ନୂଆଦିଲ୍ଲୀ ୧୬।୨: ସୁପ୍ରିମକୋର୍ଟ ସୋମବାର ଦୁଷ୍କର୍ମ ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୂଇୟାଁଙ୍କ ବେଞ୍ଚ କହିଛନ୍ତି ଯେ ଆମେ ବୁଝି ପାରୁନୁ ଜଣେ ଯୁବକ ଓ ଜଣେ ଯୁବତୀ ବିବାହ ପୂର୍ବରୁ କିପରି ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି। ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ‘ହୁଏତ ଆମ ଭାବନା ପୁରୁଣାକାଳିଆ ହୋଇପାରେ ହେଲେ ଯେଉଁ ପର୍ଯ୍ୟନ୍ତ ବିବାହ ନ ହୋଇଛି ସେ ପର୍ଯ୍ୟନ୍ତ ଯୁବକ ଓ ଯୁବତୀ ପରସ୍ପର ନିମନ୍ତେ ଅଜଣା। କାହା ଉପରେ ବି ଭରସା କରିବା କଥା ନୁହଁ’।

ଜଷ୍ଟିସ୍ ନାଗରତ୍ନା ଓ ଜଷ୍ଟିସ୍ ଭୂଇୟାଁଙ୍କ ବେଞ୍ଚ ଏକ ଜାମିନ ଆବେଦନର ବିଚାରରେ ଏହା କହିଛନ୍ତି, ଯେଉଁଥିରେ ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନା କରିଥିବାର ଅଭିଯୋଗ ରହିଛି। ସେହିପରି ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିବାହିତ ଥାଇ ଅନ୍ୟ ମହିଳାଙ୍କ ସହିତ ବିବାହ କରିଥିବାର ଅଭିଯୋଗ ମଧ୍ୟ ରହିଛି।

ପୁରା ମାମଲା କ’ଣ?
ସରକାରୀ ଓକିଲଙ୍କ ଅନୁସାରେ ପାଖାପାଖି ୩୦ ବର୍ଷ ବୟଷ୍କା ଜନୈକ ଯୁବତୀ ୨୦୨୨ ମସିହାରେ ଏକ ମେଟ୍ରୋମନିୟାଲ ସାଇଟରେ ଯୁବକଙ୍କୁ ଭେଟିଥିଲେ। ଅଭିଯୋଗ ହୋଇଛି ଯେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଅନେକବାର ଦିଲ୍ଲୀ ଓ ମୁମ୍ବାଇ ଡକାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ କହିଛନ୍ତି ଯୁବକଙ୍କ କହିବା ଅନୁସାରେ ଦୁବାଇ ମଧ୍ୟ ଯାଇଥିଲେ। ସେଠାରେ ତାଙ୍କ ସହମତି ବିନା ଅଭିଯୁକ୍ତ ତାଙ୍କର ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲା ଓ ବିରୋଧ କରିବାରୁ ଭାଇରାଲ କରିବାର ଧମକ ଦେଇଥିଲା। ଅଭିଯୋଗକାରିଣୀ ପରେ ଜାଣିବାକୁ ପାଇଥିଲେ ଅଭିଯୁକ୍ତ ୧୯ ଜାନୁୟାରୀ ୨୦୨୪ରେ ପଞ୍ଜାବରେ ଦ୍ୱିତୀୟ ବିବାହ କରିସାରିଥିଲା।

ଏହି ମାମଲାରେ ନିମ୍ନ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତର ଜାମିନ ନିବେଦନ ଖାରଜ କରିଦେଇଥିଲେ। ହାଇକୋର୍ଟ କହିଥିଲେ ଅଭିଯୁକ୍ତ ପକ୍ଷରୁ ଦିଆଯାଇଥିବା ବିବାହ ପ୍ରତିଶ୍ରୁତି ପ୍ରଥମରୁ ମିଥ୍ୟା ଥିଲା, କାରଣ ସେ ପୂର୍ବରୁ ବିବାହିତ ଥିଲା। ହାଇକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ଅଭିଯୁକ୍ତ ସୁପ୍ରିମକୋର୍ଟରେ ଆବେଦନ କରିଛି।

ବିଚାରପତି ପଚାରିଲେ ବିବାହ ପୂର୍ବରୁ ଯୁବତୀ ଦୁବାଇ କାହିଁକି ଯାଇଥିଲେ?
ଜଷ୍ଟିସ୍ ନାଗରତ୍ନା ପ୍ରଶ୍ନ କରିଛନ୍ତି ଯେ ଯୁବକ କଥାରେ ଯୁବତୀ ଦୁବାଇ କାହିଁକି ଯାଇଥିଲେ?ଏଥିରେ ସରକାରୀ ଓକିଲ କହିଛନ୍ତି ଯେ ଦୁଇ ଜଣ ବିବାହ ଲାଗି ପ୍ଲାନିଂ କରୁଥିଲେ। ଏଥିରେ ବିଚାରପତି ପ୍ରଶ୍ନ କରିଛନ୍ତି ଯେ ଯଦି ଯୁବତୀ ବିବାହକୁ ନେଇ ଏତେ ସିରିୟସ ଥିଲେ ତେବେ ତାଙ୍କୁ ବିବାହ ପୂର୍ବରୁ ଦୁବାଇ ଯିବାର ନଥିଲା। ଜଷ୍ଟିସ୍ ନାଗରତ୍ନା କହିଛନ୍ତି ଯେ ଏହା ଏପରି ମାମଲା ନୁହେଁ ଯାହା ଉପରେ ମୋକଦ୍ଦମା ଚାଲି ପାରିବ ଓ ଦୋଷୀକୁ ଦଣ୍ଡ ଦିଆଯାଇ ପାରିବ। କାରଣ ସମ୍ପର୍କ ପାରସ୍ପରିକ ସହମତିରେ ହୋଇଥିଲା। ଏଣୁ କୋର୍ଟ ଅଭିଯୁକ୍ତଙ୍କ ଓକିଲଙ୍କୁ ଯୁବତୀଙ୍କୁ କ୍ଷତିପୂରଣ ଦେଇ ମାମଲାକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବେଞ୍ଚ ଯୁବତୀଙ୍କ ଓକିଲଙ୍କୁ ବୁଝାମଣାର ସମ୍ଭାବନା ଖୋଜିବାକୁ କହିଛନ୍ତି ଓ ଉଭୟ ପକ୍ଷଙ୍କ ବିଚାର ଜାଣିବା ପାଇଁ ମାମଲାର ଶୁଣାଣି ୧୮ ଫେବୃଆରୀ ବୁଧାବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ନାଗରତ୍ନା ଏହା ପୂର୍ବରୁ ୨୪ ନଭେମ୍ବର ୨୦୨୫ରେ ତାଙ୍କର ଏକ ରାୟରେ କହିଥିଲେ ଯେ ଦୀର୍ଘ ସମୟ ଧରି ସହମତିରେ ଥିବା ସମ୍ପର୍କ ଯଦି ଭାଙ୍ଗି ଯାଏ, ବିବାହ ନ ହୁଏ ଏପରି ପରିସ୍ଥିତିରେ ଏହାକୁ ଦୁଷ୍କର୍ମ ମନେ କରାଯାଇ ପାରିବନି।

ଏହା ବି ପଢନ୍ତୁ:-୧୯୯୩ ମୁମ୍ବାଇ ସିରିୟେଲ ବ୍ଲାଷ୍ଟ ମାମଲା, ଗ୍ୟାଙ୍ଗଷ୍ଟର ଅବୁ ସଲେମକୁ ସୁପ୍ରିମକୋର୍ଟଙ୍କ ଝଟକା