ସୋନପୁର ୩।୧୨: କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା । କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଉପ ବଜାର ପ୍ରାଙ୍ଗଣ ଶାଖାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଫିସ୍‌ରେ ଅଚାନକ ପହଞ୍ଚି ଯାଇଥିଲେ ଜିଲ୍ଲାପାଳ । ଦେଖିଲା ବେଳକୁ ସିଟ୍‌ରେ ନଥିଲେ ଅଧିକାରୀ । କାହାକୁ କିଛି ଜଣାଇ ବି ନଥିଲେ । ଏହା ଦେଖି ଜିଲ୍ଲାପାଳ ଖପ୍ପା । ସଙ୍ଗେ ସଙ୍ଗେ ଜାରି କରିଦେଲେ କାରଣ ଦର୍ଶାଅ ନୋଟିସ୍ । 

​​​​​​​

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଉପ ବଜାର ପ୍ରାଙ୍ଗଣ ଶାଖାକୁ ଅଚାନକ ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ l କିନ୍ତୁ ସେଠାକୁ ଯାଇ ଦେଖିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଶାସ୍ତ୍ରୀଳା ସାହୁ ଅନୁପସ୍ଥିତ ଥିଲେ । ଉପରିସ୍ଥ କର୍ମଚାରୀଙ୍କୁ ମଧ୍ୟ ଏ ନେଇ କିଛି ଜଣାଇ ନଥିଲେ । ତାଙ୍କ ସହ ଅନ୍ୟ ଜଣେ କର୍ମଚାରୀ ସୁରେଶ କୁମାର ପୁଟେଲ ମଧ୍ୟ ଅନୁପସ୍ଥିତ ଥିଲେ l ତେବେ ଉଭୟ କୌଣସି ଉପରିସ୍ଥ କର୍ମଚାରୀଙ୍କୁ ନ ଜଣାଇ ଅନୁପସ୍ଥିତ ଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ । ତେବେ କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ । ଏ ନେଇ କିନ୍ତୁ ଉଭୟ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ 

​​​​​​​