ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଶିବସେନା (ୟୁବିଟି)ର ୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଉଦ୍ଧବ ଠାକରେଙ୍କ ବିଦ୍ରୋହ କରି ଅଲଗା ଗୋଷ୍ଠୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିବସେନା (ୟୁବିଟି)ର ୬ ସାଂସଦ ଲୋକସଙା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ତାଙ୍କୁ ଅଲଗା ଗୋଷ୍ଠୀ ରୂପେ ସ୍ୱୀକାର କରିବାକୁ କହିଛନ୍ତି ।

ଶିବସେନା ୟୁବିଟିର ଯେଉଁ ସାଂସଦମାନେ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ସଞ୍ଜୟ ଯାଦବ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମରାଜେ ନିମ୍ୱାଲକର, ଭାଉସାହେବ ବାକଚୋରେ ଏବଂ ସଞ୍ଜୟ ଦୀନା ପାଟିଲ ସାମିଲ ଅଛନ୍ତି ।

ଶିବସେନା (ୟୁବିଟି)ର ୬ ସାଂସଦ ବୁଧବାର ବାଚସ୍ପତିଙ୍କୁ ଚିଠି ଲେଖି ଏକନାଥ ସିନ୍ଦେଙ୍କ ପାର୍ଟିରେ ବିଳୟ କରିବା ପାଇଁ ଦାବି କରିଛନ୍ତି । ୬ ବିଦ୍ରୋହୀ ସାଂସଦ ବୁଧବାର ସକାଳେ ମୁମ୍ୱାଇରୁ ଦିଲ୍ଲୀ ଆସିଥିଲେ । ଏହି ସମୟରେ ସେମାନଙ୍କ ସହ ଏକନାଥ ସିନ୍ଦେଙ୍କ ଶିବସେନାର ଜଣେ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ସମସ୍ତେ ବାଚସ୍ପତିଙ୍କୁ ନିଜ ଚିଠି ଦେଇଥିଲେ ।  

ୟୁଟିବି ଭିତରେ ବିଦ୍ରୋହର କଳ୍ପନାଜଳ୍ପନା ମଧ୍ୟରେ, ଦିଲ୍ଲୀରେ ସଞ୍ଜୟ ରାଉତଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ସାୱନ୍ତ, ମୁଖ୍ୟ ସଚେତକ ଅନିଲ ଦେଶାଇ ଏବଂ ନାସିକ୍ ସାଂସଦ ରାଜାଭାଉ ଉପସ୍ଥିତ ଥିଲେ । ତେଣୁ, ଶିବସେନା (ୟୁଟିବି)ର ନଅଟି ଲୋକସଭା ସାଂସଦଙ୍କ ମଧ୍ୟରୁ କେବଳ ତିନି ଜଣ ଯୋଗ ଦେଇଥିଲେ, ଛଅ ଜଣ ଅନୁପସ୍ଥିତ ଥିଲେ । ଏହା ସ୍ପଷ୍ଟ ଭାବରେ ଉଦ୍ଧବ ଠାକରେଙ୍କ ଦଳ ଭିତରେ ବିଭାଜନ ହେବାର ଆଶଙ୍କାକୁ ସୂଚିତ କରୁଛି ।

ସଞ୍ଜୟ ରାଉତ କହିଛନ୍ତି, ଆମର ସାଂସଦମାନେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ମଶାଲ ଚିହ୍ନରେ ନିର୍ବାଚିତ ହୋଇଥିଲେ । ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଜିତି ନଥିଲେ । ତେଣୁ, ଯଦି କେହି ଏବେ ଦଳ ପରିବର୍ତ୍ତନ କରନ୍ତି, ତେବେ ଆମେ କାହାକୁ ଛାଡିବୁ ନାହିଁ । ଯେଉଁମାନେ ଦଳ ଛାଡିବାକୁ ଚାହାନ୍ତି ସେମାନେ ଇସ୍ତଫା ଦେଇପାରିବେ ।