ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମାତ୍ର ୨୨ ବର୍ଷ ବୟସରେ ସେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ବର୍ତ୍ତମାନ ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ କରୁଥିବା ବେଳେ, ସଞ୍ଚିତାଙ୍କ ସହ-ଅଭିନେତ୍ରୀ ତଥା ଅନ୍ତରଙ୍ଗ ବାନ୍ଧବୀ ମେଘା ଶର୍ମା ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ମେଘାଙ୍କ କହିବା ଅନୁଯାୟୀ, ସଞ୍ଚିତା ଦୀର୍ଘ ଦିନ ହେବ ମାନସିକ ଅବସାଦ (Depression) ସହ ଲଢ଼ୁଥିଲେ ଏବଂ ଅନେକ ସମୟରେ ଜୀବନ ହାରିଦେବା କଥା କହୁଥିଲେ।

ସୂଚନାଯୋଗ୍ୟ ଯେ, ସଞ୍ଚିତା ନିଜର ଏକ ପୁରୁଣା ସାକ୍ଷାତକାରରେ ଗ୍ଲାମର ଦୁନିଆ ବା ଅଭିନୟ ଜଗତକୁ ଆସିବା ପରେ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ସେ ବିଷୟରେ ଆଲୋଚନା କରିଥିଲେ। ଅଳ୍ପ ବୟସରେ କେତେକ ପ୍ରସିଦ୍ଧ ସିରିଏଲ୍‌ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିଣିପାରିଥିଲେ। କିନ୍ତୁ ହଠାତ୍ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପରେ ତାଙ୍କ ପରିବାର ଓ ସାଙ୍ଗସାଥୀ ଗଭୀର ଦୁଃଢ଼ରେ ଅଛନ୍ତି। ସଞ୍ଚିତାଙ୍କ ମୃତ୍ୟୁ ପରେ ମେଘା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଏହି ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ଏବଂ ମୋ ପାଖରେ କହିବାକୁ ଭାଷା ନାହିଁ। ମୁଁ ଶୁଣିବାକୁ ପାଇଲି ଯେ, ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।

ଚାଲିଥିଲା ଚିକିତ୍ସା
ମେଘାଙ୍କ କହିବା ଅନୁଯାୟୀ, ସଞ୍ଚିତା କିଛି ଶାରୀରିକ ସମସ୍ୟା ଦେଇ ଗତି କରୁଥିଲେ ଏବଂ ଗତ ଜାନୁଆରୀ ମାସରୁ କେତେକ ବ୍ୟକ୍ତିଗତ କାରଣ ଯୋଗୁଁ ସେ ପ୍ରବଳ ମାନସିକ ଚାପ ଓ ଅବସାଦ ମଧ୍ୟରେ ଥିଲେ। ଏଥିପାଇଁ ତାଙ୍କର ଡାକ୍ତରୀ ଚିକିତ୍ସା ମଧ୍ୟ ଚାଲିଥିଲା। ସେ ସବୁବେଳେ ହସଖୁସିରେ ରହୁଥିଲେ । ମାତ୍ର ୧୦ ଦିନ ପୂର୍ବରୁ ମୁଁ ତାକୁ ଭେଟିଥିଲି ଏବଂ ଏକ ଅଡିସନ୍ ପାଇଁ ସାଙ୍ଗରେ ନେଇଯାଇଥିଲି। ସେଠାରେ ସେ ସିଲେକ୍ଟ ହୋଇଯିବ ବୋଲି ତା’ର ସମ୍ପୂର୍ଣ୍ଣ ଭରସା ଥିଲା, କିନ୍ତୁ ସେହି ଘଟଣାର କିଛି ଦିନ ପରେ ହଠାତ୍ ତା’ର ଫୋନ୍ ବନ୍ଦ ହୋଇଯାଇଥିଲା ।

ମେଘା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସଞ୍ଚିତା ପ୍ରାୟତଃ ନିଜ ଜୀବନ ଶେଷ କରିଦେବା କଥା କହୁଥିଲେ। ସେ ଏବଂ ସଞ୍ଚିତାଙ୍କ ମା’ଙ୍କ ସମେତ ସମ୍ପୂର୍ଣ୍ଣ ପରିବାର ତାଙ୍କୁ ସବୁବେଳେ ସକାରାତ୍ମକ (Positive) ରହିବାକୁ ବୁଝାଉଥିଲେ। ପରିବାର ଓ ବନ୍ଧୁମାନେ ତାଙ୍କୁ ଏହି ମାନସିକ ସ୍ଥିତିରୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ତାଙ୍କୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ପୋଲିସ ଏହି ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି।