ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ୱଦେଶ ଫେରିବାର ବୟାନ ମଧ୍ୟରେ ନୂଆ ସରକାରଙ୍କ ଆଭିମୁଖ୍ୟ କଡ଼ା ହୋଇଛି। ବାଂଲାଦେଶ ଆଇନ ମନ୍ତ୍ରୀ ଶେଖ୍ ଅସଦୁଜ୍ଜମାଁ କହିଛନ୍ତି ଯେ ହସିନା ଭାରତରୁ ଫେରିବା ମାତ୍ରେ ତାଙ୍କୁ ତୁରନ୍ତ ଗିରଫ କରାଯିବ ଓ ସିଧା କୋର୍ଟକୁ ଯାଇ ଆତ୍ମସମର୍ପଣ କରିବାର ସୁଯୋଗ ଆଦୌ ଦିଆଯିବନି। ଆଇନ ମନ୍ତ୍ରୀଙ୍କ ଏହି ବୟାନ ହସିନାଙ୍କ ସେହି ସାକ୍ଷାତକାରର ଠିକ୍ ଦିନକ ପରେ ଆସିଛି ଯେଉଁଥିରେ ସେ ସ୍ୱଦେଶ ଫେରିବା ପାଇଁ ତାଙ୍କ ଇଛା ପ୍ରକାଶ କରିଥିଲେ। ହସିନା କହିଥିଲେ ‘ହୋଇପାରେ ମୋତେ ହତ୍ୟା କରି ଦିଆଯାଇପାରେ, ମୋତେ ଗିରଫ କରାଯାଇ ପାରେ ବା ଜେଲ ପଠାଇ ଦିଆଯାଇପାରେ.. ତା ସତ୍ୱେ ବି ମୁଁ ଫେରିଯିବାକୁ ଚାହୁଁଛି’।

ହସିନା କହିଥିଲେ ଯେ କାରଣ ମୋ ଲୋକେ ମୋତେ ଡାକୁଛନ୍ତି। ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ବାଂଲାଦେଶ ଫେରିବା କଥା କହିଛନ୍ତି। ତେବେ ସାମ୍ବାଦିକଙ୍କ ସହ ଆଲୋଚନାରେ ଆଇନ ମନ୍ତ୍ରୀ ଅସଦୁଜ୍ଜମାଁ କହିଛନ୍ତି ଯେ ୭୮ ବର୍ଷ ବୟଷ୍କ ହସିନା ଜଣେ ନାଗରିକ ଭାବେ ସ୍ୱଦେଶ ଫେରି ପାରିବେ ଓ ଏଥି ପାଇଁ ତାଙ୍କର ଅଧିକାର ଅଛି, ତେବେ ଆଇନ ତା କାମ କରିବ। ଆଇନ ମନ୍ତ୍ରୀ କହିଛନ୍ତି ଯେ ମୃତ୍ୟୁଦଣ୍ଡର ସାମ୍ନା କରୁଥିବା ହସିନା ସ୍ୱଦେଶ ଫେରି ଆଇନକୁ ସମ୍ମାନ ପୂର୍ବକ ଆତ୍ମସମର୍ପଣ କରିବାକୁ ଚାହାଁନ୍ତି ତଥାପି କୋର୍ଟକୁ ପହଞ୍ଚିବା ପୂର୍ବରୁ ତାଙ୍କୁ ଗିରଫ କରି ନିଆଯିବ।

ଏଥିରେ ତାଙ୍କ ପାସପୋର୍ଟ ରଦ୍ଦ କରିଦିଆଯାଇଥିବାରୁ ସେ ଦେଶକୁ ଫେରିବେ କିପରି ବୋଲି ପ୍ରଶ୍ନ କରାଯିବାରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଏହା ତାଙ୍କ ସମସ୍ୟା ମୋର ନୁହେଁ। ତେବେ ସେ ଯେପରି ଆମ କ୍ଷେତ୍ରକୁ ପ୍ରବେଶ କରିବେ ଆମେ ଆଇନ ଦ୍ୱାରା ଦିଆଯାଇଥିବା ଅଧିକାର ପ୍ରୟୋଗ କରିବୁ ବୋଲି କହିଛନ୍ତି। ଅଗଷ୍ଟ ୨୦୨୪ରେ ଛାତ୍ରଙ୍କ ଦ୍ୱାରା ଉଗ୍ର ପ୍ରଦର୍ଶନ ଯୋଗୁ ଶେଖ ହସିନାଙ୍କ ସରକାର ଭାଙ୍ଗି ଯାଇଥିଲା ଓ ସେ ପଳାୟନ କରି ଭାରତରେ ଶରଣ ନେଇଛନ୍ତି।