ମୁମ୍ବାଇ ୨୨।୩: ଶିବସେନା (ଉଦ୍ଧବ) ନେତା ସଞ୍ଜୟ ରାଉତ ତାଙ୍କ ପୁସ୍ତକ ‘ନରକ ମେ ସ୍ୱର୍ଗ’ର ନୂଆ ସଂସ୍କରଣରେ ଦେଶର ପୂର୍ବତନ ଉପରାଷ୍ଟ୍ରପତିଙ୍କ ସମ୍ପର୍କିତ ଚାଞ୍ଚଲ୍ୟକର ରହସ୍ୟଉଦଘାଟନ କରିଛନ୍ତି। ରାଉତ ଏକ ସାମ୍ବିଧାନିକ ପଦରୁ ହୋଇଥିବା ଇସ୍ତଫ ପଛର ‘ଅଦୃଶ୍ୟ ରାଜନୀତି’କୁ ଉଜାଗର କରିଥିବା ଦାବି କରିଛନ୍ତି, ଯାହା ଏବେ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ଲଗାଇଛି। ରାଉତ ଦାବି କରିଛନ୍ତି ଯେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ୨୧ ଜୁଲାଇ ୨୦୨୫ରେ ‘ସ୍ୱାସ୍ଥ୍ୟଗତ’ କାରଣରୁ ଇସ୍ତଫା ଏକ ସ୍ୱଭାବିକ ଇସ୍ତଫା ନଥିଲା। ରାଉତ ତାଙ୍କ ପୁସ୍ତକରେ ଦାବି କରିଛନ୍ତି ଯେ ଏହା କୌଣସି ବାହ୍ୟ ଚାପର ପରିଣାମ ଥିଲା, ଯାହା ଏବେ ରାଜନୈତିକ ଅଳିନ୍ଦରେ ହଇଚଇ ସୃଷ୍ଟି କରିଛି।

ଧନଖଡ଼ଙ୍କୁ କାହିଁକି ମଗାଯାଇଥିଲା ଇସ୍ତଫା?
ପୁସ୍ତକରେ ଆରୋପ ଲଗାଯାଇଛି ଯେ ସରକାରଙ୍କୁ ଉପରାଷ୍ଟ୍ରପତିଙ୍କ ଅଧିକାରୀକ ବାସଭବନରୁ ସମ୍ଭାବିତ ସରକାର ବିରୋଧୀ ଗତିବିଦ୍ଧିର ସୂଚନା ମିଳିଥିଲା। ଏହି ସୂଚନା ପ୍ରାପ୍ତ ହେବାମାତ୍ରେ ସରକାର ତୁରନ୍ତ ସତର୍କ ହୋଇ ଯାଇଥିଲେ ଓ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ କହିଥିଲେ। ତେବେ ଧନଖଡ଼ ପ୍ରଥମେ ଇସ୍ତଫା ଦେବେ ନାହିଁ ବୋଲି ଜିଦ୍ ରେ ଅଡି ଯାଇଥିଲେ। ହେଲେ ସେ ପ୍ରବଳ ଚାପର ସମ୍ମୁଖୀନ ହୋଇ ନପାରି ଶେଷରେ ଚୁପଚାପ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କ ସହ ବିନା ବାକ୍ୟ ବିନିମୟରେ ଇସ୍ତଫା ପତ୍ର ଧରାଇ ଚାଲି ଆସିଥିଲେ।

ସିଧା ଉପରାଷ୍ଟ୍ରପତିଙ୍କ ଦ୍ୱାରକୁ ପହଞ୍ଚିଥିଲା ଇଡି
ସଞ୍ଜୟ ରାଉତ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଇସ୍ତଫା ଦେବା ପାଇଁ ଧନଖଡ଼ ରାଜି ନ ହେବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ଫାଇଲ ତାଙ୍କ ଆଗରେ ରଖି ଦିଆଯାଇଥିଲା। ଏହି ଫାଇଲ ଜୟପୁରରେ ଧନଖଡ଼ ଓ ତାଙ୍କ ପତ୍ନୀଙ୍କ ଦ୍ୱାରା ଘର ବିକ୍ରି ସମ୍ପର୍କିତ ଥିଲା। ଏହି ଘର ବିକ୍ରିରୁ ପ୍ରାପ୍ତ କିଛି ଅର୍ଥ କଥିତ ରୂପେ ବିଦେଶ ପଠାଯାଇଥିଲା। ତେବେ ଉପରାଷ୍ଟ୍ରପତିଙ୍କ ଘର ବିକ୍ରି କାରବାର ଉପରେ ଇଡିର ସିଧା ନଜର ଥିଲା।

ରାଜି କରିବା ପାଇଁ ସାମ୍ନାରେ ରଖ ଯାଇଥିଲା ଫାଇଲ
ପୁସ୍ତକରେ ଦାବି କରାଯାଇଛି ଯେ ଇଡି ଏହି ମାମଲାର ଏକ ଅଲଗା ଫାଇଲ ତିଆରି କରି ସିଧା ତତ୍କାଳୀନ ଉପରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନା କରିଥିଲା। ଏହା ପରେ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ସହ ସେ ତାଙ୍କ ସାମ୍ବିଧାନିକ ପଦବୀରୁ ତୁରନ୍ତ ଇସ୍ତଫା ଦେଇଥିଲେ। ସଞ୍ଜୟ ରାଉତଙ୍କ ପୁସ୍ତକରେ ଏପରି ଆରୋପ ରାଜନୈତିକ ମହଲରେ ବିବାଦର କାରଣ ହୋଇପାରେ। ତେବେ ଏ ନେଇ ଏ ପର୍ଯ୍ୟନ୍ତ କୌଣସି ପକ୍ଷରୁ ପ୍ରତିକ୍ରିୟା ଆସି ନାହିଁ।

ବିଜେପି ଉପରେ ବର୍ଷିଛନ୍ତି ରାଉତ
ସଞ୍ଜୟ ରାଉତ ଏହି ପୁରା ପ୍ରକରଣର ସନ୍ଦର୍ଭ ଦେଇ ଇଡି ଉପରେ କଡ଼ା ପ୍ରହାର କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଘଟଣାରେ ଯାଞ୍ଚ ଏଜେନ୍ସୀ ଉପରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦବୀ ନିକଟକୁ ପହଞ୍ଚି ଯାଇଥିଲା। ରାଉତ ତାଙ୍କ ପୁସ୍ତକରେ ଇଡିର ଏହି କାର୍ଯ୍ୟାନୁ୍ଷ୍ଠାନକୁ ଇତିହାସର କଳା ଫର୍ଦ୍ଦରେ ରହିବ ବୋଲି ଉଲ୍ଲେଖ କରିଛନ୍ତି ଓ ତଦନ୍ତକାରୀ ସଂସ୍ଥାଙ୍କୁ ବିଜେପିର ଏକ ଶାଖା ବୋଲି କହିବାକୁ ପଛେଇ ନାହାନ୍ତି।

ସଞ୍ଜୟ ରାଉତଙ୍କ ପୁସ୍ତତ କରିବ ହଙ୍ଗାମା
ସଞ୍ଜୟ ରାଉତଙ୍କ ପୁସ୍ତକ ‘ନରକ ମେଁ ସ୍ୱର୍ଗ’ର ହିନ୍ଦୀ ଓ ଇଂରାଜୀ ସଂସ୍କରଣର ବିମୋଚନ ମାର୍ଚ୍ଚ ୨୩ ତାରିଖରେ ହେବ। ଏହି ୨ ନୂଆ ସଂସ୍କରଣରେ ମୂଳ ମରାଠୀ ସଂସ୍କରଣ ତୁଳନାରେ ଚାରି ଅତିରିକ୍ତ ଅଧ୍ୟାୟ ସଂଯୁକ୍ତ କରାଯାଇଛି, ଯେଉଁଥିରେ ଅନେକ ରାଜନୈତିକ ଘଟଣାକ୍ରମ ଓ ପର୍ଦ୍ଦା ପଛର ରହସ୍ୟ ସବୁ ରହିଛି। ପୁସ୍ତକ ବଜାରକୁ ଆସିବା ପରେ ଏହାକୁ ନେଇ କ୍ରିୟା ପ୍ରତିକ୍ରିୟା ଆସିବାରେ ଲାଗିବ। ତେବେ ସଞ୍ଜୟ ରାଉତଙ୍କ ଦାବି ଉପରେ ଶାସକ ବିଜେପି ଓ ସମ୍ପର୍କିତ ଏଜେନ୍ସୀଙ୍କ ପ୍ରତିକ୍ରିୟାକୁ ଏବେ ଅପେକ୍ଷା କରାଯାଇଛି।