ଦିଲ୍ଲୀ,|୦୬:ଜୁନ ୧୩ ତାରିଖରେ ହିମାଚଳ ପ୍ରଦେଶର ଧର୍ମାଶାଳାରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଆଫଗାନିସ୍ତାନ । ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲେ ଭ୍ରମଣକାରୀ ଟିମ୍ । ଦଳ ୨୫ ଓଭରରେ ୧୯୪ ରନ୍ କରିଥିଲା । ଜବାବରେ ଭାରତ ୨୨.୫ ଓଭରରେ ଟାର୍ଗେଟ୍ ହାସଲ କରି ନେଇଥିଲା । ତେବେ ଭାରତୀୟ ପାଳିରେ ଦେଖାଦେଇଥିଲା ଏକ ଅଜବ ଘଟଣା ।

ମୁକାବିଲାରେ ଭାରତ ପାଇଁ ଓପନିଂ କରିଥିଲେ ରୋହିତ ଶର୍ମା ଏବଂ ଶୁଭମନ ଗିଲ । ରୋହିତ ୧୬ ରନ୍ କରି ବ୍ୟାଟିଂ କରୁଥିବା ବେଳେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ମ୍ୟାଚର ୫.୪ ଓଭରରେ ଏହି ଘଟଣା ଘଟିଥିଲା । ତେବେ ରନ୍ ଆଉଟ୍ ହେଲା ପରେ ରୋହିତ ଆଦୌ ଖୁସି ନଥିଲେ । କାରଣ ଏକ ଭୁଲ ବୁଝାବଣା ପାଇଁ ତାଙ୍କୁ ଆଉଟ୍ ହେବାକୁ ପଡିଥିଲା ।

ଷଷ୍ଠ ଓଭରରେ ବୋଲିଂ କରୁଥିଲେ ଆଫଗାନ୍ ବୋଲର ଅଲ୍ଲାହ ଗଜନଫର । ତାଙ୍କର ଏକ ବଲକୁ ରୋହିତ ମିଡ୍ ଓ୍ୱିକେଟ୍ ଦିଗରେ ଖେଳିଥିଲେ । ଏହାସହ ଦ୍ରୁତ ରନ୍ ନେବା ପାଇଁ ଧାଇଁଥିଲେ । ଶୁଭମନ ମଧ୍ୟ ଆରମ୍ଭର ରନ୍ ନେବାକୁ ଉଦ୍ୟମ ରରିଥିଲେ । କିନ୍ତୁ କିଛି ଷ୍ଟେପ୍ ଆଗକୁ ଯିବା ପରେ ଶୁଭମନ୍ ଅଟକି ଯାଇଥିଲେ । ଏହାସହ ରୋହିତଙ୍କୁ ଫେରାଇ ଦେଇଥିଲେ । ସେତେବେଳକୁ ରୋହିତ୍ ଖୁବ୍ ଆଗକୁ ଚାଲି ଯାଇଥିଲେ ।

ଆଫଗାନିସ୍ତାନ ଖେଳାଳି ତୁରନ୍ତ ସୁଯୋଗର ଫାଇଦା ଉଠାଇଥିଲେ । ରଶିଦ ଖାନ୍ ବଲ ଧରି ଓ୍ୱିକେଟକୁ ଥ୍ରୋ କରିଥିଲେ । ଫଳରେ ୧୬ ରନ୍ କରି ରୋହିତ ଆଉଟ୍ ହୋଇଥିଲେ ।ଏହାପରେ ସେ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ଜଣା ପଡୁଥିଲା । ସେ ରିପ୍ଲେର ଅପେକ୍ଷା ନକରି ପ୍ୟାଭିଲିୟନ ଚାଲି ଯାଇଥିଲେ ।

ଗିଲଙ୍କ ଜବାବ

ତେବେ ମ୍ୟାଚ୍ ପରେ ଗିଲଙ୍କୁ ଏବାବଦରେ ପ୍ରଶ୍ନ କରାଯାଇଥିଲା । ସେ ହସିକରି କହିଥିଲେ ଯେ, ରୋହିତ ରିପ୍ଲେ ଦେଖିସାରିଥିଲେ । କିଛି କଥା ନାହିଁ । ସବୁ ଠିକ୍ ଅଛି । ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଶେଷ ଟି୨୦ରେ ମଧ୍ୟ ରୋହିତ ରନ୍ ଆଉଟ୍ ହୋଇଥିଲେ । ଡ୍ରେସିଂ ରୁମରେ ଏହି ଘଟଣାକୁ ନେଇ କୌଣସି ବିବାଦ ନଥିବା ସେ ପ୍ରକାଶ କରିଛନ୍ତି ।