ନୂଆଦିଲ୍ଲୀ: ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି (India-UK FTA) ଲାଗୁ ହେବା ପରେ ଭାରତରେ ବ୍ରିଟିଶ୍ ସ୍କଚ୍ ହ୍ୱିସ୍କିର ଦାମରେ ପ୍ରଥମ ଥର ପାଇଁ ବଡ଼ ହ୍ରାସ ଦେଖିବାକୁ ମିଳିଛି। କେତେକ ରାଜ୍ୟରେ ସ୍କଚ୍ ହ୍ୱିସ୍କିର ଖୁଚୁରା ଦାମ ପ୍ରାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଡିଆଜିଓ ଓ ପର୍ଣ୍ଣଡ ରିକାର୍ଡ( Diageo ଓ Pernod Ricard) ଭଳି ବଡ଼ କମ୍ପାନୀ କମିଥିବା ଆମଦାନୀ ଖର୍ଚ୍ଚର କିଛି ଅଂଶ ଗ୍ରାହକଙ୍କୁ ଦେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର, ରାଜସ୍ଥାନ, ଗୋଆ ଓ ଉତ୍ତରପ୍ରଦେଶରେ କିଛି ବ୍ରାଣ୍ଡର ଦାମ କମିଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଆଗାମୀ ଦିନରେ ଦାମ କମିବାର ସମ୍ଭାବନା ରହିଛି।

ଆମଦାନୀ ଶୁଳ୍କ ୧୫୦%ରୁ ୭୫%କୁ ହ୍ରାସ

ଭାରତ-ବ୍ରିଟେନ୍ ଚୁକ୍ତି ଅନୁସାରେ ବ୍ରିଟିଶ୍ ହ୍ୱିସ୍କି ଉପରେ ଆମଦାନୀ ଶୁଳ୍କ ୧୫୦ ପ୍ରତିଶତରୁ କମି ୭୫ ପ୍ରତିଶତ ହୋଇଛି। ଅର୍ଥାତ୍ ଆମଦାନୀ ଶୁଳ୍କ ପ୍ରାୟ ଅଧା ହୋଇଛି। ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଶୁଳ୍କ ଆହୁରି କମି ୪୦ ପ୍ରତିଶତରେ ପହଞ୍ଚିବାର ବ୍ୟବସ୍ଥା ରହିଛି। ତେବେ ଆମଦାନୀ ଶୁଳ୍କ ଅଧା କମିଲେ ମଧ୍ୟ ଖୁଚୁରା ବଜାରରେ ହ୍ୱିସ୍କି ଦାମ ସେହି ଅନୁପାତରେ କମେ ନାହିଁ। କାରଣ ମୋଟ ମୂଲ୍ୟ ନିର୍ଦ୍ଧାରଣରେ ରାଜ୍ୟ ଏକ୍ସାଇଜ୍ ଡ୍ୟୁଟି, ଟ୍ୟାକ୍ସ, ବିତରଣ ଖର୍ଚ୍ଚ ଓ ବ୍ୟବସାୟିକ ମାର୍ଜିନ୍ ଭଳି ଅନେକ ଉପାଦାନ ରହିଥାଏ।

Johnnie Walker ଓ J&B ଦାମରେ ବଡ଼ ହ୍ରାସ

ଭାରତ-ୟୁକେ ଏଫ୍‌ଟିଏ ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବା ପରେ ପ୍ରଥମ ଥର ପାଇଁ ଦୁଇ ବଡ଼ ସ୍କଚ୍ ଉତ୍ପାଦକ କମ୍ପାନୀ ଗ୍ରାହକ ମୂଲ୍ୟରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଇଣ୍ଡଷ୍ଟ୍ରି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିଆଜିଓ ର ୭୫୦ ମିଲିଲିଟର୍ ଜନି ୱାକର ବ୍ଲାକ୍ ଲେବଲର ଦାମ ପୂର୍ବରୁ ପ୍ରାୟ ୪,୨୫୦ ଟଙ୍କା ଥିବାବେଳେ ଏବେ କେତେକ ବଜାରରେ ପ୍ରାୟ ୩,୮୦୦ ଟଙ୍କାରେ ମିଳୁଛି। ଅର୍ଥାତ୍ ଏହାର ଦାମରେ ପ୍ରାୟ ୪୫୦ ଟଙ୍କା ହ୍ରାସ ପାଇଛି। ସେହିପରି J&Bର ଦାମ ମଧ୍ୟ ପ୍ରାୟ ୨,୩୦୦ ଟଙ୍କାରୁ କମି ୧,୭୦୦ ଟଙ୍କା ପାଖାପାଖି ହୋଇଛି।

ଚିଭାସ୍, ବାଲାଣ୍ଟାଇନର ଗ୍ଲେନଲିଭେଟ୍ (Chivas, Ballantine's ଓ Glenlivet) ମଧ୍ୟ ଶସ୍ତା ହୋଇପାରେ। ପର୍ଣ୍ଣଡ ରିକାର୍ଡ ମଧ୍ୟ ଚିଭାସ୍, ବାଲାଣ୍ଟାଇନ, ଗ୍ଲେନଲିଭେଟ୍ ଭଳି ବ୍ରାଣ୍ଡର ଦାମ କମାଇବା ପାଇଁ ସରକାରଙ୍କ ନିକଟରେ ଅନୁମୋଦନ ଲାଗି ଆବେଦନ କରିଥିବା ଇଣ୍ଡଷ୍ଟ୍ରି କାର୍ଯ୍ୟକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି। ସ୍ପିରିଚୁଆଲ ଲଗ୍ଜୁରି ଲିଭିଂର ପ୍ରତିଷ୍ଠାତା ସନ୍ଦୀପ ଆରୋରାଙ୍କ ମତରେ, ୟୁକେ ଏଫ୍‌ଟିଏ ଯୋଗୁ ବୋତଲରେ ବ୍ରିଟେନରୁ ଆମଦାନୀ ହେଉଥିବା ସ୍କଚ୍ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ପ୍ରଭାବ ପଡ଼ିବ। ଏହା ଭାରତୀୟ ହ୍ୱିସ୍କି ବଜାରର ପ୍ରତିଯୋଗିତାକୁ ମଧ୍ୟ ବଦଳାଇପାରେ।

ରାଜ୍ୟ ଅନୁସାରେ ଦାମ ଅଲଗା

ସ୍କଚ୍ ହ୍ୱିସ୍କିର ଦାମ ସାରା ଦେଶରେ ସମାନ ଭାବେ କମି ନାହିଁ। ରାଜ୍ୟ ଅନୁସାରେ ଏକ୍ସାଇଜ୍ ବ୍ୟବସ୍ଥା ଓ ମୂଲ୍ୟ ନିର୍ଦ୍ଧାରଣ ଭିନ୍ନ ଥିବାରୁ ଦାମରେ ମଧ୍ୟ ପାର୍ଥକ୍ୟ ରହିଛି। ଡିଆଜିଓ ପୂର୍ବରୁ ଏହାର ଅରିଜିନ ସ୍କଚ ଫୋର୍ଟଫୋଲିଓର ଦାମ ଜାତୀୟ ଭାବେ ୭ରୁ ୯ ପ୍ରତିଶତ କମିପାରେ ବୋଲି ଆକଳନ କରିଥିଲା। କିନ୍ତୁ କେତେକ ରାଜ୍ୟରେ ଦେଖାଯାଉଥିବା ୧୦ରୁ ୧୫ ପ୍ରତିଶତ ହ୍ରାସ ରାଜ୍ୟର ମୂଲ୍ୟ ଗଠନ ଓ କମ୍ପାନୀଗୁଡ଼ିକର ବ୍ୟବସାୟିକ ନିଷ୍ପତ୍ତି ସହ ଜଡ଼ିତ ବୋଲି କୁହାଯାଉଛି।

ଭାରତୀୟ ସିଙ୍ଗଲ୍ ମଲ୍ଟ ଉପରେ ପ୍ରଭାବ

ଆମଦାନୀକୃତ ସ୍କଚ୍ ହ୍ୱିସ୍କିର ଦାମ କମିବାରୁ ଭାରତୀୟ ପ୍ରିମିୟମ୍ ହ୍ୱିସ୍କି ବ୍ରାଣ୍ଡଗୁଡ଼ିକ ଉପରେ ମଧ୍ୟ ପ୍ରତିଯୋଗିତା ବଢ଼ିପାରେ। ଅମୃତ, ପଲ ଜନ ଓ ରାମପୁର ଭଳି ଭାରତୀୟ ସିଙ୍ଗଲ୍ ମଲ୍ଟ ବ୍ରାଣ୍ଡ ସହ ସ୍କଚ୍‌ ମୂଲ୍ୟ ପାର୍ଥକ୍ୟ କମିବାରୁ ବଜାରରେ ନୂଆ ପ୍ରତିଯୋଗିତା ଦେଖାଦେଇପାରେ।

ଅମୃତ ଡିଷ୍ଟିଲରିଜ୍‌ର କମ୍ପାନୀ ମୁଖ୍ୟ ରକ୍ଷିତ ଜଗଦାଲେ କହିଛନ୍ତି ଯେ, ଏହି ବ୍ରାଣ୍ଡଗୁଡ଼ିକ ସହ ପ୍ରତିଯୋଗିତା ପାଇଁ ମୂଲ୍ୟ ପୁନଃନିର୍ଦ୍ଧାରଣ ବିଚାର କରାଯାଇଛି। ତେବେ ଫେଷ୍ଟିଭ୍ ସିଜନ୍ ପରେ ବଜାରର ସ୍ଥିତି ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଦେଶର ବଡ଼ ହ୍ୱିସ୍କି ବଜାର ମଧ୍ୟରେ ରହିଥିବାବେଳେ ମହାରାଷ୍ଟ୍ର ଓ ହରିୟାଣା ସ୍କଚ୍ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବଜାର। ତେଣୁ ଏହି ରାଜ୍ୟଗୁଡ଼ିକରେ ଦାମ ହ୍ରାସର ପ୍ରଭାବ ଆଗାମୀ ଦିନରେ ପ୍ରିମିୟମ୍ ହ୍ୱିସ୍କି ବଜାରରେ ଅଧିକ ସ୍ପଷ୍ଟ ହୋଇପାରେ।

ପର୍ଣ୍ଣଡ ରିକାର୍ଡର ସଇଓ ଆଲେକ୍ସଜେଣ୍ଡର ରିକାର୍ଡ ମଧ୍ୟ ଅଗଷ୍ଟରେ କହିଥିଲେ ଯେ, ଏହି ଚୁକ୍ତି ମାଧ୍ୟମରେ କମ୍ପାନୀ ନିଜ ବ୍ରାଣ୍ଡଗୁଡ଼ିକୁ ଗ୍ରାହକଙ୍କ ପାଇଁ ଅଧିକ ସୁଲଭ କରିବା ସହ ବ୍ରିଟେନ୍ରୁ ନୂଆ ସ୍କଚ୍ ଉତ୍ପାଦ ଆଣିବା ଓ ନୂଆ ପ୍ରଡକ୍ଟ ଉପରେ ଗତି ବଢ଼ାଇବାକୁ ଯୋଜନା କରୁଛି।