ଜୌନପୁର: ଉତ୍ତର ପ୍ରଦେଶର ଜୌନପୁରରେ ବୁଧବାର ମାଞ୍ଜା ସୂତାରେ ଗଳା କଟିଯିବାରୁ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଚାଇନିଜ୍ ଗୁଡ଼ି ସୂତାରେ ତାଙ୍କର ଗଳା କଟିଯିବାରୁ ବିଚ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଡାକ୍ତର ସମୀର ହାସମୀ ବାଇକ୍ ଯୋଗେ ଜୌନପୁର ଯାଇଥିଲେ। ଫେରିବା ସମୟରେ, ଲାଇନ ବଜାର ଥାନା ଅଞ୍ଚଳର ପଛଟିଆ ନିକଟରେ ତାଙ୍କ ଗଳାରେ ଗୁଡ଼ି ପାଇଁ ବ୍ୟବହୃତ ଚାଇନିଜ୍ ମାଞ୍ଜା ସୂତା ଫସି ଯାଇଥିଲା। ସେ ରାସ୍ତାରେ ପଡ଼ି ଯାଇଥିଲେ ଏବଂ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଚାହୁଁ ଚାହୁଁ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ ସମୀର । ଲୋକମାନେ କୌଣସି ପ୍ରକାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କେରାକଟର ଶେଖଜାଦା ମୋହଲ୍ଲାର ବାସିନ୍ଦା ଏବଂ ଫିଜିଓଥେରାପିଷ୍ଟ ଡାକ୍ତର ସମୀର ହାସମୀ (୨୮) ସେହି ଅଞ୍ଚଳରେ ଏକ କ୍ଲିନିକ୍ ଚଳାଉଥିଲେ। ସେ ଜିଲ୍ଲା ହସ୍ପିଟାଲରେ କାହାକୁ ଭେଟିବାକୁ ଯାଉଛନ୍ତି ଏବଂ ଶୀଘ୍ର ଫେରି ଆସିବେ ବୋଲି ତାଙ୍କ ପରିବାରକୁ କହିଥିଲେ । ପରେ ସେ ଚାଲିଯାଇଥିଲେ। ସେ ପ୍ରାୟ ୧ ଟା ବେଳେ ଫେରୁଥିଲେ। ଯେତେବେଳେ ସେ ପଛଟିଆର ପ୍ରସାଦ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପହଞ୍ଚିଲେ, ତାଙ୍କ ବେକରେ ଫସି ଯାଇଥିଲା ମାଞ୍ଜା ସୂତା । ଫଳରେ ବାଇକ୍ ସହିତ ସେ ତଳେ ପଡ଼ିଯାଇଥିଲେ। ସେତେବେଳକୁ, ସୂତା ତାଙ୍କ ଗଳାକୁ କାଟି ଦେଇଥିଲା। ସମୀର ହାସମିଙ୍କ ଗଳାରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ ।

ନିଷିଦ୍ଧ ଚାଇନିଜ୍ ସୂତାରେ ଫସି ଡାକ୍ତର ସମୀର ହାସମୀଙ୍କ ମୃତ୍ୟୁ ହୋଇଛି । ମଝି ରାସ୍ତାରେ ଛଟପଟ ହୋଇ ଯୁବ ଡାକ୍ତରଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ସମୀରଙ୍କ ବେକରୁ ରକ୍ତର ଝରଣା ବୋହିଥିଲା ଏବଂ ସେ ନିରବୀ ଯାଇଥିଲେ । ଲୋକମାନେ ପୋଲିସକୁ ଖବର ଦେଇଥିଲେ ଏବଂ ଷ୍ଟେସନ ଅଫିସର ସତୀଶ ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ରକ୍ତ ଜୁଡୁବୁଡୁ ଡାକ୍ତର ସମୀର ହାସମୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ମାତ୍ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସମୟରେ ତାଙ୍କର ଜଣେ ପଡ଼ୋଶୀ ସମୀରଙ୍କୁ ଚିହ୍ନଟ କରି ତାଙ୍କ ପରିବାରକୁ ଜଣାଇଥିଲେ। କିଛି ସମୟ ପରେ, ତାଙ୍କ ବାପା ମୁକିମ ହାସମୀ ଏବଂ ତାଙ୍କ ବଡ଼ ଭାଇ ଜାଭେଦ ହାସମୀ ଡାକ୍ତରଖାନାରେ ପହଞ୍ଚିଥିଲେ।

ସମୀରଙ୍କ ଭାଇ ଜାଭେଦ ଜିଲ୍ଲା ହସ୍ପିଟାଲରେ ପହଞ୍ଚି ମୃତ ଭାଇକୁ ଦେଖି ଧୈର୍ଯ୍ୟହରା ହୋଇପଡ଼ିଥିଲେ । ମୃତ୍ୟୁବରଣ କରିଥିବା ଯୁବକ ଯେ, ତାଙ୍କର ସାନ ଭାଇ ସମୀର ସେ ବିଶ୍ବାସ କରିପାରିନଥିଲେ । ସେପଟେ କୋହ ଭରା କଣ୍ଠରେ ସମୀରଙ୍କ ବାପା କହିଥିଲେ, ପୁଅ ମୋର ବିବାହ କରିନଥିଲା । ସେ ବହୁତ ଭଲ ପିଲା ଥିଲା । ଚାଇନିଜ୍ ସୂତା ମୋ ପୁଅର ଜୀବନ ନେଇଗଲା ।