ନୂଆଦିଲ୍ଲୀ : ଜୀବନରେ କଣ ଦରକାର, ଭଲ ଚାକିରି, ମୋଟା ଅଙ୍କର ଦରମା ଆଉ ଆରାମଦାୟକ ଜୀବନ । ଏଇଆ ତ , ଇଏ ପ୍ରାୟ ସମସ୍ତଙ୍କର ଇଚ୍ଛା । ଏହା ବାଦ୍  ଯଦି ପୁଣି ଚାକିରି ଏକ  ନାମୀଦାମୀ ଆଇଟି କମ୍ପାନୀରେ ଥିବ । ତାହାଲେ ତ କଥା ସରିଲା । ଲାଇଫ୍ ପୂରା ସେଟ୍...  ।  କିନ୍ତୁ ବେଙ୍ଗାଲୁରୁର ଜଣେ ଯୁବତୀ ଏହି ଲାଇଫ୍ ଷ୍ଟାଇଲକୁ କରିଛନ୍ତି ତୁଚ୍ଛ । ସେ ଆଇଟି ଚାକିରି , ମୋଟା ଅଙ୍କର ଦରମା, ବିଳାଶପୂର୍ଣ୍ଣ  ଜୀବନଶୈଳୀ ଚାହିଁ ନାହାନ୍ତି । ସେ ଚାହିଁଛନ୍ତି ସ୍ୱାଧିନତା ଓ ମାଆ’ଙ୍କ ସହ ସମୟ ବିତାଇବା । ସେଥିପାଇଁ ସେ ଆଇଟି କମ୍ପାନୀର ଚାକିରି ଛାଡ଼ି ବେଙ୍ଗାଲୁରୁର ଜନଗହଳି ପୂର୍ଣ୍ଣ ରାସ୍ତାରେ ଚଳାଉଛନ୍ତି ଅଟୋ । ତାଙ୍କର ଏହି ନିଷ୍ପତ୍ତି ପଛରେ ରହିଛି ମାଆଙ୍କ ପ୍ରତି ଭଲପାଇବା, ପାରିବାରର ଦାୟିତ୍ୱ ଏବଂ ମନର ଶାନ୍ତି ।

ଯୁବତୀ ପୂର୍ବରୁ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । କିନ୍ତୁ କର୍ପୋରେଟ୍‌ ଚାକିରିରେ ରାତି ସିଫ୍ଟ ଯୋଗୁଁ ସେ ନିଜ ମା’ଙ୍କୁ ଆବଶ୍ୟକ ସମୟ ଦେଇ ପାରୁନଥିଲେ । ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ମାଆ ଏକୁଟିଆ ରହୁଥିଲେ । ଏଭଳି ପରିସ୍ଥିତିରେ ମା’ଙ୍କୁ ଏକା ଛାଡ଼ି ଚାକିରିରେ ବ୍ୟସ୍ତ ରହିବା ତାଙ୍କ ପାଇଁ ମାନସିକ ଭାବେ କଷ୍ଟକର ହୋଇପଡ଼ିଥିଲା । ଏହି କାରଣରୁ ସେ ନିଷ୍ପତ୍ତି ନେଲେ ଆଇଟି କମ୍ପାନୀରେ ଚାକିରି ଛାଡ଼ି ଅଟୋ ଚଳାଇବାକୁ । ଏହି ନିଷ୍ପତ୍ତି ନେବା ନଥିଲା ସହଜ । ପରିବାର ପକ୍ଷରୁ ମଧ୍ୟ ପ୍ରଥମେ ଜଣେ ଝିଅକୁ  ଅଟୋ ଚଳାଇବାକୁ ନେଇ ବିରୋଧ ହୋଇଥିଲା । କିନ୍ତୁ ଯୁବତୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ତାଙ୍କ କହିବା ଅନୁସାରେ, ଅଟୋ ଚଳାଇବା ତାଙ୍କୁ କାମରେ ସ୍ୱାଧୀନତା ଦେଇଛି ଏବଂ ଘର ପାଖରେ ରହି ମାଆଙ୍କ ଯତ୍ନ ନେବାର ସୁଯୋଗ ମଧ୍ୟ ମିଳୁଛି । ଏହାସହ ସବୁଠୁ ବଡ଼କଥା  ହେଉଛି ତାଙ୍କ ରୋଜଗାର । ଯୁବତୀଙ୍କ ଦାବି ଅନୁସାରେ, ଏବେ ସେ ଆଇଟି ଚାକିରି ତୁଳନାରେ ଅଧିକ ଟଙ୍କା ରୋଜଗାର କରୁଛନ୍ତି।  ସେ ଶିକ୍ଷିତ ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କ ସହ ଇଂରାଜୀରେ କଥାବାର୍ତ୍ତା କରିବାକୁ କମ୍ଫଟେବୁଲ ବି । ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ତନବୀଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର ହୋଇଥିଲା । ଏହା ପରେ ଯୁବତୀଙ୍କ କାହାଣୀ ଆସିଥିଲା ସାମ୍ନାକୁ । ଭିଡିଓରେ ଯୁବତୀ ଜଣକ କହିଛନ୍ତି, ସମାଜ କ’ଣ କହିବ ତାକୁ ଅପେକ୍ଷା ନକରି,  ସେ ନିଜ ଜୀବନର ନିଷ୍ପତ୍ତି ନିଜେ ନେଇଛନ୍ତି।

