ନୂଆଦିଲ୍ଲୀ : ହିନ୍ଦୁ ସନାତନ ଧର୍ମରେ କୌଣସି ପୂଜା, ବ୍ରତ, ଯାଗଯଜ୍ଞ ବା ଅନ୍ୟାନ୍ୟ ଯେକୌଣସି ଧର୍ମ ଅନୁଷ୍ଠାନ କରିବା ପୂର୍ବରୁ କର୍ତ୍ତା ବା କର୍ତ୍ତୀ ସଂକଳ୍ପ କରିବାର ନିୟମ ରହିଛି । କୌଣସି ପୂଜା, ବ୍ରତ, ଯଜ୍ଞ କିମ୍ବା ଧାର୍ମିକ ଅନୁଷ୍ଠାନ ଆରମ୍ଭ କରିବା ପୂର୍ବରୁ ନିଜର ମନୋସ୍କାମନା, ଉଦ୍ଦେଶ୍ୟ ଓ ଭକ୍ତିଭାବକୁ ଈଶ୍ୱରଙ୍କ ସମ୍ମୁଖରେ ବ୍ୟକ୍ତ କରିବାକୁ ସଂକଳ୍ପ କୁହାଯାଏ। ବିନା ସଂକଳ୍ପରେ କରାଯାଉଥିବା ଧାର୍ମିକ କାର୍ଯ୍ୟ ଶୁଭଦାୟକ ହୁଏ ନାହିଁ । ବିନା ସଂକଳ୍ପରେ ପୂଜାବ୍ରତ ବି ଅଧୁରା। ବିନା ସଂକଳ୍ପରେ କରାଯାଉଥିବା ପୂଜାର ସମ୍ପୂର୍ଣ୍ଣ ଫଳ ଦେବରାଜ ଇନ୍ଦ୍ର ନେଇଯାଆନ୍ତି ବୋଲି ଶାସ୍ତ୍ର ଉଲ୍ଲେଖ ରହିଛି। ନିତିଦିନିଆ ସାମାନ୍ୟ ପୂଜା ହେଉ ଅବା ଯାଗଯଜ୍ଞ ପରି ବଡ଼ ଧାର୍ମିକ ଅନୁଷ୍ଠାନ, ସବୁଥିରେ ପ୍ରାରମ୍ଭରେ ସଂକଳ୍ପ କରାଯିବା ଜରୁରୀ ଅଟେ। ସଂକଳ୍ପ ନେବା ସମୟରେ ହାତରେ ଜଳ, ଫୁଲ ଓ ଅକ୍ଷତ ଧରି ଶ୍ରୀଗଣେଶ ଏବଂ ନିଜ ଇଷ୍ଟଦେବତାଙ୍କୁ ସ୍ମରଣ କରାଯାଏ। ଏହା ମାଧ୍ୟମରେ ପୂଜା କିମ୍ବା ବ୍ରତ ନିର୍ବିଘ୍ନରେ ସମ୍ପନ୍ନ ହେବା ସହ ମନୋବାଞ୍ଛିତ ଫଳ ପ୍ରାପ୍ତି ପାଇଁ ପ୍ରାର୍ଥନା କରାଯାଏ।

ସଂକଳ୍ପ କ’ଣ ?

ଅଗ୍ରପୂଜ୍ୟ ଦେବତା ଶ୍ରୀଗଣେଶ, ନିଜ ଇଷ୍ଟଦେବତାଙ୍କୁ ସ୍ମରଣ କରି ମନେ ମନେ ପ୍ରାର୍ଥନା କରାଯାଏ ଯେ ଯେଉଁ ମନୋକାମନା ସହିତ ସମ୍ପୃକ୍ତ ପୂଜାବ୍ରତ କରାଯାଉଛି ତାହା ପୂରଣ ହେବା ସହିତ ପୂଜାଟି ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେଉ।

ସଂକଳ୍ପ ନେବାର ନିୟମ

ପୂଜାର୍ଚ୍ଚନା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ହାତରେ ଜଳ,ଫୁଲ, ଅକ୍ଷତ ଧରି ଶ୍ରୀଗଣେଶଙ୍କୁ ଧ୍ୟାନ କରାଯାଏ। ଶ୍ରୀଗଣେଶଙ୍କୁ ଧ୍ୟାନ କରାଯିବା ପଛରେ ବି କାରଣ ରହିଛି। ଭଗବାନ୍ ଗଣେଶ ସଂସାରର ପଞ୍ଚମହାଭୂତ ଯଥା- ବାୟୁ, ଅଗ୍ନି,ଜଳ, ପୃଥିବୀ ଏବଂ ଆକାଶର ଅଧୂପତି ଅଟନ୍ତି। ଥରେ ସଂକଳ୍ପ କରିବା ପରେ ଉକ୍ତ ଧର୍ମାନୁଷ୍ଠାନକୁ ଅଧାରେ ଛାଡ଼ି ଦିଆଯାଏ ନାହିଁ । ଏହାକୁ ସମ୍ପୂର୍ଣ୍ଣ କରିବାକୁ ହୁଏ । ନଚେତ ଦେବଦେବୀ ଅସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

Also Read- Surya Gochar 2026: ସୂର୍ଯ୍ୟ ଗୋଚରରୁ ହେବ ବୁଧାଦିତ୍ୟ ଯୋଗ, ଏହି ରାଶିଗୁଡ଼ିକର ଫିଟିବ ଭାଗ୍ୟ