ଗୌହାଟୀ: ଦ୍ୱିତୀୟ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଐତିହାସିକ ଲକ୍ଷ୍ୟ ହାସଲ କରିଛି । ଭାରତୀୟ ଦଳ ମାତ୍ର ୪୩.୩ ଓଭରରେ ମାତ୍ର ୱିକେଟ୍ ହରାଇ ୪୦୬ ରନର ଟାର୍ଗେଟ ହାସଲ କରିଛି । ଅଧିନାୟକ ଶୁଭମନ ଗିଲ ଏକ ଚମତ୍କାର ଦ୍ୱିଶତକ ହାସଲ ସହ ଅପରାଜିତ ୨୨୩ (୧୩୩ ବଲ) ରନ୍ କରିଥିଲେ । ରୋହିତ ଶର୍ମା ମଧ୍ୟ ୧୦୧ (୭୫) ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।

ବୁଧବାର ଗୌହାଟିର ବରସାପାରା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଟିମ୍ ଇତିହାସ ରଚିଥିଲା । ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ କାରିବିଆନ୍ ଦଳ ୪୦୦ ରନ୍ ଅତିକ୍ରମ କରିଥିଲା । ଏହା ସହିତ ୱେଷ୍ଟଇଣ୍ଡିଜ୍ ଇତିହାସରେ ପ୍ରଥମ ଥର ପାଇଁ ତିନି ଜଣ ବ୍ୟାଟର ଗୋଟିଏ ଇନିଂସରେ ଶତକ ହାସଲ କରିଥିଲେ । ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପାଇଁ ଜନ୍ କ୍ୟାମ୍ପବେଲ୍ (୧୦୧) ପ୍ରଥମ ଶତକ ହାସଲ କରିଥିଲେ । ଏହା ପରେ ଅଧିନାୟକ ଶାଇ ହୋପ୍ ୧୦୪ ରନ୍ କରିଥିଲେ ଏବଂ ଆମିର ଜାଙ୍ଗୁ ମଧ୍ୟ ଏକ ଦୃଢ଼ ୧୧୪ ରନ୍ କରିଥିଲେ । ଏହି ତିନୋଟି ଶତକ ଯୋଗୁଁ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୪୦୫ ରନ୍ ସଂଗ୍ରହ କରି ଭାରତକୁ ୪୦୬ ରନ୍ର ଲକ୍ଷ୍ୟ ଦେଇଥିଲା । ଭାରତ ପାଇଁ କୁଲଦୀପ, ଜାଡେଜା ଏବଂ ଗୁରନୁର ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ୍ ନେଇଥିଲେ ।

୪୦୬ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଏକ ଦୃଢ଼ ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ୧୫୮ ବଲରେ ୨୫୫ ରନର ରେକର୍ଡ ଭାଗୀଦାରି ହୋଇଥିଲା । ଆଉଟ୍ ହେବା ପୂର୍ବରୁ ରୋହିତ ଶର୍ମା ୭୫ ବଲରେ ୧୦୧ ରନ କରିବା ପରେ ପାଭିଲିୟନ ଫେରିଥିଲେ । ଆଜିର ମ୍ୟାଚରେ ବିରାଟ କୋହଲି ଭଲ ପ୍ରଦର୍ଶନ କରିପାରି ନଥିଲେ । ସେ ୧୯ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଶୁଭମନ ଗିଲ୍ ଏକ ଐତିହାସିକ ସଫଳତା ହାସଲ କରିଥିଲେ । ଏକଦିବସୀୟ କ୍ରିକେଟରେ ଦ୍ରୁତତମ ଦ୍ୱିଶତକର ବିଶ୍ୱ ରେକର୍ଡ ନିଜ ନାଁରେ କରିଥିଲେ । ଅଧିନାୟକ ଗିଲ୍ ୧୧୭ ବଲରେ ୨୦୦ ରନ ସ୍କୋର କରିଥିଲେ । ଗିଲ୍ ଅପରାଜିତ ରହି ପାଭିଲିୟନ ଫେରିଥିଲେ । ସେ ୧୩୩ ବଲରେ ୨୬ ଚୌକା ଏବଂ ୮ ଛକା ସହିତ ୨୨୩ ରନ କରିଥିଲେ । ଅଧିନାୟକ ଶୁଭମନ ଗିଲ ଆଜିର ମ୍ୟାଚରେ ୧୬୭.୬୭ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଥିଲେ । ଋତୁରାଜ ଗାୟକୱାଡ ୩୭ ବଲରେ ୩୧ ରନ କରିଥିଲେ । ଭାରତ ୪୦୬ ରନର ଟାର୍ଗେଟକୁ ୪୩.୩ ଓଭରରେ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଥିଲା । ୱେଷ୍ଟଇଣ୍ଡିଜ୍ ପାଇଁ ଜୟଡେନ ସିଲ୍ସ ଏବଂ ସମର ଯୋସେଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।