ଲଣ୍ଡନ,୭|୦୬ବିଫଳ ହୋଇଛି କପ୍ତାନୀ । ଆୟାରଲ୍ୟାଣ୍ଡ ଭଳି ଦୁର୍ବଳ ଟିମ୍ ଆଗରେ ଆତ୍ମ ସମର୍ପଣ କରିଛି ଟିମ୍ ଇଣ୍ଡିଆ । ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାଜୟରୁ ଯାତ୍ରା ଆରମ୍ଭ କରିଛି । ଏହାସହ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କୁ ମଧ୍ୟ ଝଟକା ଲାଗିଛି ।

ମୁକାବିଲାରେ ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା ଆୟାରଲ୍ୟାଣ୍ଡ୍ । କିନ୍ତୁ ପରେ ଦଳର ମିଡିଲ୍ ଅର୍ଡର ଦମଦାର୍ ବ୍ୟାଟିଂ କରିଥିଲେ । ଫଳରେମ୍ୟାଚରେ ଆୟର୍ଲାଣ୍ଡ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା । ୧୮୩ ରନ୍ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିପର୍ଯ୍ୟୟର ସାମନା କରିଥିଲା ।

Also Read :- IND vs IRE: ବୈଭବଙ୍କୁ ଖେଳାଇଲେନି, ହାରିଗଲେ; ବିଶ୍ୱ ଚାମ୍ପିଅନ ଭାରତକୁ ୩୪ ରନରେ ପରାସ୍ତ କଲା ଆୟର୍ଲାଣ୍ଡ

ଟିମ୍ ଇଣ୍ଡିଆ ବ୍ୟାଟିଂର ଦ୍ୱିତୀୟ ଓଭରରେ ସଞ୍ଜୁ ସାମସନ ୫ ରନ୍କରି ଆଉଟ ହୋଇଥିଲେ । ଇଶାନ କିଷାନ ୫ ବଲରୁ ୧ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ମାତ୍ର ୩ ରନ୍ କରିପାରିଥିଲେ । ଅଭିଷେକ ଶର୍ମା ୨୦ ବଲରୁ ୫୦ ରନ୍ ଖେଳି ପ୍ୟାଭିଲିୟନ୍ ଫେରିଥିଲେ । ତିଲକ ବର୍ମା ୨୧ ବଲରୁ ମାତ୍ର ୧୯ ରନ୍ କରିପାରିଥିଲେ । ୱାଶିଂଟନ ସୁନ୍ଦର (୯), ଶିବମ୍ ଦୁବେ (୨୫), ଅକ୍ଷର (୧୫), ହର୍ଷିତ ରାଣା (୮) ରନ୍ କରି ଆଉଟ୍ ହୋଇଥିଲେ । ଆୟରଲ୍ୟାଣ୍ଡ ପକ୍ଷରୁ ମ୍ୟାଟ୍ ହୋଲାର୍ଡ ଏବଂ ମାଥ୍ୟୁ ହମ୍ଫ୍ରେସ୍ ଚମତ୍କାର ବୋଲିଂ କରି ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ଫଳରେ ଭାରତ ବିପକ୍ଷରେ ଆୟର୍ଲ୍ୟାଣ୍ଡ ପ୍ରଥମ ମୁକାବିଲା ଜିତିଛି ।

ଦଳର ପରାଜୟକୁ ନେଇ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଯେ, ଭାରତୀୟ ବୋଲର ଆରମ୍ଭରୁ ଭଲ ବୋଲିଂ କରିଥିଲେ । କିନ୍ତୁ ମିଡିଲ ଓଭରରେ ସେମାନେ ସଫଳ ସାବ୍ୟସ୍ତ ହୋଇନଥିଲେ । ନିଜର ଲୟ ହରାଇଥିଲେ । ସେମାନେ ଆୟର୍ଲ୍ୟାଣ୍ଡକୁ ଆଉ ୧୦ରୁ ୧୫ ରନ୍ କମ୍ କରି ଅଟକାଇ ପାରିଥାନ୍ତେ । ୧୪୦ ରନ୍ ଭିତରେ ଅଟକାଇବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ସଫଳ ହୋଇନଥିଲା ।

ସେ ଆହୁରି କହିଛନ୍ତି ଯେ, ଏଠାରେ ଖେଳିବା ଦ୍ୱାରା ଓ୍ୱିକେଟ୍ ବାବଦରେ ନୂଆ ଆଇଡିଆ ମିଳିଛି । ଅଧିନାୟକ ଭାବେ ଏହା ଭଲ ଆରମ୍ଭ ବୋଲି ସେ ହସି କରି ପ୍ରକାଶ କରିଛନ୍ତି । ତେବେ ଯାହା ଘଟିଲା ତାକୁ ଭୁଲିବାକୁ ପଡିବ । ଖେଳରୁ ଅନେକ କିଛି ଶିଖିବାକୁ ଅଛି । କେଉଁ ବିପକ୍ଷ ଦଳକୁ ଦୁର୍ବଳ ଭାବିବା କଥା ନୁହେଁ । କାହାକୁ ହାଲୁକା ଭାବେ ନେବା ଅନୁଚିତ ବୋଲି ସେ ପ୍ରକାଶ କରିଛନ୍ତି ।