୨୧) ଏବଂ ଦବିନ୍ଦର ସିଂହ (୨୨) ବୋଲି ଜଣାପଡ଼ିଛି । ଦୁହିଁଙ୍କୁ ଶ୍ରୀ ଗଙ୍ଗାନଗର ପୋଲିସ ଏବଂ ପଞ୍ଜାବ ପୋଲିସର ଏକ ମିଳିତ ଅଭିଯାନରେ ଗିରଫ କରାଯାଇଛି । ପୋଲିସ ଅନୁସାରେ ମହକଦୀପ କୌର ପାକିସ୍ତାନର ଦୁଇ ହ୍ୟାଣ୍ଡଲର୍ସଙ୍କ ସହ ସଂପର୍କରେ ଥିଲା ।

ଏହି ହ୍ୟାଣ୍ଡଲରମାନଙ୍କ ମଧ୍ୟରୁ ଜଣେ "ଚାଚା" ଏବଂ ଅନ୍ୟ ଜଣେ "ଶାହ" ନାମରେ ଜଣାଶୁଣା ଥିଲେ । ମହକଦୀପଙ୍କ ସହ ପ୍ରେମ କଥା ହୋଇ ଶାହ ଫସାଇଥିଲେ ଏବଂ ଟଙ୍କା ମଧ୍ୟ ଦେଉଥିଲେ । ଅଭିଯୁକ୍ତମାନଙ୍କୁ ଏହି କାମ ପାଇଁ ୨.୨୩ ଲକ୍ଷ ଟଙ୍କା ଦିଆଯାଇଥିଲା, ଯେଉଁଥିରେ ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ସାମିଲ ଥିଲା, ଅବଶିଷ୍ଟ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏହି ରେଳ ଟ୍ରାକ ବିସ୍ଫୋରଣ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମଗ୍ର ରାଜସ୍ଥାନରେ, ବିଶେଷକରି ଶ୍ରୀ ଗଙ୍ଗାନଗରରେ ଆତଙ୍କ ସୃଷ୍ଟି କରିବା । ପୋଲିସ କହିଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପୂର୍ବରୁ ମଧ୍ୟ ଏହିପରି କୌଶଳ ବ୍ୟବହାର କରାଯାଏ । ପୂର୍ବରୁ ଆଇଏସଆଇ ସମାନ ଭାବରେ ଗଙ୍ଗାନଗରର ବାସିନ୍ଦା ବବିତା ନାମକ ଜଣେ ମହିଳାଙ୍କୁ ଫସାଇଥିଲା।

ମେହକଦୀପ କୌର ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ତାଙ୍କ ସ୍ୱାମୀ ବର୍ତ୍ତମାନ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଜେଲରେ ଅଛନ୍ତି । ତଦନ୍ତରୁ ଜଣାପଡିଛି ଯେ ତାଙ୍କୁ ରେଳ ଟ୍ରାକରେ ବୋମା ବିସ୍ଫୋରଣ କରିବା ପାଇଁ ଟଙ୍କା ଦିଆଯାଇଥିଲା । ପୋଲିସ ତାଙ୍କଠାରୁ ଦୁଇଟି ଅସ୍ତ୍ରଶସ୍ତ୍ର, ୪୬ ରାଉଣ୍ଡ ଗୁଳି ଏବଂ ୩୦ ହଜାର ଜବତ କରିଛି । ଏହା ସହିତି ଅଭିଯୁକ୍ତଙ୍କୁ ରହିବା, ମୋଟରସାଇକେଲ୍ ଏବଂ ଅପରାଧସ୍ଥଳକୁ ନେବାରେ ସହାୟତା କରିଥିବା ସନ୍ଦେହରେ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି ।

Also read: ବିଦେଶୀ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ଅମିତାଭ ବଚ୍ଚନ, ମୁମ୍ବାଇ ଘର ଉପରେ ଆକ୍ରମଣ ଷଡ଼ଯନ୍ତ୍ର !

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୩ ତାରିଖରେ ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ରାଜସ୍ଥାନର ଶ୍ରୀଗଙ୍ଗାନଗରର ରାମସିଂହପୁର ନିକଟରେ ଏକ ରେଳ ଟ୍ରାକରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଦୁଇଟି ରେଳ ସ୍ଲିପର ଭାଙ୍ଗି ଯାଇଥିଲା, ଟ୍ରାକ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରାୟ ୨.୫ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ବିସ୍ଫୋରଣର ମାତ୍ର ୭୫ ମିନିଟ୍ ପୂର୍ବରୁ ଅନୁପଗଡ଼-ସୁରତଗଡ଼ ପାସେଞ୍ଜର ଟ୍ରେନ୍ ସମାନ ଟ୍ରାକ ଦେଇ ଯାଇଥିଲା ।