ଭୁବନେଶ୍ୱର ୦୮।୧୧ : ୨୦୨୯ ସୁଦ୍ଧା ଓଡ଼ିଶାର ସବୁ ଗ୍ରାମ ପଞ୍ଚାୟତ ହେବ ଶିଶୁ ଶ୍ରମିକ ମୁକ୍ତ । ଶିଶୁଙ୍କ ହାତରୁ ଶ୍ରମର ବୋଝ ହଟାଇ ଶିକ୍ଷାର ଆଲୋକ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ବଡ଼ ଲକ୍ଷ୍ୟ । ଏଥିପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଏହି ଅଭିଯାନରେ ଏଯାଏଁ ୪୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅଭିଭାବକଙ୍କ ସହ ଆଲୋଚନା ପରେ ସେମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି । ଶ୍ରମ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଶିଶୁଙ୍କ ହାତରେ ରହିବ ବହି, ନିର୍ମାଣ ହେବ ଭବିଷ୍ୟତ । ଶିଶୁ ଶ୍ରମିକ ପ୍ରଥାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ୨୦୨୯ । ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ଦିଗରେ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଅକ୍ଟୋବର ୨ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଏଯାଏଁ ୪୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରି ସେମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି । ପୁରୀ ଓ ବାଲେଶ୍ୱର ଭଳି ଅଞ୍ଚଳରେ ଢାବାଗୁଡ଼ିକରେ ଚଢ଼ାଉ କରାଯାଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ।

Also Read:-Orangutans: ଇଣ୍ଡୋନେସିଆର ଦାବିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ଓରାଙ୍ଗଉଟାନ୍‌ଙ୍କୁ ଫେରାଇ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ

ଏନେଇ ଲୋକସେବା ଭବନ ସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଶ୍ରମ ନିର୍ଦ୍ଦେଶାଳୟର କ୍ଷେତ୍ରୀୟ ଅଧିକାରୀଙ୍କୁ ନେଇ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରମିକଙ୍କ ଅଧିକାର ସୁରକ୍ଷା, ଶିଶୁ ଶ୍ରମ ଉଚ୍ଛେଦ, ଦାଦନ ଶ୍ରମିକ ସମସ୍ୟାର ସମାଧାନ ଏବଂ ଶ୍ରମିକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏଥିସହ ଶ୍ରମ ବିଭାଗର କାର୍ଯ୍ୟାଳୟ ନିର୍ମାଣ, ପାରିଶ୍ରମ ପୋର୍ଟାଲ୍, ବିଭିନ୍ନ ଶ୍ରମ ଆଇନ ଏବଂ କଲ୍ୟାଣକାରୀ ବୋର୍ଡର କାର୍ଯ୍ୟ ସମୀକ୍ଷା ହୋଇଥିଲା । ଶ୍ରମିକଙ୍କ ଅଧିକାର ସୁରକ୍ଷା ସହ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଏବଂ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କେବଳ ଅଭିଯାନ ନୁହେଁ, ଏହାର ସଫଳତା ପାଇଁ ତଦାରଖ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପ୍ରତି ମାସ ୭ ତାରିଖରେ ଯୁଗ୍ମ ଶ୍ରମ କମିଶନରମାନେ, ୪ ତାରିଖରେ ପ୍ରଭାଗୀୟ ଶ୍ରମ କମିଶନରମାନେ ଏବଂ ପ୍ରତି ମାସ ୨ ଓ ୧୭ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀମାନେ ଅଧସ୍ତନ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିବେ । ଏହାଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିୟମିତ ତଦାରଖ ସୁନିଶ୍ଚିତ ହୋଇପାରିବ ।