ମାଲକାନଗିରି ୦୩।୧୧ : ମାଲକାନଗିରି ଜିଲ୍ଲାରେ ମହାବଳ ବାଘର ଉପସ୍ଥିତି । କଲର ସିଗ୍ନାଲରୁ ବାଘର ଗତିବିଧି ଠାବ କରିଛି ବନ ବିଭାଗ । ଆନ୍ଧ୍ରପ୍ରଦେଶର ପାପିକୋଣ୍ଡାଲୁ ଅଭୟାରଣ୍ୟରୁ ଜଙ୍ଗଲ ରାସ୍ତା ଦେଇ ସୀମା ପାର୍ ହୋଇ ମାଲକାନଗିରିର ମୋଟୁ ବନାଞ୍ଚଳରେ ପହଞ୍ଚିଛି ଏକ ୪ ବର୍ଷୀୟ ରୟାଲ ବେଙ୍ଗଲ ଟାଇଗର । ବାଘର ଦେହରେ ଲାଗିଥିବା କଲର ସିଗ୍ନାଲ ମାଧ୍ୟମରେ ଏହାର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଛି । ଖାଦ୍ୟ ଅନ୍ୱେଷଣରେ ବୁଲୁ ବୁଲୁ ବାଘଟି ଆନ୍ଧ୍ରପ୍ରଦେଶର ଅଭୟାରଣ୍ୟରୁ ମାଲକାନଗିରିର ମୋଟୁ ବନାଞ୍ଚଳକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ସୁଦ୍ଧା ଏହି ବାଘଟି ପ୍ରାୟ ୮୫୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା । ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାନ୍ତ ଅଞ୍ଚଳରୁ ଯାତ୍ରା ଆରମ୍ଭ କରି ଆନ୍ଧ୍ରପ୍ରଦେଶର ପାପିକୋଣ୍ଡାଲୁ ଅଭୟାରଣ୍ୟରେ ପହଞ୍ଚିଥିଲା ଏହି ମହାବଳ ବାଘ । ଏବେ ପୁଣି ନିଜର ଗତିପଥ ବଦଳାଇ ଓଡ଼ିଶାର ମାଟିରେ ପାଦ ଥାପିଛି । ବାଘର ଗତିବିଧି ଉପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଲଗାତାର ନଜର ରଖିଛି । ଅନ୍ୟପଟେ ମାଲକାନଗିରିରେ ବାଘର ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

Also Read:-ଦୁଇ ଦିନ ଯାଏଁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା : ୬୦ କିମି ବେଗରେ ପିଟିହେବ ଝଟକା ପବନ !

ମୋଟୁ ବନାଞ୍ଚଳର ବିଭିନ୍ନ ସ୍ଥାନରେ ମାଇକିଂ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି । ବିଶେଷକରି ଜଙ୍ଗଲକୁ ଯିବା ସମୟରେ ସତର୍କ ରହିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯଦି ବାଘ ଆକ୍ରମଣରେ କୌଣସି ଗୋରୁ କିମ୍ବା ଗାଈ ଆହତ ହୁଅନ୍ତି ବା ମୃତ୍ୟୁବରଣ କରନ୍ତି, ତେବେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି । ବାଘର ଗତିବିଧି ଉପରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ବନ ବିଭାଗ ମିଳିତ ଭାବେ ନଜର ରଖିଛନ୍ତି । ବାଘର ସୁରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ମାଲକାନଗିରି ଡିଏଫଓ ।