ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲାରେ ଗୁରୁବାର ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭୱାଲୀ ଗାଁଓ ବାଇପାସ୍ ନିକଟରେ ଏକ କାର ଖାଇକୁ ଖସି ପଡିଛି। ଫଳରେ କାରରେ ଥିବା ଏକ ବାଳକ ସମେତ ଜଣେ ମହିଳା ଓ ୩ଜଣ ପୁରୁଷ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ ରେ ସେନେଟୋରିୟମ-ରାତିଘାଟ ବାଇପାସ୍ ରୋଡ ଭୱାଲୀର ଢୈଲା ଗାଁଓ ପୂର୍ବରୁ ଏକ ମହିନ୍ଦ୍ରା କାର ନମ୍ବର ୟୁପି-୩୨-କ୍ୟୁୟୁ-୧୮୭୪ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିଥିଲା। ଦୁର୍ଘଟଣା କାଳରେ ଗାଡ଼ିରେ ମୋଟ ୫ ଜଣ ଯାତ୍ରୀଥିଲେ।

ସ୍ଥାନୀୟ ପୋଲିସ, ଏସଡିଆରଏଫ ଓ ସ୍ଥାନୀୟ ଲୋକେ ମିଳିତ ଉଦ୍ଧାର ଅଭିଯାନ ଚଳାଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଯାତ୍ରୀଙ୍କୁ ବାହାର କରିଛନ୍ତି। ତେବେ ସମସ୍ତ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଦୁ୍ର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ହେଲେ ଉତ୍ତରପ୍ରଦେଶ ଖଟିମାର ଭୂପେନ୍ଦ୍ର ସିଂହ ଚୁଫାଲ (୪୮) ତାଙ୍କ ପତ୍ନୀ ସୀମା କୈଡ଼ା ଚୁଫାଲ (୪୫) ପୁଅ ବାସୁ ଚୁଫାଲ(୧୯) ଓ ରବି ଚୁଫାଲ (୧୨)। ସେହିପରି ବାହନ ଚାଳକ ଲକ୍ଷ୍ନୌର ଅନୁଜ କୁମାର ମିଶ୍ର (୩୪) ମଧ୍ୟ ପ୍ରାଣ ହରାଇଛି।

ଏହି ସଡ଼କ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୋକ ପ୍ରକଟ କରିଛନ୍ତି। ପୋଲିସ, ଏସଡିଆରଏଫ ଓ ଏସଏସବି ଟିମ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ସମସ୍ତଙ୍କୁ ଉଦ୍ଧାର କରି ସଡ଼କ ଉପରକୁ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତକମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଆରମ୍ଭ ହୋଇଛି।