ପୁଣେ: ବିଭିନ୍ନ ସମସ୍ୟାର ସମାଧାନ କରିବା ଆଳରେ ମହିଳାଙ୍କୁ ଦୀର୍ଘ ୧୫ ବର୍ଷ ଧରି ଦେଉଥିଲେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଏଭଳି ଅଭିଯୋଗ ପରେ ଜଣେ ଆତ୍ମଘୋଷିତ ବାବା ଓ ତାଙ୍କର ୭ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ଆତ୍ମଘୋଷିତ ବାବା ରାଧାମୋହନ ମିଶ୍ର (୫୯) ଏବଂ ତାଙ୍କ ସହଯୋଗୀ ୬ ଜଣ ମହିଳା ଓ ଜଣେ ପୁରୁଷ । ମହାରାଷ୍ଟ୍ରର ପୁଣେରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର ।

ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଦିଆଯାଉଥିଲା ବିଦ୍ୟୁତ ଆଘାତ

ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସୂଚନା ଅନୁଯାୟୀ, ହରିୟାଣାର ମୂଳ ବାସିନ୍ଦା ରାଧାମୋହନ ମିଶ୍ର ଗତ ୮ ବର୍ଷ ହେବ ପୁଣେର ୱାଘୋଲି ଅଞ୍ଚଳରେ ଏକ ବଙ୍ଗଳାରେ ନିଜର ଆଶ୍ରମ ଚଲାଉଥିଲେ। ପୀଡ଼ିତା ମହିଳା ଜଣକ (୪୧) ଏକ ପ୍ରତିଷ୍ଠିତ କମ୍ପାନୀର କର୍ମଚାରୀ। ବାବା ନିଜକୁ ଭଗବାନଙ୍କ ଅବତାର ବୋଲି କହି ମହିଳାଙ୍କ ବିଶ୍ୱାସର ସୁଯୋଗ ନେଇଥିଲେ। ଆଉ ମହିଳାଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦେବା ସହ ପରିସ୍ରା ପିଇବାକୁ ବାଧ୍ୟ କରିବା, ବିଦ୍ୟୁତ ଆଘାତ ଦେବା ଏବଂ ବ୍ଲାକମେଲ୍ କରି ସ୍ୱାମୀଙ୍କଠାରୁ ଛାଡ଼ପତ୍ର କରାଇବା ଭଳି ସଂଘାତିକ କାଣ୍ଡ ଭିଆଇଥିଲେ। କେବଳ ସେତିକି ନୁହେଁ ମହିଳାଙ୍କ ସମସ୍ତ ସମ୍ପତ୍ତି ମଧ୍ୟ ବାବା ନିଜ ନାମରେ କରାଇ ନେଇଥିଲେ।

Also Read: ‘ତୁମେ ମୁସଲମାନ ହୋଇଯାଇଛ’... IAF ଯବାନଙ୍କ ପତ୍ନୀଙ୍କ ସହ ପାଶବିକ ଆଚରଣ

ସୁଡ଼ଙ୍ଗ ଦେଇ ଫେରାର ହେବାକୁ ଥିଲା ଯୋଜନା:

ଏତିକିରେ କଥା ସରିନଥିଲା। ମହିଳାଙ୍କ ରୁମ୍‌ରେ ସିସିଟିଭି ଲଗାଇ ତାଙ୍କ ଉପରେ କଡ଼ା ନଜର ରଖାଯାଉଥିଲା। ହେଲେ କୌଣସି ମତେ ମହିଳା ଜଣକ ସିସିଟିଭି କ୍ୟାମେରା ଭାଙ୍ଗି ସେଠାରୁ ଖସି ଆସିବାରେ ସଫଳ ହୋଇଥିଲେ ଓ ପରିବାର ଲୋକଙ୍କୁ ସବୁ କଥା ଜଣାଇବା ପରେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଚଢ଼ାଉ ବେଳେ ଆଶ୍ରମରୁ ୧୯ଟି ହାର୍ଡ ଡିସ୍କ, ୧୨ଟି ଲାପଟପ୍, ବହୁ ପରିମାଣର ପେନଡ୍ରାଇଭ୍, ୧୫ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୧୦ଟି ଜୀବନ୍ତ ଗୁଳି ଜବତ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫରୁ ବଞ୍ଚିବା ପାଇଁ ବାବା ବଙ୍ଗଳା ଭିତରେ ଏକ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ତିଆରି କରୁଥିଲେ।

ବର୍ତ୍ତମାନ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜୁନ୍ ୨୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି। ଏହା ସହ ମହିଳାଙ୍କ ବଳି ଏବଂ ଅନ୍ଧବିଶ୍ବାସ ନିରୋଧୀ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି।