ନୂଆଦିଲ୍ଲୀ: ନକଲି ୟୁକେ ଇମିଗ୍ରେସନ ଷ୍ଟାମ୍ପ, ବେଆଇନ ଅନ୍ତର୍ଜାତୀୟ ଆର୍ଥିକ କାରବାର ଆଦିର ଅଭିଯୋଗ ପରେ କ୍ରିକେଟ କ୍ୟାରିୟରରେ ନଷ୍ଟ ହୋଇଗଲା। ଖେଳାଳି କୋଟାରେ ରେଳବାଇରେ ଯେଉଁ ଚାକିରି ଖଣ୍ଡକ ମିଳିଥିଲା ତାହା ବି ଗଲା।  ଆଉ ଏବେ ୨୨ ବର୍ଷ ପରେ କୋର୍ଟ ରାୟ ଶୁଣାଇ କହିଲେ, ତାଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗ ପ୍ରାମାଣିତ ହୋଇପାରିନି, ସେ ଏବେ ଦୋଷମୁକ୍ତ। ଏହି ମାମଲାରେ ପଟିଆଲା ହାଉସ୍ କୋର୍ଟ ଦୋଷମୁକ୍ତ କରିବା ପରେ ମିଡିଆ ଆଗରେ ଦୁଃଖ ବଖାଣିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଜ୍ୟାକବ ମାର୍ଟିନ।

୨୨ ବର୍ଷ ଧରି ଚାଲିଥିବା ଏକ ଅପରାଧିକ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ଦୋଷମୁକ୍ତ କରିଛନ୍ତି ପଟିଆଲା ହାଉସ୍ କୋର୍ଟ। ୨୦୦୪ ମସିହାରେ ଦାଖଲ ହୋଇଥିବା ଏକ ଏଫ୍ଆଇଆର୍ ଆଧାରରେ ତାଙ୍କ ବିରୋଧରେ ଜାଲିଆତି, ଠକେଇ, ଷଡ଼ଯନ୍ତ୍ର ଏବଂ ପାସପୋର୍ଟ ଆଇନ ଅଧୀନରେ ମାମଲା ରୁଜୁ ହୋଇଥିଲା। ତେବେ ଅଭିଯୋଗଗୁଡ଼ିକ ପ୍ରମାଣ କରିବା ପାଇଁ ଆବଶ୍ୟକ ବିଶ୍ୱସନୀୟ ପ୍ରମାଣ ମିଳିନଥିବାରୁ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।

ଜ୍ୟାକବ ମାର୍ଟିନଙ୍କ ବିରୋଧରେ ଏହି ମାମଲା ୨୦୦୪ର ଏକ ଘଟଣାକୁ ନେଇ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ଜାଲି ୟୁକେ ଇମିଗ୍ରେସନ୍ ଷ୍ଟାମ୍ପ, ଯାତ୍ରା ବ୍ୟବସ୍ଥା ଏବଂ ଆର୍ଥିକ କାରବାର ସମ୍ପର୍କିତ ଅଭିଯୋଗ ରହିଥିଲା। ମାମଲାରେ ଆଇପିସିର ଧାରା ୪୨୦, ୪୬୮, ୪୭୧ ଓ ୧୨୦ବି ସହ ପାସପୋର୍ଟ ଆଇନର ଧାରା ୧୨ ଅଧୀନରେ ଅଭିଯୋଗ ଲଗାଯାଇଥିଲା।

Also Read- ଭାରତ- ବ୍ରାଜିଲ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ବୟକଟ୍ କର: ଫ୍ୟାନକୁ ଆହ୍ୱାନ ଦେଲେ ପୂର୍ବତନ କ୍ୟାପ୍ଟେନ ବାଇଚୁଙ୍ଗ ଭୁଟିଆ

କିନ୍ତୁ ଶୁଣାଣି ସମୟରେ ଜ୍ୟାକବ ମାର୍ଟିନଙ୍କ ବିରୋଧରେ ଆର୍ଥିକ କାରବାର ସମ୍ପର୍କିତ କୌଣସି ବିଶ୍ୱସନୀୟ ପ୍ରମାଣ ମିଳିନଥିଲା। ଏହା ସହିତ ଆଜୱା ସ୍ପୋର୍ଟସ୍ କ୍ଲବ୍ର ମାଲିକାନା କିମ୍ବା ନିୟନ୍ତ୍ରଣ ମାର୍ଟିନଙ୍କ ହାତରେ ଥିବା ନେଇ ମଧ୍ୟ ପ୍ରମାଣ ହୋଇପାରିନଥିଲା। ମାମଲାର ଅନେକ ସାକ୍ଷୀ ମଧ୍ୟ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ସ୍ପଷ୍ଟ ଭାବେ ସମର୍ଥନ କରିପାରିନଥିଲେ।

୨୦୦୪ର ଘଟଣା କ’ଣ ଥିଲା?

