ଭୁବନେଶ୍ୱର : 'ଏଆଇ'... ଆଗାମୀ ଦୁନିଆର ବଡ଼ ଶକ୍ତି । କିନ୍ତୁ ଯଦି ଏହି ଶକ୍ତି ଭୁଲ୍ ହାତରେ ପଡ଼େ, ତେବେ କ'ଣ ହେବ? ଏହାକୁ ନେଇ ଏବେ ଚିନ୍ତା ବଢ଼ାଇଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ । ତାଙ୍କ କହିବା କଥା, ଅତ୍ୟାଧୁନିକ AIର ଭୁଲ୍ ବ୍ୟବହାର ଅତ୍ୟନ୍ତ ବଡ଼ ମାନବୀୟ ବିପର୍ଯ୍ୟୟ ଆଣିପାରେ । ଏପରିକି ଏକ ବିଲିୟନ୍, ଅର୍ଥାତ୍ ପ୍ରାୟ ୧୦୦ କୋଟି ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ପ୍ରଶ୍ନକୁ କେନ୍ଦ୍ର କରି ଏବେ ଆମେରିକାରେ AI ନିୟନ୍ତ୍ରଣକୁ ନେଇ ଆଲୋଚନା ଜୋରଦାର ହୋଇଛି ।

ସାକ୍ଷାତକାରରେ ବିଲ୍ ଗେଟ୍ସ କହିଛନ୍ତି, କେବଳ AI କମ୍ପାନୀମାନଙ୍କ ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ଉପରେ ଭରସା କରିହେବ ନାହିଁ । AIର ବିକାଶ ଓ ବ୍ୟବହାର ପାଇଁ ସରକାର, ଆଇନ ପ୍ରଣେତା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଙ୍କୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଓ ମନିଟରିଂରେ ସାମିଲ ହେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି । AI ଯେତେ ଶକ୍ତିଶାଳୀ ହେଉଛି, ସେତେ ଏହାର ଦୁରୁପଯୋଗକୁ ନେଇ ବଢ଼ୁଛି ଚିନ୍ତା । ଆଉ ଏବେ ଏହି ଚିନ୍ତାକୁ ଆହୁରି ଗମ୍ଭୀର କରିଛି ବିଲ୍ ଗେଟ୍ସଙ୍କ ଚେତାବନୀ । ତାଙ୍କ ମତରେ, ଭୁଲ୍ ଉଦ୍ଦେଶ୍ୟ ରଖୁଥିବା ଲୋକଙ୍କ ହାତରେ ଅତ୍ୟାଧୁନିକ AI ପହଞ୍ଚିଲେ ବିପୁଳ ଧ୍ୱଂସ ଘଟିପାରେ । ସେ କହିଛନ୍ତି, AI ଏତେ ଶକ୍ତିଶାଳୀ ଯେ ଏହାର ଦୁରୁପଯୋଗ ଫଳରେ ଏକ ବିଲିୟନ୍ ଲୋକଙ୍କ ମୃତ୍ୟୁ ଘଟାଇପାରୁଥିବା ଘଟଣା ଘଟିପାରେ । ଏହାକୁ ସେ ଏକ ସମ୍ଭାବ୍ୟ ବିପଦ ଭାବେ ଉଠାଇଛନ୍ତି, ନିଶ୍ଚିତ ଭବିଷ୍ୟବାଣୀ ଭାବେ ନୁହେଁ ।

ତେଣୁ ଆମେରିକାରେ AI ପାଇଁ ସ୍ପଷ୍ଟ ଆଇନ ଓ ସୁରକ୍ଷା ମାନଦଣ୍ଡ ଆଣିବାକୁ ସେ ଦାବି କରିଛନ୍ତି । ତାଙ୍କ ମତରେ, କେବଳ କମ୍ପାନୀ ନିଜେ ନିଜକୁ ନିୟନ୍ତ୍ରଣ କରିବା ପର୍ଯ୍ୟାପ୍ତ ନୁହେଁ । AI ସୁରକ୍ଷାକୁ ନେଇ ଏହା ପ୍ରଥମ ଚେତାବନୀ ନୁହେଁ । ନିକଟରେ AI ଏଜେଣ୍ଟ୍ମାନଙ୍କ ଦ୍ୱାରା ଅନୁମତି ବିନା ନେଟୱର୍କ ଆକ୍ସେସ୍ ଓ ସାଇବର କାର୍ଯ୍ୟକଳାପ ସମ୍ପର୍କିତ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ନିକଟରେ AI ତାର ଅନ୍ୟ ଏକ AI ଆପ ଉପରେ ଅକର୍ମଣ ଲକରିଥିବା ଖବର ସମସ୍ତଙ୍କୁ ଚକିତ କରିଥିଲା | ଓପନ୍ ଏଆଇର ଚାଟ୍ ବଟ୍ ଚାଟ୍ ଜିପିଟିର ଏକ ଆକାଉଣ୍ଟ ହ୍ୟାକ୍ କରିବା ଘଟଣା AI ସିକ୍ୟୁରିଟି ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା | ଏହାଦ୍ୱାରା AI ପାଇଁ ଆଇନଗତ ଦାୟିତ୍ୱ ଓ ନିୟନ୍ତ୍ରଣକୁ ନେଇ ନୂଆ ଚିନ୍ତା ପ୍ରକାଶ ପାଇଛି ।

ତେବେ AI କେବଳ ବିପଦ ନୁହେଁ । ଗେଟ୍ସ ନିଜେ ମଧ୍ୟ AIର ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ସକାରାତ୍ମକ ସମ୍ଭାବନା ବିଷୟରେ କହିଛନ୍ତି । ମୁଖ୍ୟ ପ୍ରଶ୍ନ ହେଉଛି ଏହି ଶକ୍ତିଶାଳୀ ପ୍ରଯୁକ୍ତିର ବିକାଶ ସହ ସୁରକ୍ଷା ଓ ଜବାବଦେହିତା କେମିତି ସୁନିଶ୍ଚିତ କରାଯିବ? AI ଆଗାମୀ ଦୁନିଆକୁ ସମ୍ପୂର୍ଣ୍ଣ ବଦଳାଇଦେବ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଏହାର ଶକ୍ତି ସହ ସୁରକ୍ଷା, ନିୟନ୍ତ୍ରଣ ଓ ସନ୍ତୁଳନ କେମିତି ବଜାୟ ରହିବ, ତାହା ହିଁ ଏବେ ବଡ଼ ପ୍ରଶ୍ନ ।