ନୂଆଦିଲ୍ଲୀ: ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାର ସମୟ ଆସିଛି। ୨୦୨୬କୁ ସ୍ୱାଗତ କରିବାକୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ। କିନ୍ତୁ ଏହାରି ଭିତରେ ନୂଆ ବର୍ଷରୁ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁ ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଉପରେ ପଡ଼ିବ। ଯେଉଁଥିରେ ପାନ୍, ଆଧାର, କ୍ରେଡିଟ୍ କାର୍ଡ, ଅଷ୍ଟମ ବେତନ ସହ ଜଡ଼ିତ ଅନେକ ନିୟମ ରହିଛି ସାମିଲ୍। ଆସନ୍ତୁ ଜାଣିବା ଜାନୁଆରୀ ୧, ୨୦୨୬ରୁ ପରିବର୍ତ୍ତନ ହୋଇଥିବା ନିୟମ ବିଷୟରେ।

ପାନ୍ ସହ ଆଧାର ଲିଙ୍କ୍- ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖ 31 ଡିସେମ୍ବର 2025। ଯଦି ଆପଣ ନିଜ ପ୍ୟାନ୍ କୁ ଆଧାର ସହ ଲିଙ୍କ୍ କରି ନାହାନ୍ତି । ତାହେଲେ ଆଉ ଡେରି କରନ୍ତୁନି । କାହିଁକିନା ଏହାର ଶେଷ ତାରିଖ 31 ଡିସେମ୍ବର।

ବ୍ୟାଙ୍କିଂ ସେକ୍ଟରରେ ବଡ଼ ପରିବର୍ତ୍ତନ- ଆସନ୍ତାବର୍ଷଠାରୁ କ୍ରେଡିଟ୍ ସ୍କୋର ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ପ୍ରତି ସପ୍ତାହରେ ଡାଟା ଅପଡେଟ୍ କରିବାକୁ ପଡ଼ିବ । ଦେଶର ଅନେକ ବଡ଼ ବ୍ୟାଙ୍କ ସେମାନଙ୍କ ଋଣ ଉପରେ ସୁଧ ହାର କମାଇଛନ୍ତି । ଫିକ୍ସଡ୍ ଡିପୋଜିଟ୍ ସୁଧହାରରେ ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହାର ପ୍ରଭାବ ଜାନୁଆରୀରୁ ଦେଖିବାକୁ ମିଳିବ । ଡିଜିଟାଲ୍ ନିରାପତ୍ତାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ଏବେ ହ୍ୱାଟସଆପ୍, ଟେଲିଗ୍ରାମ୍ ଏବଂ ସିଗ୍ନାଲ୍ ଭଳି ପ୍ଲାଟଫର୍ମରେ ସିମ୍ ଲିଙ୍କ୍ ଭେରିଫିକେସନ୍ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିଛନ୍ତି। ଆଧାର ଏବଂ ପ୍ୟାନ୍ କାର୍ଡ ଲିଙ୍କ୍ ହେବା ଜରୁରୀ । ଏହାସହ ୟୁପିଆଇ ଏବଂ ଡିଜିଟାଲ୍ ପେମେଣ୍ଟ୍ ନିୟମରେ ମଧ୍ୟ କେତେକ ଟେକ୍ନିକାଲ୍ ପରିବର୍ତ୍ତନ ହେବ।

ପ୍ରଦୂଷଣ ରୋକିବାକୁ ସରକାରଙ୍କ ପ୍ଲାନ୍ - ଦେଶର ଅନେକ ସହରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଡିଜେଲ ଏବଂ ପେଟ୍ରୋଲ ଚାଳିତ କମର୍ସିଆଲ ଗାଡ଼ି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାଲିଛି ପ୍ରସ୍ତୁତି । ଏହି ସହରଗୁଡ଼ିକରେ କେବଳ ଇଲେକ୍ଟ୍ରିକ୍ କିମ୍ବା ସ୍ୱଚ୍ଛ ଇନ୍ଧନ ଚାଳିତ ଗାଡ଼ିକୁ ଦିଆଯିବ ପ୍ରାଧାନ୍ୟ । ପ୍ରଦୂଷିତ ସହରଗୁଡ଼ିକରେ ପ୍ରଦୂଷଣ ରୋକିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏଠାରେ ପେଟ୍ରୋଲ ଗାଡ଼ି ଜରିଆରେ ଡେଲିଭରି କରିବା ଉପରେ କଟକଣା ଲାଗିପାରେ ।

