ମଥୁରା: ଯୋଗ ଗୁରୁ ବାବା ରାମଦେବ ବୁଧବାର କହିଛନ୍ତି ଯେ ଭାରତର ସବୁ ମୁସଲମାନ ଧର୍ମାନ୍ତରିତ। ସେମାନେ ଏକତା ଓ ତାକତ ପାଇଁ ଭଗବାନ ରାମ ଓ କୃଷ୍ଣଙ୍କୁ ନିଜର ପୂର୍ବଜ ଭାବେ ସ୍ୱୀକାର କରିବା ଆବଶ୍ୟକ। ଯୋଗ ଗୁରୁ ଏହି କଥା ସେତେବେଳେ କହିଛନ୍ତି ଯେତେବେଳେ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ କହିଛନ୍ତି ଭାରତରେ କୌଣସି ରାଜନୈତିକ ପାର୍ଟି ଚାହାନ୍ତିନି ମୁସଲମାନଙ୍କ ନିଜର ସ୍ୱତନ୍ତ୍ର ରାଜନୈତିକ ପରିଚୟ ହେଉ ଓ ଅଭିଯୋଗ କରିଥିଲେ ଯେ ସମୂଦାୟକୁ କେବଳ ଭୋଟ ବ୍ୟାଙ୍କ କରିଦିଆଯାଇଛି।

ଗଣମାଧ୍ୟମ ସହ ଆଲୋଚନାରେ ବାବା ରାମଦେବ କହିଛନ୍ତି ଯେ ମୁଁ ସବୁ ମୁସଲମାନ ଭାଇଙ୍କୁ ଅପିଲ କରୁଛି ସେମାନେ ଭାବନ୍ତୁ ଆମର ପ୍ରାଚୀନ ମୁନି ଋଷି ସେମାନଙ୍କ ପୂର୍ବଜ। ଭଗବାନ ରାମ ଓ କୃଷ୍ଣ ମଧ୍ୟ ସେମାନଙ୍କ ପୂର୍ବଜ। ଯଦି ମୁସଲମାନ ସେମାନଙ୍କ ଚେର ସହ ଯୋଡି ହେବେ ତେବେ ସେମାନେ ନିଜକୁ କେବେ ଦୁର୍ବଳ ଅନୁଭବ କରିବେନି। ଏହା ଏଥି ପାଇଁ ଯେ ଭାରତରେ ସବୁ ମୁସଲମାନ ଧର୍ମାନ୍ତରିତ ମୁସଲମାନ। ଯଦି ହିନ୍ଦୁ ଓ ମୁସଲମାନ ଏକତାର ସହ ରହିବେ ତେବେ ସେମାନେ ମଜଭୁତ ହେବା ସହ ଦେଶ ମଧ୍ୟ ମଜଭୁତ ହେବ। ତେବେ କେବଳ ରାମଦେବ ନୁହନ୍ତି, ଚଳିତବର୍ଷ ପ୍ରାରମ୍ଭରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜାତୀୟ ସଭାପତି ଜମାଲ ସିଦ୍ଦିକୀ ମଧ୍ୟ ଏପରି ବୟାନ ଦେଇଥିଲେ।

ସିଦ୍ଦିକୀ କହିଥିଲେ ଯେ ଯେଉଁ ମୁସଲମାନ ରାମ ଓ କୃଷ୍ଣଙ୍କୁ ବିଶ୍ୱାସ କରୁ ନାହାନ୍ତି ସେମାନଙ୍କୁ ମୁସଲମାନ କୁହାଯାଇ ପାରିବନି, ଏହା ସହିତ ସେ କହିଥିଲେ ଯେ ଏହି ସମ୍ମାନୀତ ଦେବୀ ଦେବତାଙ୍କର ଇସ୍ଲାମୀ ଆଧ୍ୟାତ୍ମିକ ପରମ୍ପରାରେ ମଧ୍ୟ ସ୍ଥାନ ଥାଇପାରେ। ଏକ ସାକ୍ଷାତକାରରେ ସିଦ୍ଦିକୀ କହିଥିଲେ ଯେ ସବୁ ମୁସଲମାନ ଭଗବାନ ରାମଙ୍କ ବଂଶଜ। ଏଥି ମଧ୍ୟରେ ବାବା ରାମଦେବ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀଙ୍କ ରାମ ଓ ଶିବଙ୍କ ଉପରେ ଟିପ୍ପଣୀର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ରାମଦେବ କହିଛନ୍ତି ଯେ ସନାତନ ଧର୍ମ ଶହଶହ ବର୍ଷରୁ ଅସ୍ତିତ୍ୱରେ ରହିଛି ଓ ଆଗକୁ ମଧ୍ୟ ରହିବ। କିଛି ଲୋକେ ପ୍ରଥମେ ସନାତନ ଧର୍ମକୁ ଜାତି, ଗୋତ୍ର ଓ ସମୂଦାୟ ଆଧାରରେ ଭାଗ ଭାଗ କରିବାକୁ ଚେଷ୍ଟା କରିଥିଲେ। ଏବେ ସେମାନେ ଦାବି କରୁଛନ୍ତି ଶ୍ରୀରାମ ଧନୀକଙ୍କ ଦେବତା ଓ ଶିବ ଗରିବଙ୍କ ଦେବତା। ତେବେ ରାମ ଦେବ କହିଛନ୍ତି ଯେ ରାମ, ଶ୍ରୀକୃଷ୍ଣ, ହନୁମାନ, ଶିବ, ଉମା ମହେଶ୍ୱର, ଲକ୍ଷ୍ମୀ-ନାରାୟଣ, ସୀତା-ରାମ, ରାଧା-କୃଷ୍ଣ ଅଥବା ରୁକ୍ମଣୀ-କୃଷ୍ଣଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ। ଯେଉଁ ଲୋକଙ୍କ ମଧ୍ୟରେ ଏପରି ଭାଗଭାଗ କରିବାର ବିଚାରଧାରା ରହିଛି ସେମାନେ ସନାତନ ବିରୋଧୀ।