ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତବର୍ଷ ସ୍ୱଦେଶ ଲେଉଟି ଯିବେ ବୋଲି ଘୋଷଣା କରିଛନ୍ତି। ୫ ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହେବା ପରେ ହସିନା ଭାରତରେ ଶରଣ ନେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅନେକବାର ତାଙ୍କ ପ୍ରତ୍ୟାର୍ପଣ ଦାବି କରିଥିଲା। ଗତବର୍ଷ ବାଂଲାଦେଶର ଏକ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ହସିନାଙ୍କୁ ଫାଶୀଦଣ୍ଡାଦେଶ କରିଥିଲା। ଏଥିରେ ହସିନାଙ୍କ ଫେରିଯିବା ଘୋଷଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏକ ଗଣମାଧ୍ୟମ ଚ୍ୟାନେଲକୁ ହସିନା ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ମୋ ବିରୋଧରେ ଯେଉଁ ରାୟ ଆସିଛି, ତାହା ନ୍ୟାୟ ନୁହେଁ। ଏହା ଏକ ଅବୈଧ ଓ ଅସାମ୍ବିଧାନିକ ପ୍ରକ୍ରିୟା, ଯାହା ରାଜନୀତି ପ୍ରେରିତ। ଆବାମୀ ଲିଗ୍ କୁ ଦୁର୍ବଳ କରିବା ପାଇଁ ନ୍ୟାୟପାଳିକାକୁ ରାଜନୈତିକ ପ୍ରତିଶୋଧର ସାଧନ କରିଦିଆଯାଇଛି। ତେବେ ବାଂଲାଦେଶରେ ଏହା ନୂଆ କଥା ନୁହେଁ, ଏପରି ଉଦ୍ୟମ ପୂର୍ବରୁ ମଧ୍ୟ ଅନେକବାର ହୋଇଛି। ହେଲେ ଏହି ଉଦ୍ୟମ ସଫଳ ହୋଇ ନଥିଲା ଓ ଆଗକୁ ମଧ୍ୟ ସଫଳ ହେବନି।

ହସିନା କହିଛନ୍ତି ଯେ ମୃତ୍ୟୁକୁ ମୋର ଭୟ ନାହିଁ। ୧୯୭୫ ମସିହାରେ ମୁଁ ମୋ ମାତା-ପିତା, ଭାଇ ଓ ପରିବାରର ଅଧିକାଂଶ ସଦସ୍ୟଙ୍କୁ ହରାଇଥିଲି। ଅଗଷ୍ଟ ୨୧ ରେ ମୋ ଉପରକୁ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଅନେକ ଷଡ଼ଯନ୍ତ୍ର ହୋଇଛି ହେଲେ ମୁଁ ସର୍ବଦା ବାଂଲାଦେଶ ନାଗରିକଙ୍କ ସହିତ ଛିଡା ହୋଇଛି। ଜନତାଙ୍କ ସମର୍ଥନରେ ମୁଁ ୫ ଥର ପ୍ରଧାନମନ୍ତ୍ରୀ ହୋଇଛି ଓ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ହସିନା କହିଛନ୍ତି ଯେ ମୋ ଜୀବନ ବାଂଲାଦେଶ ଜନତା, ଆବାମୀ ଲିଗ୍, ଗଣତାନ୍ତ୍ରିକ ସଂଘର୍ଷ ଓ ଦେଶର ବିକାଶ ସହିତ ଜଡିତ। ମୁଁ ସ୍ପଷ୍ଟ ଭାବେ କହୁଛି ସବୁ ବାଧା ଓ ଷଡ଼ଯନ୍ତ୍ରକୁ ମୁଁ ସଫଳତାର ସହ ପାର କରିବି ଓ ଏହି ବର୍ଷ ଦେଶକୁ ଫେରିବି।