ବାରିପଦା: ଜୈବ ବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ଜଙ୍ଗଲରୁ ଆବିଷ୍କୃତ ହୋଇଛି ବିଛାର ଏକ ନୂତନ ପ୍ରଜାତି। ଏହି ବିରଳ ପ୍ରଜାତିର ନାମ ରଖାଯାଇଛି ‘ଲିଓଚେଲିସ୍ ସିମିଳିପାଲେନ୍ସିସ୍’ (Liocheles simlipalensis)। ଏହି ଆବିଷ୍କାର ସହ ଓଡ଼ିଶାର ପ୍ରାଣୀ ବିବିଧତା ଗବେଷଣା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ମହାରାଷ୍ଟ୍ରର ଠାକରେ ୱାଇଲ୍ଡଲାଇଫ୍ ଫାଉଣ୍ଡେସନ୍ (TWF)ର ଗବେଷକଙ୍କ ମିଳିତ ଉଦ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ସମ୍ଭବ ହୋଇଛି।

ପ୍ରଥମେ ଶିମିଳିପାଳର ବନ କର୍ମଚାରୀମାନେ ଏହି ବିରଳ ବିଛାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଏହାର ନମୁନାକୁ ବୈଜ୍ଞାନିକ ପରୀକ୍ଷା ଓ ଅଧ୍ୟୟନ ପାଇଁ ଠାକରେ ୱାଇଲ୍ଡଲାଇଫ୍ ଫାଉଣ୍ଡେସନକୁ ପଠାଯାଇଥିଲା। ବିସ୍ତୃତ ଗବେଷଣା ପରେ ଏହା ଏକ ସ୍ୱତନ୍ତ୍ର ନୂତନ ପ୍ରଜାତି ବୋଲି ସ୍ପଷ୍ଟ ହୋଇଥିଲା। ଗବେଷକ ସୌରଭ କିନିଙ୍ଗେ, ତେଜସ ଠାକରେ, ଅକ୍ଷୟ ଖାଣ୍ଡେକର ଏବଂ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ ତତ୍ତ୍ୱାବଧାନରେ ଏହି ଅଧ୍ୟୟନ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଗବେଷଣା ସନ୍ଦର୍ଭ ମଧ୍ୟ ପ୍ରକାଶ ପାଇଛି।

ନୂତନ ଆବିଷ୍କୃତ ବିଛାର ଶରୀରର ଲମ୍ବ ପ୍ରାୟ ୪୪ରୁ ୫୩ ମିଲିମିଟର ଅର୍ଥାତ୍ ପାଖାପାଖି ୫ ସେଣ୍ଟିମିଟର। ଏହାର ଶରୀର କଳା ରଙ୍ଗର ହୋଇଥିବାବେଳେ ଉପରିଭାଗରେ ରହିଛି ଏକ ଆକର୍ଷଣୀୟ ନୀଳ ଚମକ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧,୦୦୦ ମିଟର ଉଚ୍ଚତାରେ ଥିବା ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲର ପଥୁରିଆ ଅଞ୍ଚଳରୁ ଏହାର ସନ୍ଧାନ ମିଳିଛି। ଏହି ପ୍ରଜାତିର ଗୋଡ଼ର ତଳ ଭାଗରେ ଥିବା ସୂକ୍ଷ୍ମ କେଶ ସଦୃଶ ଗଠନ ବା ‘ସେଟେ’ (Setae) ଏବଂ ଶରୀରର ବିଭିନ୍ନ ଅଂଶର ଗଠନଗତ ବିଶେଷତ୍ୱ ଏହାକୁ ଅନ୍ୟ ପ୍ରଜାତିଠାରୁ ସ୍ୱତନ୍ତ୍ର କରିଛି। ବିଶେଷକରି ‘ଲିଓଚେଲିସ୍’ ବଂଶର ଅନ୍ୟ ୬ଟି ଜଣାଶୁଣା ପ୍ରଜାତିଠାରୁ ଏହାର ଭିନ୍ନତା ପ୍ରମାଣିତ ହୋଇଛି। ଏହି ଆବିଷ୍କାର ପରେ ଲିଓଚେଲିସ୍ ବଂଶର ଜଣାଶୁଣା ପ୍ରଜାତି ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସୂଚନା ମୁତାବକ, ଓଡ଼ିଶାରେ ପୂର୍ବରୁ ଏହି ବଂଶର ବିଛାର କୌଣସି ରେକର୍ଡ ନଥିଲା। ଏହି ବଂଶର ବିଛା ପୂର୍ବୋତ୍ତର ଭାରତର କେତେକ ଅଞ୍ଚଳରେ ଦେଖାଯାଉଥିବାବେଳେ ଶିମିଳିପାଳରୁ ମିଳିଥିବା ନୂତନ ପ୍ରଜାତି ଏବେ ବୈଜ୍ଞାନିକ ଗବେଷଣାରେ ନୂଆ ଦିଗ ଖୋଲିଛି। ଶିମିଳିପାଳର ନାମକୁ ଆଧାର କରି ଏହାର ନାମକରଣ କରାଯାଇଛି।

also read- ଦୁର୍ନୀତି ଅଭିଯୋଗରେ ମନୀଷା ମିଶ୍ର ବହିଷ୍କୃତ, ଆରଆଇଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଚେତାବନୀ

କେବଳ ବିଛା ନୁହେଁ, ଗତ ଦୁଇ ବର୍ଷ ଧରି ଶିମିଳିପାଳରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, କୀଟପତଙ୍ଗ, ପ୍ରଜାପତି ଓ ମାଛଙ୍କୁ ନେଇ ଗବେଷଣା ଜାରି ରହିଛି। ଆଗାମୀ ଦିନରେ ଏଠାରୁ ନୂତନ ପ୍ରଜାତିର ମାଛ, ପ୍ରଜାପତି ଏବଂ ଡ୍ରାଗନଫ୍ଲାଇ ସମ୍ପର୍କରେ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆସିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।