ନୂଆଦିଲ୍ଲୀ ୧୫।୧୨: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ସୋମବାର ସକାଳେ ଘନ କୁହୁଡ଼ି ପଡିଥିଲା। ଋତୁର ପ୍ରଥମ କୁହୁଡ଼ି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେରେ ମୃତ୍ୟୁର ତାଣ୍ଡବ ରଚିଛି। ଗୋଟାକ ପରେ ଗୋଟେ ୨୫ ଗାଡ଼ି ଧକ୍କା ଲାଗିଥିବା ବେଳେ ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଏନଏଚଏଆଇ ଓ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପହଞ୍ଚାଇଛି। କ୍ରେନ ଲଗାଇ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସବୁ ହଟା ଯାଇଛି।

ରିପୋର୍ଟ ଅନୁସାରେ ଏହି ସିରିଜ୍ ଦୁର୍ଘଟଣାରେ ଏକ ପିଜୁଳି ବୋଝେଇ ଟ୍ରକର ମଧ୍ୟ ଭୂମିକା ରହିଛି। ଟ୍ରକଟି ଧକ୍କା ଲାଗି ଓଲଟି ପଡିବାରୁ ରାସ୍ତାରେ ପିଜୁଳି ଅଜାଡି ହୋଇ ପଡିଥିଲା। ଗାଡ଼ି ଚକରେ ପିଜୁଳି ଫାଟି ରାସ୍ତା ଚିକ୍କଣିଆ ହେବା ଯୋଗୁ ବ୍ରେକ ଲାଗିନଥିଲା। ଫଳରେ ଦୁର୍ଘଟଣା ଗ୍ରସ୍ତ ଗାଡିଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ଘନ କୁହୁଡି ଯୋଗୁ ଏକ୍ସପ୍ରେସ୍ ୱେରେ ଭିଜିବିଲିଟି ବହୁତ କମ୍ ହୋଇଯାଇଥିଲା। ଏଥିରେ ଦୁଇଟି ଓଭରଲୋଡ ଡମ୍ପ ଟ୍ରକ୍ ପରସ୍ପର ସର ଧକ୍କା ଲାଗିବା ପରେ ସିରିଜ୍ ଦୁର୍ଘଟଣା ଆରମ୍ଭ ହୋଇଥିଲା ।

ଓଭର ଲୋଡ ଡମ୍ପ ଟ୍ରକ୍ ଧକ୍କା ପରେ ପରେ ଏଥିରେ ପିଜୁଳି ବୋଝେଇ ଟ୍ରକ୍ ପିଟି ହୋଇ ଓଲଟି ପଡିଥିଲା। ଫଳରେ ସଡ଼କ ପିଛିଳ ହୋଇଯାଇଥିଲା। ଗାଡି ବ୍ରେକ୍ ଲାଗିନଥିଲା ଗୋଟାକ ପଛରେ ଗୋଟେ ପିଟିହେବାରେ ଲାଗିଥିଲା। ଭୋର ୫ଟାରୁ ଦୀର୍ଘ ସମୟ ଧରି ସିରିଜ ଦୁର୍ଘଟଣା ଲାଗି ରହିଥିବା ବେଳେ ସୂଚନା ପାଇଁ ଏନଏଚଏଆଇ ଓ ଟ୍ରାଫିକ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ।

ପ୍ରଥମେ ସଡକରେ ବାହନ ଚଳାଚଳ ରୋକା ଯାଇଥିଲା ଓ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡିକରୁ ଯାତ୍ରୀ ଓ ଚାଳକଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ୨୦ ଜଣଙ୍କ ଚିକିତ୍ସା ଜାରି ରହିଛି। ବର୍ଷର ପ୍ରଥମ କୁହୁଡ଼ି ଏକ୍ସପ୍ରେସ୍ ୱେରେ ସିରିଜ ଦୁର୍ଘଟଣାର କାରଣ ପାଲଟିଥିବା ବେଳେ ବାହନ ଚାଳକଙ୍କୁ ଗାଡ଼ି ଧିରେ ଚଳାଇବାକୁ ସତର୍କ କରାଯାଇଛି।