ମାଲକାନଗିରି: ବିଦ୍ୟାଳୟରେ ତାଲା, ବାହାରେ ପାଠ ପଢିଲା ପିଲା । ଅଭିଭାବକ ଜିଦ୍ ପାଇଁ ଗାଁ ରାସ୍ତାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୯ ପ୍ରାଥମିକ ବିଦ୍ୟାଳୟରେ । ତିନି ମାସ ତଳେ ବିଦ୍ୟାଳୟରେ ଏକ ସମସ୍ୟା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ଶିକ୍ଷା ଅଧିକାରୀ ଅନ୍ୟତ୍ର ବଦଳି କରିଥିଲେ ।

ହେଲେ ପରୀକ୍ଷା ପରେ ଏବେ ବିଦ୍ୟାଳୟ ଖୋଲିଲା ବେଳକୁ ଜଣା ପଡିଛି ଯେ ବିଦ୍ୟାଳୟର ଆଡମିଶନ ରେଜିଷ୍ଟର, ଟିସି ରେଜିଷ୍ଟର ଓ ମଧ୍ୟାହ୍ନ ଭୋଜନ ଖାତା ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ ନେଇଯାଇଛନ୍ତି । ଫଳରେ ସପ୍ତମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ଟିସି ନପାଇବା ଯୋଗୁଁ ଉଇ ବିଦ୍ୟାଳୟରେ ନାମ ଲେଖାଇ ପାରୁନାହାନ୍ତି ଓ ବିଦ୍ୟାଳୟରେ ନୂଆ ଆଡମିଶନ ମଧ୍ୟ ହୋଇ ପାରୁନାହିଁ ।

ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ଅବିଭାବକ ମାନେ ଫୋନ କଲେ ମଧ୍ୟ ସେ ଫୋନ୍ ରିସିଭ କରୁନାହାନ୍ତି । ଯାହା ଫଳରେ ଅବିଭାବକ ମାନେ ରାଗି ଯାଇ ବିଦ୍ୟାଳୟରେ ତାଲା ପକାଇଛନ୍ତି । ଘଟଣା ସ୍ଥଳରେ ଶିକ୍ଷା ଅଧିକାରୀ ନ ପହଞ୍ଚିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅବିଭାବକ ମାନେ କହିଛନ୍ତି ।