ସାଧାରଣତଃ ଅନେକଙ୍କ ଧାରଣା ରହିଛି ଯେ ଭଲ ପାଠ ପଢ଼ୁଥିବା ବ୍ୟକ୍ତି କେବଳ ଅଫିସ୍‌ରେ ବସି ଚାକିରି କରିବେ। କିନ୍ତୁ ଯୁବତୀ ଜଣକ ଏହି ଧାରଣାକୁ କରିଛନ୍ତି ପରିବର୍ତ୍ତନ। ତାଙ୍କ ପାଇଁ କାମରେ କିଛି ଛୋଟ ବଡ଼ ନଥାଏ।  କେଉଁ କାମ କରୁଛନ୍ତି ତାହା ଗୁରୁତ୍ୱ ରଖେନି , ଗୁରୁତ୍ୱ ରଖେ ସେହି କାମ ଆମକୁ କେତେ ଖୁସି ଓ ଶାନ୍ତି ଦେଉଛି। ଲୋକେ କ’ଣ କହିବେ, ସେ କଥାକୁ ସେ ନଭାବି , ନିଜକୁ ଭଲ ଲାଗୁଥିବା କାମ କରିବା ସହ ନିଜ ପରିବାରର ଦାୟିତ୍ୱ ତୁଲାଇବାକୁ ସେ ଦେଇଛନ୍ତି ଗୁରୁତ୍ୱ ।  the_tanvishetty ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଣ୍ଟେଟ କ୍ରିଏଟର ଓ ଯୁବତୀଙ୍କ କଥାବାର୍ତ୍ତାର ଭିଡିଓ ସେୟାର କରାଯାଇଛି। ଭାଇରାଲ୍ ହେବା ପରେ ଏହି କାହାଣୀ ସୋସିଆଲ ମିଡିଆରେ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ୟୁଜର୍ସ ତାଙ୍କ ସାହସ ଓ ନିଜ ନିଷ୍ପତ୍ତିରେ ଅଟଳ ରହିବାର ମନୋଭାବକୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, “ଆପଣଙ୍କ କଥା ଆମକୁ ପ୍ରେରଣା ଦେଉଛି।” ଅନ୍ୟ ଜଣେ ଲେଖିଛନ୍ତି, “ଟଙ୍କା ରୋଜଗାର କରିବାରେ ଲାଜ କାହିଁକି?” ଆଉ ଜଣେ ୟୁଜର୍ସଙ୍କ ମତରେ, ସମାଜ କ’ଣ କହିବ ତାକୁ ଚିନ୍ତା କଲେ, ଜଣେ ମଣିଷ ନିଜ ଜୀବନକୁ ଠିକ୍‌ ରେ ବଞ୍ଚିପାରିବ ନାହିଁ।

Also Read- C Vanmathi success story : ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ଦିନେ ମଇଁଷି ଚରାଇ ଘର ଚଳାଉଥିଲେ, ଏବେ ଆଇଏଏସ୍ ଅଫିସର

ଏହି କାହାଣୀ କେବଳ ଚାକିରି ବଦଳାଇବାର କାହାଣୀ ନୁହେଁ। ଏହା ଜଣେ ଝିଅଙ୍କ ପାରିବାର ପ୍ରତି ଦାୟିତ୍ୱ, ନିଜ ପସନ୍ଦର ଜୀବନ ବାଛିବା ଏବଂ ସମାଜର ମତାମତକୁ ପଛରେ ପକାଇ ଆଗକୁ ବଢ଼ିବାର ଏକ ଉଦାହରଣ। ଯାହା ଏବେ ଅନେକଙ୍କ ପାଇଁ ପ୍ରେରଣା। ​​​​​​​