କୋର୍ଟଙ୍କ ରାୟ ପରେ ଗଣମାଧ୍ୟମ ସହ କଥା ହୋଇ ଜ୍ୟାକବ ମାର୍ଟିନ କହିଛନ୍ତି, ୨୦୦୪ରେ ତାଙ୍କର ଏକ ଟିମ୍ ଇଂଲଣ୍ଡ ଗସ୍ତରେ ଯାଇଥିଲା। ଟିମ୍ର ପ୍ରାୟ ସମସ୍ତ ସଦସ୍ୟ ଭାରତ ଫେରିଥିବା ବେଳେ ଜଣେ ଖେଳାଳି ବ୍ରିଟେନରେ ଅଧିକ ସମୟ ରହିଯାଇଥିଲେ।

ମାର୍ଟିନଙ୍କ କହିବା ଅନୁସାରେ, ତାଙ୍କ ଭିସାର ବୈଧତା ୬ ମାସ ଥିଲା। କିନ୍ତୁ ସମ୍ପୃକ୍ତ ଖେଳାଳି ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ବ୍ରିଟେନରେ ରହିଥିଲେ। ପରେ ସେ ଜଣେ ବ୍ୟକ୍ତିଙ୍କ ସହାୟତାରେ ପାସପୋର୍ଟରେ ଜାଲି ଇମିଗ୍ରେସନ୍ ଷ୍ଟାମ୍ପ ଲଗାଇ ଭାରତ ଫେରିଥିବା ଅଭିଯୋଗ ହୋଇଥିଲା। ଭାରତ ଫେରିବା ପରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ତାଙ୍କୁ ଧରାଯାଇ ପଚରାଉଚରା କରାଯାଇଥିଲା।

ମାର୍ଟିନ କହିଛନ୍ତି ଯେ, ମୂଳ ଏଫ୍ଆଇଆରରେ ତାଙ୍କ ନାଁ ନଥିଲା। କିନ୍ତୁ ପରବର୍ତ୍ତୀ ତଦନ୍ତ ସମୟରେ ତାଙ୍କୁ ମାମଲାରେ ସାମିଲ କରାଯାଇଥିଲା। ଜଣେ ଅନ୍ତର୍ଜାତୀୟ କ୍ରିକେଟର ଭାବେ ତାଙ୍କ ପରିଚୟ ଯୋଗୁ ତାଙ୍କ ନାଁ ମାମଲାରେ ଜାଣିଶୁଣି ସାମିଲ୍ କରାଯାଇଥିବା ସେ ଦାବି କରିଛନ୍ତି।

ମାମଲା ଯୋଗୁ ଚାକିରି ହରାଇଥିଲେ

୨୨ ବର୍ଷ ଧରି ଚାଲିଥିବା ମାମଲା ତାଙ୍କ ଜୀବନରେ ବହୁତ ଚାପ ସୃଷ୍ଟି କରିଥିବା ମାର୍ଟିନ କହିଛନ୍ତି। ଏହି ମାମଲା ଯୋଗୁ ସେ ରେଳବାଇର ଚାକିରି ମଧ୍ୟ ହରାଇଥିବା ଦାବି କରିଛନ୍ତି। ଦୀର୍ଘ ସମୟ ଧରି ଏହି ମାମଲାର କୌଣସି ସ୍ପଷ୍ଟ ସମାଧାନ ନମିଳିବାରୁ ସେ ମାନସିକ ଚାପରେ ରହିଥିଲେ ବୋଲି କହିଛନ୍ତି।

ତେବେ ଏବେ କୋର୍ଟଙ୍କ ଦୋଷମୁକ୍ତ ରାୟ ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି। ୨୨ ବର୍ଷ ପରେ ଏହି ରାୟ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିବା ମାର୍ଟିନ କହିଛନ୍ତି।

ଭାରତ ପାଇଁ ୧୦ଟି ଦିନିକିଆ ଖେଳିଥିଲେ

ଜ୍ୟାକବ ମାର୍ଟିନ ଜଣେ ଡାହାଣହାତୀ ବ୍ୟାଟର। ସେ ଭାରତୀୟ କ୍ରିକେଟ ଦଳ ପାଇଁ ୧୦ଟି ଦିନିକିଆ ଅନ୍ତର୍ଜାତୀୟ (ODI) ମ୍ୟାଚ୍ ଖେଳିଥିଲେ। ଏହି ୧୦ଟି ମ୍ୟାଚ୍ରେ ସେ ମୋଟ ୧୫୮ ରନ୍ କରିଥିଲେ। ତାଙ୍କ ବ୍ୟାଟିଂ ହାରାହାରି ୨୨.୫୭ ଥିଲା। ୨୨ ବର୍ଷ ଧରି ଚାଲିଥିବା ମାମଲାରୁ ମୁକ୍ତି ମିଳିବା ପରେ ଜ୍ୟାକବ ମାର୍ଟିନଙ୍କ ପାଇଁ ଏହି ରାୟ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କୁହାଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ମାର୍ଟି ଦୋଷୀ ନଥିଲେ ତେବେ ମାମଲାର ସମାଧାନ ପାଇଁ ୨୨ ବର୍ଷ ଲାଗିଲା କାହିଁକି ? ଏହି ୨୨ ବର୍ଷରେ ମାର୍ଟିନ ଯାହା କିଛି ହରାଇଲେ ଯଥା ରେଳବାଇର ଚାକିରି ସେସବୁର ମୂଲ୍ୟ କିଏ ଦେବ ? ମାର୍ଟିନ କଣ ପୁଣିଥରେ ଚାକିରି ଫେରି ପାଇବେ ? ସେ ହରାଇଥିବା ଚାକିରିକାଳର ଦରମା ତାଙ୍କୁ ଦିଆଯିବ ତ?