Vaibhav Sooryavanshi Record: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ୍‌ରେ ସୂର୍ଯ୍ୟ ପରି ଏମିତି ଚମକୁଛନ୍ତି ଯେ ତାଙ୍କ ପ୍ରତିଭା ଆଗରେ ବଡ଼ ବଡ଼ କ୍ରିକେଟରଙ୍କ ରେକର୍ଡ ଏବେ ଫିକା ପଡ଼ିଲାଣି। ମୈଦାନରେ ଥିବା ପର୍ଯ୍ୟନ୍ତ ଛକା ଚୌକା ବର୍ଷା। ଆଖିପିଛୁଳାକେ ଅର୍ଦ୍ଧଶତକରୁ ଶତକ। ଖାଲି ଯାହା ଡବଲ ସେଞ୍ଚୁରିକୁ ଅପେକ୍ଷା।

ଆଇପିଏଲ୍‌ରେ ବି ସେମିତି ବିସ୍ଫୋରକ ବ୍ୟାଟିଂ କରି ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ସୂର୍ଯ୍ୟବଂଶୀ। ଗତକାଲି (୨୫/୪/୨୦୨୬) ଆଇପିଏଲ୍‌ରେ ସନରାଇଜର ହାଇଦ୍ରାବାଦରେ ବିରୁଦ୍ଧରେ ମାତ୍ର ୩୬ ବଲ୍‌ରେ ଶତକ ମାରି ଏମିତି ରେକର୍ଡ କରିଛନ୍ତି ଯାହା ପୂର୍ବରୁ କେହି କରି ନଥିଲେ। ଗତକାଲି ଏହି ସ୍କୋର କରି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଟି-୨୦ କ୍ରିକେଟରେ ଦ୍ରୁତ ୧୦୦୦ ରନ୍ ପୂରଣ କରିବାର ସବୁଠାରୁ କମ୍ ବୟସର ଖେଳାଳି ହୋଇଛନ୍ତି।

ଏହି ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୧୨ଟି ଛକ୍କା ଓ ୫ଟି ଚୌକା ମାରି ଚଳିତ ଆଇପିଲରେ ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହି ସଫଳତା ସହ ସେ ଟି-୨୦ ଫର୍ମାଟ୍‌ରେ ୪୭୩ ବଲ୍‌ରେ ଦ୍ରୁତ ୧୦୦୦ ରନ ପୂରା କରିପାରିଥିଲେ। ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମିଶେଲ ଓଭେନଙ୍କ ନାଁରେ ଥିଲା। ସେ ମାତ୍ର ୫୩୩ ବଲ୍‌ରୁ ୧୦୦୦ ରନ୍ ପୂରା କରିଥିଲେ।

Also Read- KL Rahul Century: ଦ୍ରୁତତମ ଶତକ ମାରିଲେ କେଏଲ ରାହୁଲ, ଭାଙ୍ଗିଲେ ୩ ବଡ଼ ରେକର୍ଡ

ଆଇପିଏଲ୍ ଇତିହାସରେ ତୃତୀୟ ଦ୍ରୁତ ଶତକ

କେବଳ ସେତିକି ନୁହେଁ, ଗତକାଲି ବୈଭବ ମାରିଥିବା ଶତକ ଆଇପିଏଲ୍ ଇତିହାସର ତୃତୀୟ ଦ୍ରୁତତମ ଶତକ ଥିଲା। ଏହା ପୂର୍ବରୁ ଗତବର୍ଷ ସେ ନିଜେ ହିଁ ୩୫ ବଲ୍‌ରେ ଶତକ ମାରି ଦ୍ୱିତୀୟ ଦ୍ରୁତ ଶତକ ହାସଲକାରୀ ହୋଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୪ ବର୍ଷ। ତେବେ ଆଇପିଏଲ୍ ଇତିହାସରେ କ୍ରିସ୍ ଗେଲ୍ ସବୁଠାରୁ ଦ୍ରୁତ ଶତକ ହାସଲ କରିଛନ୍ତି। ସେ ୨୦୧୩ରେ ମାତ୍ର ୩୦ ବଲ୍‌ରେ ଶତକ ମାରିଥିଲେ।

ପ୍ରଥମ ଓଭରରେ ହିଁ ୪ଟି ଚୌକା ମାରିଥିବା ସୂର୍ଯ୍ୟବଂଶୀ ଏହି ସଫଳତା ନେଇ କହିଛନ୍ତି “ ବେଶି କିଛି ଭାବିବାକୁ ପଡ଼ିଲା ନାହିଁ। ମୁଁ କେବଳ ବଲ୍ ହିସାବରେ ଖେଳି ଚାଲିଲି। ୱିକେଟ ଭଳ ଲାଗିଲା। ଏଥିପାଇଁ ମୁଁ ମୋ ନିଜ ଗେମ୍ ଉପରେ ଭରସା କଲି।”

ଭାରତୀୟ ସିନିୟର ଟିମରେ ଡେବ୍ୟୁ ପାଇଁ ଅପେକ୍ଷା କରିଥିବା ସୂର୍ଯ୍ୟବଂଶୀ ଆହୁରି କହିଛନ୍ତି “ମୁଁ ଭାବେ ବିପକ୍ଷରେ କେଉଁ ବୋଲରମାନେ ଅଛନ୍ତି, ମୁଁ ସେମାନଙ୍କ ବିରୁଦ୍ଧରେ କେଉଁ ସଟ୍ ଖେଳିପାରିବି ? ମୁଁ ସେ ସବୁକୁ ଭିଜୁଆଲାଇଜ୍ କରିବାକୁ ଚେଷ୍ଟା କରେ।”
୩୭ ବଲ୍‌ରେ ୧୦୩ ରନ୍
ଗତକାଲି ସୂର୍ଯ୍ୟବଂଶୀ ଜବରଦସ୍ତ ଇନିଂସ ଖେଳିବା ସତ୍ତ୍ୱେ ବି ସନ ରାଇଜର ହାଇଦ୍ରବାଦ ମ୍ୟାଚ୍ ଜିତି ଯାଇଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୨୮ ରନ୍ କରିଥିଲା। ଯେଉଁଥିରେ ସୂର୍ଯ୍ୟବଂଶୀ ୩୭ ବଲ୍‌ରେ ୧୦୩ ରନ୍ କରିଥିଲେ। ହାଇଦ୍ରାବାଦ ୨୨୯ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ୫୭ ରନ୍ ଓ ଇଶାନ କିଶନ ୭୪ ରନ୍ କରିଥିଲେ।

ହାଇଦ୍ରାବାଦ ଏବଂ ରାଜସ୍ଥାନ, ଉଭୟ ୧୦ ପଏଣ୍ଟ ସହିତ, ଶୀର୍ଷ ଚାରିରେ ରହିଛନ୍ତି। ଏବଂ ପ୍ଲେଅଫକୁ ଉନ୍ନୀତ ହେବା ଦୌଡ଼ରେ ପଞ୍ଚମ ସ୍ଥାନରେ ଥିବା ଚେନ୍ନାଇ ଠାରୁ ୪ ପଏଣ୍ଟ ଆଗରେ ଅଛନ୍ତି। ତେବେ ଗତକାଲି ଆଉ ଏକ ହାଇଭୋଲ୍ଟେଜ ମ୍ୟାଚ୍ରେ ପଞ୍ଜାବ କିଂ ଜବରଦସ୍ତ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ର ବିଶାଳ ୨୬୫ ରନକୁ ସଫଳତାର ସହ ଚେଜ୍ କରିଥିଲା। ଏହି ବିଜୟ ସହ ପଞ୍ଜାବ କିଙ୍ଗ୍ସ ୧୩ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି