ମୁମ୍ବାଇ : ପ୍ରାୟ ୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ଯୋଗ ଦିବସ ଦିନ ଏକନାଥ ସିନ୍ଦେଙ୍କ କାଣ୍ଡ ସାରା ଦେଶରେ ଚର୍ଚ୍ଚା ସାଉଣ୍ଟି ଥିଲା ଓ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି (ଏମଭିଏ)ର ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି କରିଥିଲା। ସିନ୍ଦେ ଓ ଅନ୍ୟ ୪୦ ବିଧାୟକଙ୍କ ବିଦ୍ରୋହ କାରଣରୁ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା ଓ ପାର୍ଟି ଦୁଇଫାଳ ହୋଇଯାଇଥିଲା। ଏବେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ବୁଝାମଣା ସମ୍ଭାବନାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଗଲାଣି। ଏପରି ଆକଳନ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ଉଭୟ ପକ୍ଷରୁ ପ୍ରମୁଖ ନେତାମାନେ ଏକତାର ଓକିଲାତି କରିବା ଆରମ୍ଭ କରିଛନ୍ତି। ତେବେ ସବୁଠୁ ମଜାଦାର କଥା ହେଉଛି ବିଜେପି ଯାହା କେବେ ଶିବସେନା ଲାଗି ବିବାଦର ଏକ ପ୍ରସଙ୍ଗ ଥିଲା ଏବେ ଉଭୟ ଗୋଷ୍ଠୀର ନେତାଙ୍କ ଲାଗି ବଡ ବିପଦ ଭାବେ ଉଭା ହୋଇଛି।

ସମାଧାନର ସଂକେତ
ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବରିଷ୍ଠ ନେତାମାନେ ପାର୍ଟିର ପୁନର୍ମିଳନ ଲାଗି ଚର୍ଚାର ଆବଶ୍ୟକତା ନେଇ ସଂକେତ ଦେଉଛନ୍ତି। ଏହି ବାର୍ତ୍ତା ଏପରି ସମୟରେ ହେଉଛି ଯେତେବେଳେ ମହାରାଷ୍ଟ୍ର ରାଜନୀତିରେ ବିଜେପିର ପ୍ରଭାବ ବଢୁଥିବା ଭଳି ଦେଖା ଯାଉଛି। ଏହି ଚର୍ଚ୍ଚାର ଆରମ୍ଭ ଶିବସେନା ୟୁବିଟି ନେତା ଆମ୍ବାଦାସ ଦାନୱେ ଓ ସିନ୍ଦେଗୋଷ୍ଠୀର ବରିଷ୍ଠ ନେତା ଅବଦୁଲ ସତ୍ତାରଙ୍କ ବୟାନରୁ ଆରମ୍ଭ ହୋଇଛି। ଯେତେବେଳେ ଦୁଇ ନେତାଙ୍କୁ ଉଭୟ ଗୋଷ୍ଠୀର ପୁନର୍ମିଳନ ନେଇ ପଚରା ଗଲା ଦାନୱେ କହିଛନ୍ତି ଯେ ‘ପ୍ରାୟତଃ ଏମିତି ଲାଗେ, ହେଲେ କେବଳ ଇଛାରେ ପରିବର୍ତ୍ତନ ଆସିବ ନାହିଁ’। ଏଥିରୁ ସଂକେତ ମିଳୁଛି ଯେ ଉଦ୍ଧବ ଗୋଷ୍ଠୀର କିଛି ନେତା ପାର୍ଟିର ବିଭାଜିତ ଗୋଷ୍ଠୀର ପୁନର୍ମିଳନ ସମ୍ଭାବନାକୁ ନେଇ ଏବେ ଖୋଲାଖୋଲି ବିଚାର କରୁଛନ୍ତି। ସେହିଭଳି ସତ୍ତାର ମଧ୍ୟ ଏହି ଭାବନାକୁ ଦୋହରାଇ କହିଛନ୍ତି ଯେ ‘ଏବେ ଏକତାର ସମୟ’।

ବିଭାଜନର ଐତିହାସିକ ସନ୍ଦର୍ଭ
ବର୍ତ୍ତମାନର ପରିଦୃଶ୍ୟକୁ ବୁଝିବା ଲାଗି ମନେ ରଖିବା ଆବଶ୍ୟକ ଯେ ୨୦୨୨ରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ କାରଣରୁ ଶିବସେନା ଦୁଇଫାଳ ହୋଇଥିଲା ଓ ସେମାନେ ଅଲଗା ଅଲଗା ଗୋଷ୍ଠୀରେ ପରିଣତ ହୋଇଥିଲେ। ମୂଳ ଶିବସେନାକୁ ଅବିଭାଜିତ ଶିବସେନା କୁହାଯାଇପାରେ। ସେବେଠାରୁ ଉଭୟ ଗୋଷ୍ଠୀ କୋର୍ଟକଚେରୀ ଓ ନିର୍ବାଚନ ଆୟୋଗ ଲଢେଇରେ ଫଶି ରହିଛନ୍ତି। ଏଥିରେ ଉଭୟପକ୍ଷ ନେତାଙ୍କ ମଧ୍ୟରେ ଏକତାର କଥାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବାର୍ତ୍ତା ରୂପେ ଦେଖାଯାଉଛି। ଖାସ କରି ଏଥି ପାଇଁ କାରଣ ସିନ୍ଦେ ଗୋଷ୍ଠୀର ବରିଷ୍ଠ ନେତା ଏବେ ସମୟକୁ ଉପଯୁକ୍ତ ବୋଲି କହୁଛନ୍ତି। ଦାନୱେ କହିଛନ୍ତି ଯେ ବିଜେପି ଧିରେ ଧିରେ ନିଜ ମେଣ୍ଟ ସହଯୋଗୀଙ୍କୁ ଦୁର୍ବଳ କରୁଛି। ତାଙ୍କ କହିବା କଥା ହେଉଛି ବଡ଼ ମାଛ ଛୋଟ ମାଛକୁ ଗିଳୁଛି, ଏଣୁ ସେ ଭାବୁଛନ୍ତି ଶିବସେନା ଓ ଏନସିପି ବିରୋଧରେ ବିଜେପି ଏବେ ଏହି ନୀତି ଅବଲମ୍ବନ କରୁଛି।

ବିଜେପିର ପ୍ରଭୂତ୍ୱକୁ ନେଇ ଚିନ୍ତା
ଦାନୱେ କହିଛନ୍ତି ଯେ ଶିବସେନାକୁ ସମାପ୍ତ କରିବା ଏବେ ବିଜେପିର ଏକମାତ୍ର ଉଦ୍ଦେଶ୍ୟ, ଏବେ ଶିବସେନାକୁ ବିଜେପି କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ମନେ କରୁନି ବରଂ ସବୁଠୁ ବଡ଼ ଶତ୍ରୁ ଦୃଷ୍ଟିରେ ଦେଖୁଛି। ସେ କହିଛନ୍ତି ଯେ ଯେଉଁମାନେ ଅବିଭାଜିତ ଶିବସେନାକୁ ଛାଡି ଚାଲିଯାଇଛନ୍ତି, ସେମାନେ ଏବେ ନିଜ ନିଷ୍ପତ୍ତିର ପରିଣାମ ଦେଖୁଛନ୍ତି। ସେହିପରି ସିନ୍ଦେ ଗୋଷ୍ଠୀର ଅବଦୁଲ ସତ୍ତାର ମଧ୍ୟ ବିଜେପିକୁ ଲକ୍ଷ୍ୟ କରି କହିଛନ୍ତି ଯେ ଯଦି ତାଙ୍କର ବଡ଼ ଭାଇ ତାଙ୍କୁ ତଳେ ପକାଇବାକୁ ଚାହୁଁଛି ତେବେ ଏକତା ଚର୍ଚ୍ଚାର ଔଚିତ୍ୟ କ’ଣ? ଏଠାରେ ‘ବଡ଼ ଭାଇ’ ଶବ୍ଦ ଏକ ଏପରି ସ୍ଥିତିକୁ ଦର୍ଶାଉଛି ଯେଉଁଠି ଏକ ଶକ୍ତିଶାଳୀ ଦଳ ଛୋଟ ଦଳ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରୁଛି, ଯାହା ବର୍ତ୍ତମାନର ରାଜନୈତିକ ପରିଦୃଶ୍ୟରେ ଏକନାଥଙ୍କ ଶିବସେନା ଗୋଷ୍ଠୀର ଦୟନିୟତାକୁ ଦର୍ଶାଉଛି।