ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହୋଇଗଲାଣି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଏଥି ପାଇଁ ସତର୍କତା ଜାରି କରିଛନ୍ତି, କହିଛନ୍ତି ଆଗାମୀ ୪ରୁ ୫ ଦିନ ଉତ୍ତର-ପଶ୍ଚିମ, ମଧ୍ୟ ଓ ପୂର୍ବ ଭାରତର ବିସ୍ତିର୍ଣ୍ଣ ଅଞ୍ଚଳରେ ଲୁ (ହିଟୱେଭ) ପରିସ୍ଥିତି ଉପୁଜିପାରେ। ଆଇଏମଡି ବୁଧବାର କହିଛନ୍ତି ଯେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଓ ଦିଲ୍ଲୀର କିଛି ଅଞ୍ଚଳରେ ୨୪ ଓ ୨୫ ଏପ୍ରିଲ ମଧ୍ୟରେ ଲୁ ପରିସ୍ଥିତି ଉପୁଜିବ।

ସେହିପରି ପଶ୍ଚିମ ଉତ୍ତରପ୍ରଦେଶରେ ୨୩ରୁ ୨୫ ଏପ୍ରିଲ ମଧ୍ୟରେ ଓ ପୂର୍ବ ଉତ୍ତରପ୍ରଦେଶରେ ୨୨ରୁ ୨୬ ଏପ୍ରିଲ ମଧ୍ୟରେ ଲୁ ବହି ପାରେ। ଏହାଛଡା ରାଜସ୍ଥାନରେ ୨୪ରୁ ୨୬ ଏପ୍ରିଲ, ମଧ୍ୟପ୍ରେଦେଶ ରେ ୨୩ରୁ ୨୬ ଏପ୍ରିଲ, ଛତିଶଗଡ଼ରେ ୨୪ରୁ ୨୭ ଏପ୍ରିଲ ମଧ୍ୟରେ ଲୁ ବହିବାର ଆଶଙ୍କା ରହିଛି। ଗଙ୍ଗା ସମତଳ, ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରେ ୨୨ ଓ ୨୩ ଏପ୍ରିଲରେ ଭୀଷଣ ହିଟୱେଭ ହେବ। ହିଟୱଭ ସତର୍କତା ସହିତ ପାଣିପାଗ ବିଭାଗ ୨୨ରୁ ୨୫ ଏପ୍ରିଲ ମଧ୍ୟରେ ଓଡି଼ଶା, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ, ତାମିଲନାଡୁ, ପୁଡୁଚେରୀ, କରାଇକଲ, କେରଳ, ମାହେ, ଉପକୂଳ କର୍ଣ୍ଣାଟକ ଓ ଗୁଜରାଟ ଉପକୂଳ ବର୍ତ୍ତି ଅଞ୍ଚଳରେ ଗରମ ଓ ଗୁଳଗୁଳି ଅନୁଭୂତ ହେବ।

ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ସମେତ ଓଡି଼ଶା, କୋଙ୍କଣ ଓ ଗୋଆରେ ରାତ୍ରି ସମୟର ତାପମାତ୍ରା ବୃଦ୍ଧି ହେବ। ଏହା ଛଡା ପୂର୍ବୋତ୍ତର ଓ ପୂର୍ବ ଭାରତର କେତେକ ଭାଗରେ ବର୍ଷା ଯୋଗୁ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ପାଣିପାଗ ବିଭାଗ ସପ୍ତାହ ବ୍ୟାପୀ ସାଧାରଣରୁ ଭୀଷଣ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ନେଇ ମଧ୍ୟ ସତର୍କ କରିଛନ୍ତି। ଏହି ସମୟରେ ପୂର୍ବୋତ୍ତର କ୍ଷେତ୍ରର କେତେକ ସ୍ଥାନରେ ସ୍ୱଭାବିକରୁ ଭିଷଣ ବର୍ଷା ଆଶଙ୍କା ମଧ୍ୟ କରାଯାଇଛି।