ଭୁବନେଶ୍ୱର ୦୩।୧୧ : ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇଟି ମହିଳା ହଷ୍ଟେଲରେ ଛାତ୍ରୀମାନେ ଝାଡାବାନ୍ତି ଏବଂ ଜଣ୍ଡିସ ଆକ୍ରାନ୍ତ ହେବା ପରେ ମିଡ୍ ସେମିଷ୍ଟର ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଛି । ଏ ସମ୍ପର୍କରେ ପିଜି କାଉନସିଲ ଚେୟାରମ୍ୟାନଙ୍କ ଅଫିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ୬ ଏବଂ ୭ ନମ୍ବର ମହିଳା ହଷ୍ଟେଲରେ ଛାତ୍ରୀମାନେ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ପରେ କ୍ୟାମ୍ପସରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ୍ ଟିମ୍ ପକ୍ଷରୁ ହଷ୍ଟେଲରେ ପହଞ୍ଚି ୩୦ରୁ ଅଧିକ ଛାତ୍ରୀଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍, ଫାର୍ମାସୀ ଏବଂ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି । ହଷ୍ଟେଲଗୁଡ଼ିକୁ ୧ ହଜାର ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଛାତ୍ରୀମାନଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି।

Also Read:-ଦୁଇ ଦିନ ଯାଏଁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା : ୬୦ କିମି ବେଗରେ ପିଟିହେବ ଝଟକା ପବନ !

ଭୁବନେଶ୍ୱର ମହାନଗର ନିଗମର ସର୍ଭେଲାନ୍ସ ଟିମ୍ ହଷ୍ଟେଲ ପରିଦର୍ଶନ କରି ଜଳ ଓ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏହି ଟିମରେ ଅଛନ୍ତି ମହାମାରୀ ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶେଷଜ୍ଞ। ସୁରକ୍ଷିତ ପାନୀୟ ଜଳ ଏବଂ ଖାଦ୍ୟ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରାଯାଉଛି। ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସେବା ନେବାକୁ ପରାମର୍ଶ ଦିଆଯାଇଛି।