ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଅଗ୍ରଣୀ କମ୍ପାନି ଆନ୍ଥ୍ରୋପିକ ସେୟାର ମାର୍କେଟରେ ପାଦ ରଖିବା ସହିତ ଇତିହାସ ରଚିଛି । କମ୍ପାନିର ଆଇପିଓ ଏହାର କର୍ମଚାରୀଙ୍କ ଭାଗ୍ୟ ବଦଳାଇ ଦେଇଛି । ଏଠାରେ କାମ କରୁଥିବା ପ୍ରାୟ ୫୧୦୦ କର୍ମଚାରୀ ରାତାରାତି କୋଟିପତି ହୋଇଛନ୍ତି । ଏକ ରିପୋର୍ଟ ଅନୁସାରେ, ଅଫିସର ଏବେ ୯୬ ପ୍ରତିଶତ କର୍ମଚାରୀ ମିଲିୟନେୟର ଏବଂ 600 ଲୋକଙ୍କ ପାଖରେ 10 କୋଟି ଡଲାର ଅର୍ଥାତ୍ ପ୍ରାୟ 830 କୋଟି ଟଙ୍କା ମୂଲ୍ୟରୁ ଅଧିକ ସେୟାର ରହିଛି । କମ୍ପାନିର ମୋଟ ଭାଲ୍ୟୁଏସନ୍ ୧.୫ ଟ୍ରିଲିୟନ ଡଲାର ହୋଇଛି ।

ସିଏନଏନ ରିପୋର୍ଟ ଅନୁଯାୟୀ, ପ୍ରାଇଭେଟ୍ ଇକ୍ୱିଟି ମାର୍କେଟପ୍ଲେସ୍ ହିଲ୍ ଡଟ୍ କମରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ କମ୍ପାନିର ପ୍ରାୟ ୫୧୦୦ କର୍ମଚାରୀଙ୍କ ପାଖରେ ଥିବା ସେୟାର ମୂଲ୍ୟ ୧୦ ଲକ୍ଷ ଡଲାରରୁ ଅଧିକ ହୋଇଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୬୦୦ କର୍ମଚାରୀଙ୍କ ୧୦୦ ନିୟୁତ ବା ପ୍ରାୟ ୮୩୦ କୋଟିରୁ ଅଧିକ ମୂଲ୍ୟର ସେୟାର ରହିଛି ।

ଆନ୍ଥ୍ରୋପିକ ଏହାର ଆଇପିଓରେ ପ୍ରତି ସେୟାର ମୂଲ୍ୟ ୮୩ ଡଲାର ସ୍ଥିର କରିଥିଲା । ଆଇପିଓ ମାଧ୍ୟମରେ କମ୍ପାନୀ ୮୧.୩ ବିଲିୟନ ଡଲାର ସଂଗ୍ରହ କରିଥିଲା । ଗୁରୁବାର Nasdaqରେ ସେୟାର ୧୧୧.୫୦ ଡଲାରରେ ଡେବ୍ୟୁ ହୋଇଥିଲା, କିନ୍ତୁ କାରବାର ଶେଷ ବେଳକୁ ଏହା ୯୭.୧୭ ଡଲାରକୁ ହ୍ରାସ ପାଇଥିଲା । ଅଫର ମୂଲ୍ୟ କମ୍ପାନିର ମୂଲ୍ୟ ପ୍ରାୟ ୧.୫ ଟ୍ରିଲିୟନ ଡଲାର ବୋଲି ଦର୍ଶାଉଛି । କମ୍ପାନିର ଷ୍ଟକ୍-ଭିତ୍ତିକ କ୍ଷତିପୂରଣ ନୀତି କର୍ମଚାରୀଙ୍କ ରୋଜଗାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆନ୍ଥ୍ରୋପିକ ପ୍ରତିଭାବାନକୁ ଆକର୍ଷିତ କରିବା ଏବଂ ବଜାୟ ରଖିବା ପାଇଁ ଦରମା ସହିତ ସେୟାର ଦେବା ରଣନୀତି ଉପରେ କାମ କରୁଛି ।

୨୦୨୧ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନିରେ ୨୦୨୪ ଶେଷ ସୁଦ୍ଧା ପ୍ରାୟ ୯୪୦ ଜଣ କର୍ମଚାରୀ ଥିଲେ । ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୫,୩୦୦କୁ ବୃଦ୍ଧି ପାଇଛି । ପ୍ରାରମ୍ଭିକ କର୍ମଚାରୀମାନେ ସେତେବେଳେ ସେୟାର ପାଇଥିଲେ, କିନ୍ତୁ କମ୍ପାନିର ମୂଲ୍ୟ ସେତେବେଳେ ବହୁତ କମ୍ ଥିଲା । ଏବେ ଆଇପିଓ ପରଠାରୁ ସେମାନଙ୍କ ସେୟାରର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।