ଲାଗୁ ହେବ ଅଷ୍ଟମ ବେତନ ଆୟୋଗ! - ୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର ଆଣୁଛି । ୧ ଜାନୁଆରୀ, ୨୦୨୬ରୁ ଦେଶରେ ଅଷ୍ଟମ ବେତନ କମିସନ ଲାଗୁ ହେବା ସମ୍ଭାବନା । ଜାନୁଆରୀ ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି । ଏହାଦ୍ୱାରା କର୍ମଚାରୀଙ୍କ ମାସିକ ଦରମାରେ ବଡ଼ ଧରଣର ବୃଦ୍ଧି ହେବ। କେବଳ ସ୍ଥାୟୀ କର୍ମଚାରୀ ନୁହଁନ୍ତି, ବରଂ ପାର୍ଟ-ଟାଇମ୍ ଏବଂ ଦିନମଜୁରିଆଙ୍କ ପାଇଁ ମଧ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଚାଷୀଙ୍କ ପାଇଁ କଣ ବଦଳିବ?- ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଏବେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର 'ଫାର୍ମର ଆଇଡି' ପ୍ରସ୍ତୁତ କରାଯାଉଛି । ପିଏମ୍ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇବା ପାଇଁ ଏହି ଆଇଡି ବାଧ୍ୟତାମୂଳ । ଆଇଡି ନଥିଲେ ଟଙ୍କା ମିଳିନପାରେ । ନୂଆବର୍ଷରୁ ଯଦି ଜଙ୍ଗଲୀ ଜନ୍ତୁ ଚାଷ ଜମିରେ ପଶି ଫସଲ ନଷ୍ଟ କରନ୍ତି, ତେବେ ମଧ୍ୟ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବ।

ଟ୍ୟାକ୍ସ ନିୟମ ବି ବଦଳିବ - ଜାନୁଆରି ମାସରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ପାଇଁ ସରକାର ଏକ ନୂଆ ଫର୍ମ ଜାରି କରିପାରନ୍ତି । ଏଥିରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ କାରବାର ଏବଂ ବାର୍ଷିକ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ପୂର୍ବରୁ ହିଁ ଭରି ରହିଥିବ । ଏହାଦ୍ୱାରା ଟ୍ୟାକ୍ସ ଦାଖଲ କରିବା ସମୟରେ ଆପଣଙ୍କୁ ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ିବନି।

​​​​​​​

ଗ୍ୟାସ୍ ସିଲିଣ୍ଡର ଦର କମିବ ନା ବଢ଼ିବ ?- ପ୍ରତି ମାସ ପରି ୧ ଜାନୁଆରୀରୁ ଏଲପିଜି ବା ରନ୍ଧନ ଗ୍ୟାସ୍ ଏବଂ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଘୋଷଣା କରାଯିବ । ତେବେ ଗ୍ୟାସ ସିଲିଣ୍ଡର ଦାମ୍ କମିପାରେ । ଜାନୁଆରି ପହିଲାରୁ ବିମାନ ଇନ୍ଧନ ଦରରେ ମଧ୍ୟ ପରିବର୍ତ୍ତନ ହେବ । ଯଦି ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହୁଏ, ତେବେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ଦର ବଢ଼ାଇ ପାରନ୍ତି, ଯାହା ବିମାନ ଯାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ । ଅନ୍ୟପଟେ CNG ଏବଂ PNG ମୂଲ୍ୟ ହ୍ରାସ ପାଇପାରେ। ଏହା ଗାଡ଼ି ଚାଳକ ଏବଂ ଘରୋଇ ଗ୍ୟାସ୍ ବ୍ୟବହାରକାରୀ ଉଭୟଙ୍କୁ ଆଶ୍ୱସ୍ତି ।

ରାସନ କାର୍ଡ ନିୟମରେ ପରିବର୍ତ୍ତନ- ରାସନ କାର୍ଡ ନିୟମରେ ପରିବର୍ତ୍ତନ ଆସନ୍ତା ବର୍ଷ ହୋଇପାରେ। ଏହି ନିୟମଗୁଡ଼ିକ ରାସନ କାର୍ଡ ପ୍ରକ୍ରିୟାକୁ ସରଳ କରିବା ପାଇଁ କାର୍ଯ୍ୟକାରୀ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଆପଣଙ୍କୁ ଆଉ ରାସନ କାର୍ଡ ପାଇବା ପାଇଁ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି। ଆଶା କରାଯାଉଛି ଯେ ନୂଆବର୍ଷରେ ଏହା ଚାଷୀମାନେ ଏବଂ ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ।