ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ସୋମବାର ସେପ୍ଟେମ୍ୱର ୨୮ରେ ତିନି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଶୀର୍ଷ ଅଦାଲତରେ ଜଜ୍ ନିଯୁକ୍ତ କରିବା ପାଇଁ ସୁପାରିଶ କରିଥିଲେ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଗାତ ପ୍ରସ୍ତାବ ଅନୁସାରେ, କଲେଜିୟମ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୁନୀତା ଅଗ୍ରୱାଲଙ୍କୁ ଶୀର୍ଷ ନ୍ୟାୟାଳୟରେ ନିଯୁକ୍ତ କରିବା ପାଇଁ ସୁପାରିଶ କରିଛନ୍ତି । ତାଙ୍କ ସହିତ କଲେଜିୟମ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅପରେଶ କୁମାର ସିଂହଙ୍କୁ ସୁପ୍ରିମକୋର୍ଟରେ ନ୍ୟାୟଧୀଶ ନିଯୁକ୍ତ କରିବା ପାଇଁ ସୁପାରିଶ କରିଛନ୍ତି ।

ଏହି ସୁପାରିଶ ସୋମବାର ହୋଇଥିବା କଲେଜିୟମ ବୈଠକରେ କରାଯାଇଛି । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବ୍ୟତିତ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି.ଭି. ନାଗରତ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ଏସ୍.ନରସିହ୍ମା ସୁପ୍ରିମକୋର୍ଟ କଲେଜିୟମର ସଦସ୍ୟ ଅଛନ୍ତି । ଅନ୍ୟପଟେ କଲେଜିୟମର ଏହି ସୁପାରିଶ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଅଭିଯୋଗ ରହିଛି ଯେ ଜଜଙ୍କ ବରିଷ୍ଠତା ତାଲିକାକୁ ଅଣଦେଖା କରି ଏହି ବିଚାରପତିଙ୍କ ନାଁ ସୁପାରିଶ କରାଯାଇଛି ।

କଲେଜିୟମର ଏହି ସୁପାରିଶ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକମାନେ ସାମିଲ ଅଛନ୍ତି । ପୂର୍ବତନ ପ୍ରଶାସକ ଆଶିଷ ଯୋଶୀ ସୋସିଆଲ ମିଡିଆ ଏକ୍ସରେ ସୁପ୍ରିମକୋର୍ଟ କଲେଜିୟମର ଏହି ସୁପାରିଶ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି, "ବରିଷ୍ଠତାରେ ପରିବର୍ତ୍ତନ ହେଉଛି ଅନୁଷ୍ଠାନିକ କ୍ଷୟ ।" ସାମ୍ବାଦିକ ମନୀଷ ଛିବ୍ବରଙ୍କ ଏକ ପୋଷ୍ଟକୁ ସେୟାର କରି ସେ ଲେଖିଛନ୍ତି, "ଯେତେବେଳେ କଲେଜିୟମ୍ ଅଲ୍-ଇଣ୍ଡିଆ ସିନିୟରିଟିରେ ଟପ୍ ତିନି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଛାଡ଼ି ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ନମ୍ବରର ବିଚାରପତିଙ୍କୁ ପଦୋନ୍ନତି ଦିଅନ୍ତି, ସେତେବେଳେ ଏହା ଦେଶର ପ୍ରତ୍ୟେକ ବିଚାରପତିଙ୍କୁ ଏହି ସନ୍ଦେଶ ଦିଏ ଯେ ବନ୍ଦ ଦ୍ୱାର ପଛରେ ସିନିୟରିଟି, ସେବା ଏବଂ ଆଶାର କୌଣସି ମୂଲ୍ୟ ରହେନାହିଁ । ଆପଣ ନ୍ୟାୟପାଳିକାର ସ୍ୱାଧୀନତା କଥା ତ କହୁଛନ୍ତି, କିନ୍ତୁ ସେହି ଅପାରଦର୍ଶୀ ଓ ପକ୍ଷପାତିତାକୁ ଆପଣାଉଛନ୍ତି ଯାହାକୁ ଆପଣ ଅନ୍ୟ ଅନୁଷ୍ଠାନଗୁଡ଼ିକରେ ସମାଲୋଚନା କରନ୍ତି ।"

 

ଯୋଶୀ ଆହୁରି ଲେଖିଛନ୍ତି, "ସେନା, ସିଭିଲ୍ ସର୍ଭିସ୍ ଏବଂ ନ୍ୟାୟପାଳିକାରେ କାହାକୁ ଅଣଦେଖା କରି ତାଙ୍କଠାରୁ ଜୁନିୟରଙ୍କୁ ପଦୋନ୍ନତି ଦେବା କୌଣସି ବି ବାହ୍ୟ ବିପଦଠାରୁ ଅଧିକ ଦ୍ରୁତ ଗତିରେ ମନୋବଳ ଭାଙ୍ଗିଦିଏ । ଯେତେବେଳେ ଲୋକେ ଏହା ବୁଝନ୍ତି ଯେ ଯୋଗ୍ୟତା ଏବଂ ବରିଷ୍ଠତା ଜରୁରୀ ନୁହେଁ, ସେତେବେଳେ ଅନୁଷ୍ଠାନ ଦକ୍ଷତା ବଦଳରେ ଆଜ୍ଞାକାରିତା ଆଧାରରେ ଲୋକଙ୍କୁ ବାଛିବା ଆରମ୍ଭ କରେ । ଏହିଭଳି ଭାବେ ଅନୁଷ୍ଠାନଗୁଡ଼ିକ ଭିତରୁ ଫମ୍ପା ହୋଇଯାଆନ୍ତି । ପ୍ରତ୍ୟେକ ସୁପରସେସନ୍ (ବରିଷ୍ଠତାକୁ ଏଡ଼ାଇବା) ପାଇଁ ସ୍ପଷ୍ଟ ଏବଂ ରେକର୍ଡ ହୋଇଥିବା କାରଣ ଦର୍ଶାନ୍ତୁ, ନଚେତ୍ ଏହି ପ୍ରକ୍ରିୟା ସ୍ୱଚ୍ଛ ବୋଲି ଦେଖାଇବା ନାଟକ ବନ୍ଦ କରନ୍ତୁ । ନୀରବତା ସ୍ୱାଧୀନତା ନୁହେଁ, ଏହା କେବଳ ଉତ୍ତରଦାୟିତ୍ୱ ନଥିବା କ୍ଷମତା।"

ନମ୍ବର ୧,୨ ଏବଂ ୩ ଅଣଦେଖା

ତାଙ୍କ ପୂର୍ବରୁ ଛିବ୍ବର ଏହି ପ୍ରସଙ୍ଗ ଉଠାଇ ଏକ୍ସରେ ଲେଖିଥିଲେ, "ସୁପ୍ରିମକୋର୍ଟ କଲେଜିୟମ୍ ୩ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପ୍ରମୋଟ୍ କରିବା ପାଇଁ ସେମାନଙ୍କ ନାଁ ସୁପାରିଶ କରିଛନ୍ତି । କୌତୁହଳର ବିଷୟ ହେଉଛି, ଅଲ୍ ଇଣ୍ଡିଆ ସିନିୟରିଟି ହିସାବରେ ନମ୍ବର ୧, ୨ ଏବଂ ୩ଙ୍କୁ ଅଣଦେଖା କରାଯାଇଛି, ନମ୍ବର ୪, ୫ ଏବଂ ୬ରେ ଥିବା ନାଁଗୁଡ଼ିକୁ ସୁପାରିଶ କରାଯାଇଛି ।"

ସୂଚନାଯୋଗ୍ୟ, ଯଦି କେନ୍ଦ୍ର ସରକାର ଏହି ସୁପାରିଶଗୁଡ଼ିକୁ ଗ୍ରହଣ କରନ୍ତି, ତେବେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ ହୋଇଯିବ । ମହିଳା ବିଚାରପତିଙ୍କ ସଂଖ୍ୟା ମଧ୍ୟ ଦୁଇରୁ ବୃଦ୍ଧି ପାଇ ତିନି ହୋଇଯିବ । ସୁପ୍ରିମକୋର୍ଟରେ ସିଜେଆଇଙ୍କ ସମେତ ସର୍ବାଧିକ ୩୮ ଜଣ ବିଚାରପତି ରହିପାରିବେ ।