ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ ନିଜର ଏକ ବଡ଼ ଦୁର୍ବଳତାକୁ ସୁଧାରିବା ପାଇଁ ନେଟ୍ସରେ ଝାଳବୁହା ପରିଶ୍ରମ କରୁଛନ୍ତି। ଗଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ବାମହାତୀ ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ଦୁଇଟିଯାକ ଇନିଂସରେ ଗିଲଙ୍କୁ ଆଉଟ୍ କରିଥିଲେ। ଏବେ ଅଗଷ୍ଟ ୨୩ରୁ କୋଲମ୍ବୋରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିବା ବେଳେ, ଗିଲ୍ ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍ (SSC) ନେଟ୍ସରେ ଘଣ୍ଟା ଘଣ୍ଟା ଧରି ବାମହାତୀ ସ୍ପିନରଙ୍କୁ ସାମ୍ନା କରି ଅଭ୍ୟାସ କରୁଛନ୍ତି।

ବାମହାତୀ ସ୍ପିନର ସାଜିଛନ୍ତି ସମସ୍ୟା

ଟେଷ୍ଟ କ୍ରିକେଟରେ ବାମହାତୀ ଅର୍ଥୋଡକ୍ସ ସ୍ପିନରଙ୍କ ବିପକ୍ଷରେ ଗିଲଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି। ଗଲ୍‌ ଟେଷ୍ଟର ପ୍ରଥମ ଇନିଂସରେ ୧୬ ଓ ଦ୍ୱିତୀୟ ଇନିଂସରେ ମାତ୍ର ୮ ରନ୍ କରି ସେ ଆଉଟ୍ ହୋଇଥିଲେ। ବଲର ଲାଇନ୍ କଭର କରିବାରେ ତ୍ରୁଟି ହେଉଥିବାରୁ ସେ ବାରମ୍ବାର ୱିକେଟ୍ ହରାଉଛନ୍ତି। ନିଜର ୪୨ଟି ଟେଷ୍ଟ ମ୍ୟାଚ୍ କ୍ୟାରିୟରରେ ଗିଲ୍ ବାମହାତୀ ସ୍ପିନରଙ୍କ ଦ୍ୱାରା ୧୧ ଥର ଆଉଟ୍ ହୋଇସାରିଛନ୍ତି।

Also Read: ମିଛ ମାମଲାରେ ବର୍ବାଦ ହେଲା କ୍ରିକେଟ କ୍ୟାରିୟର! ଚାକିରି ବି ଗଲା, ଏବେ ୨୨ ବର୍ଷ ପରେ ଦୋଷ ମୁକ୍ତ କଲେ କୋର୍ଟ

ତେବେ ଅଫ୍ ସ୍ପିନ୍ ଓ ଲେଗ୍ ସ୍ପିନ୍ ବିରୋଧରେ ଗିଲଙ୍କ ରେକର୍ଡ ବହୁତ ଭଲ ରହିଛି। ସେହି ଦୁଇ ପ୍ରକାର ସ୍ପିନରଙ୍କ ବିପକ୍ଷରେ ତାଙ୍କର ହାରାହାରି ରନ୍ ପାଖାପାଖି ୬୧ ରହିଥିବା ବେଳେ ସମସ୍ତ ପ୍ରକାର ସ୍ପିନ୍ ବୋଲିଂ ବିପକ୍ଷରେ ତାଙ୍କ କ୍ୟାରିୟର ଆଭରେଜ୍ ୪୮ ପାଖାପାଖି ରହିଛି।

ନେଟ୍ସରେ କଠିନ ଅଭ୍ୟାସ

କୋଲମ୍ବୋରେ ଭାରତୀୟ ଅଧିନାୟକ ମାନବ ସୁଥାର, ରବୀନ୍ଦ୍ର ଜାଡେଜା ଏବଂ କିଛି ସ୍ଥାନୀୟ ବାମହାତୀ ସ୍ପିନରଙ୍କ ବୋଲିଂରେ କ୍ରମାଗତ ଭାବେ ବ୍ୟାଟିଂ ଅଭ୍ୟାସ କରିଥିଲେ। ସେ ନିଜର ଡିଫେନ୍ସ ଓ ଶଟ୍ ସିଲେକ୍ସନ ଉପରେ କାମ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଟେଷ୍ଟକୁ ୧୬୫ ରନରେ ଜିତି ଭାରତ ୨ ଟେଷ୍ଟ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। କୋଲମ୍ବୋରେ ସିରିଜ୍ କବଜା କରିବା ଲକ୍ଷ୍ୟରେ ଓହ୍ଲାଇବା ପୂର୍ବରୁ ଗିଲ୍‌ ନିଜର ଏହି କ୍ରିକେଟିଂ କ୍ଷାତିକୁ ସୁଧାରି ନିଜକୁ ପ୍ରସ୍ତୁତ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି।