ମାଲକାନଗିରି ୦୨।୧୧ : ବାତ୍ୟା 'ମୁରାସୁ'ର ମୁକାବିଲା କରିବା ଲାଗି ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ । ବାତ୍ୟା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଭାରି ବର୍ଷା ହେବାର ସମ୍ଭାବନା ଥିବାରୁ ତିନି ଦିନ ଲାଗି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ।

ଖବର ଅନୁଯାୟୀ, ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଉଛି । ମୋଟୁ, ଗିରକାନପଲ୍ଲୀ, କାଙ୍ଗୁରୁକୋଣ୍ଡା ଓ କନ୍ୟାଶ୍ରମ ଠାରେ ଥିବା ବନ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ସୁଦ୍ଧା 600 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବନ୍ଯା ଆଶ୍ରୟ ସ୍ଥଳୀରେ ରଖାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଭୂସ୍ଖଳନ ହେବାର ଆଶଙ୍କା ଥିବା ପାହାଡିଆ ଅଞ୍ଚଳରୁ ଲୋକଙ୍କୁ ହଟାଯିବା ସହ ସେଠାରେ ବିଭାଗିୟ ଯନ୍ତ୍ରୀଙ୍କ ସହ ଜେସିବୀ ମେସିନ ପ୍ରସ୍ତୁତ ରହିଛି ।

Also Read:-ଆଜି ରାତିରେ ମାଡ଼ ହେବ ବାତ୍ୟା : ୧୩୦ କିମି ବେଗରେ ପବନ ! ଓଡ଼ିଶାରେ ପୁଣି ଜଳପ୍ରଳୟ ଆଶଙ୍କା

ସେହିପରି ବାତ୍ୟା ଓ ବନ୍ୟାର ମୁକାବିଲା କରିବା ଲାଗି ମାଲକାନଗିରି ଜିଲ୍ଲାରେ 8ଟି ଅଗ୍ନିଶମ ବାହିନି ପ୍ରସ୍ତୁତ ହୋଇ ରହିଛନ୍ତି। ଗର୍ଭବତୀ ମହିଳାଙ୍କୁ ମା ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜରୁରୀକାଳୀନ ସୁରକ୍ଷା ଲାଗି ଜିଲ୍ଲା ସଦର ଚିକିତ୍ସାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯାଇଛି। ମାଲକାନଗିରି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ।