ନୂଆଦିଲ୍ଲୀ ୧୫।୧୧;ଆମେରିକାର ଏୟାର ଟ୍ରାଫିକ କଣ୍ଟ୍ରୋଲ କମ୍ୟୁନିକେସନ ସିଷ୍ଟମରେ ତ୍ରୁଟି ଯୋଗୁ ଶୁକ୍ରବାର ୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିମାନ ସେବା ଠପ୍ ହୋଇଯାଇଥିଲା । ସଂଘୀୟ ବେସାମରିକ ବିମାନ ଚଳାଚଳ ପ୍ରଶାସନ-ଏଫଏଏ ସୁରକ୍ଷା ଦୃଷ୍ଟିରୁ ସମଗ୍ର ଦେଶରେ ବିମାନ ଚଳାଚଳ ଉପରେ ରୋକ୍ ଲଗାଇଥିଲା । ଫଳରେ କୌଣସି ବିମାନବନ୍ଦରରୁ ବିମାନ ଉଡାଣ କରିପାରି ନଥିଲା । ତେବେ ଆକାଶ ମାର୍ଗରେ ଉଡୁଥିବା ବିମାନକୁ ଅବତରଣ ଲାଗି ଅନୁମତି ଦିଆଯାଇଥିଲା । ବିମାନ ଚଳାଚଳ ଉପରେ ରୋକ୍ ଲାଗିବା ଫଳରେ ୧୫ ହଜାରରୁ ଅଧିକ ଉଡାଣ ବନ୍ଦ ରହିଥିଲା କିମ୍ବା ବାତିଲ ହୋଇଥିଲା । ଫଳରେ ୧୫ ଲକ୍ଷରୁ ଅଧିକ ଯାତ୍ରୀ ପ୍ରଭାବିତ ହୋଇଥିଲେ ।

ଆମେରିକାରେ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ରବିବାର ଅର୍ଥାତ ଆଜି ବି ଜାରି ରହିବ ବୋଲି ଆଶା କରାଯାଉଛି । ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ)ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କମ୍ୟୁନିକେସନ୍ ତ୍ରୁଟି ଯୋଗୁଁ ଦେଶରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା ।ଏୟାରଲାଇନ୍ସ ବର୍ତ୍ତମାନ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି । ଏହି କାରଣରୁ, ହଜାର ହଜାର ବିମାନ ବାତିଲ କିମ୍ବା ବିଳମ୍ବ ହୋଇଥିଲା ।ସନ୍ଧ୍ୟା ସୁଦ୍ଧା ସେବା ସ୍ୱାଭାବିକ ହେବାର ଆଶା କମ୍ ବୋଲି ଏଫଏଏ ମୁଖ୍ୟ ଶନିବାର କହିଛନ୍ତି । ଏଜେନ୍ସି ବର୍ତ୍ତମାନ କାର୍ଯ୍ୟକୁ ସ୍ଥିର କରିବା ଏବଂ ଏହା ପଛରେ ଥିବା ବୈଷୟିକ ସମସ୍ୟାକୁ ଦୂର କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।ବିମାନ ଚଳାଚଳ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ଆୱେର୍ ଅନୁଯାୟୀ, ଶନିବାର ସନ୍ଧ୍ୟା ୬:୪୫ ଇଟି ସୁଦ୍ଧା, ଆମେରିକାର ଏୟାରଲାଇନ୍ସ ୬,୧୫୦ ରୁ ଅଧିକ ବିମାନ ବାତିଲ କରିଛିଏବଂ ୭,୩୦୦ ରୁ ଅଧିକ ବିମାନ ବିଳମ୍ବ କରିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ରୋକ୍ ଲଗାଯିବା ବେଳେ ଆକାଶ ମାର୍ଗରେ ପ୍ରାୟ ୪ ହଜାର ବିମାନ ରହିଥିଲା । କିନ୍ତୁ ସେହିସବୁ ବିମାନକୁ ଅବତରଣ ଲାଗି ଅନୁମତି ଦିଆଯାଇଥିଲା । ଶେଷରେ ୪ ଘଣ୍ଟା ପରେ ବିମାନ ଉଡାଣ ଉପରେ ଲଗାଯାଇଥିବା ରୋକ୍କୁ ହଟାଯାଇଥିଲା । କିନ୍ତୁ ଶନିବାର ପୁଣିଥରେ ସମସ୍ୟା ଯୋଗୁ ବହୁସଂଖ୍ୟକ ବିମାନର ଉଡାଣକୁ ବାତିଲ କରିବାକୁ ପଡିଥିଲା । ୨୦୦୧ ସେପ୍ଟେମ୍ବର ୧୧ ତାରିଖ (୯/୧୧) ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ଘଟଣା ପରେ ଦ୍ୱିତୀୟଥର ପାଇଁ ଦେଶରେ ଏୟାର ଏମର୍ଜେନ୍ସି ଜାରି କରାଯିବା ସହ ସବୁ ବିମାନବନ୍ଦରରେ ଉଡାଣକୁ ବନ୍ଦ ରଖାଯାଇଥିଲା । ଏହା ଯୋଗୁ କେବଳ ଆମେରିକା ନୁହେଁ, କାନାଡା, ୟୁରୋପ ଓ ଏସିଆକୁ ବିମାନ ସେବା ପ୍ରଭାବିତ ହୋଇଥିଲା । ପ୍ରଥମେ ଶିକାଗୋର ଓ’ହେୟର ଏବଂ ମିଡ୍ୱେ ବିମାନ ବନ୍ଦର ଏୟାର ଟ୍ରାଫିକ କଣ୍ଟ୍ରୋଲରେ ତ୍ରୁଟି ଦେଖାଯାଇଥିଲା । ପରେ ସବୁ ବିମାନବନ୍ଦରରେ ଏହି ସମସ୍ୟା ସୃଷ୍ଟି ହୋଇଥିଲା । ଏହା ପୂର୍ବରୁ ୨୦୨୩ ଜାନୁଆରୀରେ ଏଫଏଏର ମୁଖ୍ୟ କମ୍ପ୍ୟୁଟର ସିଷ୍ଟମରେ ଖରାପ ଯୋଗୁ ଏଭଳି ଏୟାର ଏମର୍ଜେନ୍ସି ଲଗାଯାଇଥିଲା ।

ଆମେରିକା ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ମାର୍କବେନ ମୁଲିନ କହିଛନ୍ତି ଏୟାର ଟ୍ରାଫିକ କଣ୍ଟ୍ରୋଲରେ ତ୍ରୁଟି କୌଣସି ସାଇବର ଆକ୍ରମଣ ଯୋଗୁ ହୋଇନାହିଁ । ଟେଲି ଯୋଗାଯୋଗ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁ ଏଭଳି ଘଟିଥିବାର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି । ଏୟାର ଟ୍ରାଫିକ କଣ୍ଟ୍ରୋଲରେ ରହିଥିବା ସିଷ୍ଟମକୁ ଅପଗ୍ରେଡ କରିବା ଲାଗି ପ୍ରାୟ ୫୦୦୦ କୋଟି ଡଲାର ଆବଶ୍ୟକ ବୋଲି ଆମେରିକାର ପରିବହନ ମନ୍ତ୍ରୀ ସିନ ଡଫି କହିଛନ୍ତି । ସେ କହିଛନ୍ତି ଛୋଟମୋଟ ମରାମତି କରାଯିବା ଅପେକ୍ଷା ସମଗ୍ର ସିଷ୍ଟମକୁ ଅପଗ୍ରେଡ୍ କରିବାକୁ ହେବ । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୁଧାରିବା ଲାଗି ୩୦୦୦ କୋଟି ଡଲାର ଦାବି କରିଛନ୍ତି । ତୁରନ୍ତ ଏହି ଅର୍ଥ ମଞ୍ଜୁର କରିବାକୁ ସେ କଂଗ୍ରେସକୁ କହିଛନ୍ତି ।