ଓଡେଶା: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗର କ୍ଷେତ୍ର ପୁଣି ଥରେ ଅଶାନ୍ତ ହୋଇପଡିଛି। ୟୁକ୍ରେନର ପ୍ରମୁଖ ଓଡେଶା ବନ୍ଦରରେ ଏକ ବାଣିଜ୍ୟିକ୍ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଭାରତୀୟ ନାଗରିକ ପ୍ରଭାବିତ ହୋଇଥିବା ସୂଚନା ଆସୁଛି। ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସଙ୍କ ଅନୁସାରେ ୨ ଜଣ ଭାରତୀୟ ସୁରକ୍ଷିତ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ଜାରି ରହିଛି। ଦୂତାବାସ ଉଦ୍ଧାର ଅଭିଯାନ ଉପରେ ନଜର ରଖିଛନ୍ତି। ବନ୍ଦରରେ ଛିଡା ହୋଇଥିବା ଏମଭି ଏଜିଏନ ରେଗ୍ନର ନାମକ ଜାହାଜ ଆକ୍ରମଣର ସମ୍ମୁଖୀନ ହୋଇଛି।

କୃଷ୍ଣ ସାଗରରେ ଓଡେଶା ପୋର୍ଟ ୟୁକ୍ରେନର ଏକ ପ୍ରମୁଖ ବନ୍ଦର। ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ବନ୍ଦର ଉପରେ ଅନେକବାର ଆକ୍ରମଣ ହେଲାଣି। ୟୁକ୍ରେନରେ ଭାରତୀୟ ଦୂତାବାସଙ୍କ ଅନୁସାରେ ଆକ୍ରମଣ କାଳରେ ଜାହାଜରେ ୪ ଜଣ ଭାରତୀୟ ଥିଲେ। ଏପର୍ଯ୍ୟନ୍ତ ମିଳୁଥିବା ସୂଚନା ଅନୁସାରେ ଏଥିରୁ ୨ ଜଣ ଭାରତୀୟ ନାଗରିକ ସୁରକ୍ଷିତ ଥିବା ବେଳେ ଅନ୍ୟ ୨ ଜଣଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ପୁଷ୍ଟି ହୋଇ ନାହିଁ। ସେମାନଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଓ ରେସ୍କ୍ୟୁ ଅପେରସନ ଜାରି ରହିଛି।

ଭାରତୀୟ ଦୂତାବାସ ଜାରି ବୟାନରେ କହିଛନ୍ତି ଯେ ସେ ପୁରା ଘଟଣାକ୍ରମ ଉପରେ ଲଗାତାର ନଜର ରଖିଛନ୍ତି। ଯାହାଦ୍ୱାରା ଭାରତୀୟଙ୍କ ସନ୍ଧାନ ନିଆଯାଇ ପାରିବ ଓ ସେମାନଙ୍କୁ ଯଥା ସମ୍ଭବ ସହାୟତା କରାଯାଇ ପାରିବ। ତେବେ ଏ ପର୍ଯ୍ୟନ୍ତ ଜାହାଜ ଉପରେ ଆକ୍ରମଣ କିଏ କରିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ସେହିପରି ଜାହାଜରେ ଚାଳକ ଦଳର କେତେଜଣ ସଦସ୍ୟ ଥିଲେ ତାର ମଧ୍ୟ ଅଧିକାରୀକ ସୂଚନା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।

ସେହିପରି ଅଧିକାରୀମାନେ ଏ ପର୍ଯ୍ୟନ୍ତ ୪ ଭାରତୀୟଙ୍କ ପରିଚୟ ସାର୍ବଜନିକ କରି ନାହାନ୍ତି। ଜାହାଜରେ ସେମାନଙ୍କ ପଦବୀ କଣ ଓ କେଉଁ ଦାୟିତ୍ୱରେ ଥିଲେ ତାର ସୂଚନା ମଧ୍ୟ ମିଳିନି। ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ କୃଷ୍ଣ ସାଗରରେ ବାଣିଜ୍ୟିକ ପୋତ ଯାତାୟାତ ପ୍ରଭାବିତ ହୋଇଛି। ଗତମାସରେ କେତେକ ବାଣିଜ୍ୟିକ ଜାହାଜ ଡ୍ରୋନ ଓ ମିଜାଇଲ ଆକ୍ରମଣର ସମ୍ମୁଖୀନ ହୋଇଥିବାର ସୂଚନା ଆସିଥିଲା। ଏଣୁ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ଉପୁଜିଛି।