ଭୁବନେଶ୍ୱର ୨୭।୦୪ : ତାତି ସିଝାଇ ଦେଉଥିଲା । ଦେହ ପୋଡ଼ି ପକାଉଥିଲା । ଲାଗୁଥିଲା ଯେମିତି ପାଖରେ ନିଆଁ ପିଣ୍ଡୁଳା ଥୁଆ ହୋଇଛି । ଝାରସୁଗୁଡ଼ାରେ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଚଳିତ ଗ୍ରୀଷ୍ମଋତୁରେ ଏହା ଥିଲା ରେକର୍ଡ ତାତି । ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ଥିଲା । ଏଭଳି ଅସହ୍ୟ ତାତିରେ ପୂରା ପଶ୍ଚିମ ଓଡ଼ିଶାବାସୀ ଛଟପଟ ହୋଇଥିଲେ । ଆସନ୍ତା ୩୦ ତାରିଖରୁ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ଯୋଗୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨୪ ତାରିଖରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ଥିଲା । ଆଜି ପୁଣି ତାତି ରେକର୍ଡ ଛୁଇଁଛି । ଆସନ୍ତା ଦୁଇରୁ ତିନି ଦିନ ଯାଏ ତାପମାତ୍ରାରେ ପରିବର୍ତ୍ତନର ବିଶେଷ ସମ୍ଭାବନା ନାହିଁ । ୩୦ ତାରିଖ ବା ଗୁରୁବାରଠାରୁ ତାତି ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨ ତାରିଖ ଯାଏ ତାତି ସାମୟିକ ଭାବେ କମିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Also Read:-Vaibhav Sooryavanshi Record: ସଚିନଙ୍କ ଠାରୁ କ୍ରିସ ଗେଲ, ସମସ୍ତେ ଫେଲ୍; ବୈଭବ ସୂର୍ଯ୍ୟବଂଶୀଙ୍କ ଏ ରେକର୍ଡ କେହି କରି ନଥିଲେ

ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ସୋମବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟିଲାଗଡ଼, ଭବାନୀପାଟଣା ଓ ରାଉରକେଲାରେ ତାତି ପୁଣି ୪୩ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରହିପାରେ । ୨୮ ତାରିଖରେ ବି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶା ଏଭଳି ତାତିରେ ଫୁଟିବ । କିନ୍ତୁ ୨୯ ତାରିଖରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗିପାରେ । ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏ ଖସିବ । ୩୦ ତାରିଖରେ ଆଉ ଟିକିଏ ଆଶ୍ୱସ୍ତି ମିଳିବ ଓ ତାତି ୪ ଡିଗ୍ରୀ ଯାଏ କମିପାରେ ।

୨୭ରୁ ୩୦ ତାରିଖ ଯାଏ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିପାରେ ବୋଲି ପୂର୍ବାନୁମାନରେ କୁହାଯାଇଛି । ୨ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବି ବର୍ଷା ଆଶଙ୍କା ଅଛି । ରବିବାର ସୋନପୁରରେ ୪୩.୭, ଟିଟିଲାଗଡ଼ରେ ୪୩.୬, ଭବାନୀପାଟଣାରେ ୪୩.୪, ବଲାଙ୍ଗୀରରେ ୪୩.୧, ବୌଦ୍ଧ ଓ ସମ୍ବଲପୁରରେ ୪୩, ସୁନ୍ଦରଗଡ଼ରେ ୪୨.୮, ରାଉରକେଲାରେ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଛି ।