ନୂଆଦିଲ୍ଲୀ: ଆମେରିକାରେ ପାକିସ୍ତାନୀ ଛାତ୍ରଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧୀ ଦେଇଥିବା ଜବାବକୁ ନେଇ ଚର୍ଚ୍ଚା । ଚିକାଗୋ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନାକୁ ନେଇ ରାହୁଲ ଗାନ୍ଧୀ ସ୍ପଷ୍ଟ ମତ ଦେଇଛନ୍ତି । କେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନ ହେବ ଏବଂ ସ୍ଥିତିରେ ସୁଧାର ଆସିବ ବୋଲି ଜଣେ ପାକିସ୍ତାନୀ ଛାତ୍ର ରାହୁଲଙ୍କ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ସେ କହିଛନ୍ତି ଯେ, ପାକିସ୍ତାନ ପ୍ରଥମେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଉଚିତ । ତା’ପରେ ଯାଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇପାରିବ। ଭାରତରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ସବୁଠାରୁ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ପଟେ ଆମର ନିରୀହ ନାଗରିକମାନଙ୍କୁ ହତ୍ୟା କରାଯାଉଥିବା ବେଳେ ଅନ୍ୟପଟେ ପାକିସ୍ତାନ ସହ ଆଲୋଚନା ଜାରି ରଖିବା ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଯେଉଁ ମୁହୂର୍ତ୍ତରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ଦେବା ବନ୍ଦ କରିବ, ସେହି ସମୟରୁ ହିଁ ଶାନ୍ତିପୂର୍ଣ୍ଣ ଆଲୋଚନାର ବାଟ ଖୋଲିପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ଭାରତର ବର୍ତ୍ତମାନର ବୈଦେଶିକ ନୀତିକୁ ନେଇ ମଧ୍ୟ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ପାକିସ୍ତାନ ବର୍ତ୍ତମାନ ଇରାନ ଏବଂ ଆମେରିକା ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ଥିବା ବେଳେ ଭାରତ କେବଳ ନିରବଦ୍ରଷ୍ଟା ସାଜିଛି । 

ସ୍ୱାଧୀନତା ପରଠାରୁ ଭାରତର ଏକ ସ୍ୱତନ୍ତ୍ର ଏବଂ ପରିପକ୍ୱ ଭୂ-ରାଜନୈତିକ ବୁଝାମଣା ରହିଆସିଛି । ଯାହା ସର୍ବଦା ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ।ଭାରତର ବିଶାଳତା, ଇତିହାସ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଦୃଷ୍ଟିରୁ ବିଶ୍ୱସ୍ତରୀୟ ଆଲୋଚନାରେ ଭାରତର ପ୍ରମୁଖ ଭୂମିକା ରହିବା କଥା ବୋଲି ରାହୁଲ ମତ ଦେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ବର୍ତ୍ତମାନ ଭାରତ ମୁଖ୍ୟ ମଞ୍ଚରୁ ପଛକୁ ହଟି କେବଳ ଜଣେ ସାଇଡ୍ ପ୍ଲେୟାର ବା ଗୌଣ ଭୂମିକାରେ ରହିଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତର ନିଜସ୍ୱ ସ୍ୱର ଏବଂ ଦୃଷ୍ଟିକୋଣ ଥିଲେ ମଧ୍ୟ ଆଜି ତାହା ଦେଖିବାକୁ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ ।