ନୂଆଦିଲ୍ଲୀ: ମା’ ହେବା ପରେ ରେସଲିଂ ଦୁନିଆକୁ ଫେରିପାରୁ ନାହାନ୍ତି ରେସଲର ଭିନେଶ ଫୋଗଟ । ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଦେଉନାହିଁ ଭାରତୀୟ କୁସ୍ତି ମହାସଂଘ (WFI) । ଏଭଳି ଅଭିଯୋଗ କରି ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ । ଏହା ସହ ଏହି ମାମଲରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି ରେସଲର ସାକ୍ଷୀ ମଲିକ । ଭିଡିଓ ମାଧ୍ୟମରେ ସେ କହିଛନ୍ତି, ମାତୃତ୍ୱ ପରେ ମହିଳାମାନେ କ୍ରୀଡ଼ାକୁ ଫେରିବା ପାଇଁ ସାରା ବିଶ୍ୱରେ ନିୟମ କୋହଳ କରାଯାଉଛି, କିନ୍ତୁ ଭିନେଶଙ୍କ ପଥକୁ ଅବରୋଧ କରିବାକୁ ଚେଷ୍ଟା କରାଯାଉଛି ।

WFIର ତତ୍କାଳୀନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ନେଇ ବହୁ ଚର୍ଚ୍ଚିତ ଆନ୍ଦୋଳନ ସମୟରେ ସାକ୍ଷୀ ଭିନେଶଙ୍କ ଘନିଷ୍ଠ ସହଯୋଗୀ ଥିଲେ। ତଥାପି, ଭିନେଶ କଂଗ୍ରେସରେ ଯୋଗଦେବା ପରେ ଉଭୟ ଅଲଗା ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓରେ ସାକ୍ଷୀ କହିଛନ୍ତି, ‘ଏହି ପ୍ରସଙ୍ଗରେ ମୋତେ ମୋର ମତାମତ ପଚରାଯାଇଥିଲା, ଏବଂ ମୁଁ ଗତ ଦୁଇ କିମ୍ବା ତିନି ଦିନ ଧରି ଏହା ବିଷୟରେ ଚିନ୍ତା କରୁଛି । କାରଣ ଭିନେଶ ଏକ ରାଜନୈତିକ ଦଳର ବିଧାୟକ ଏବଂ ମୋର କୌଣସି ରାଜନୈତିକ ଦଳ ସହିତ ସମ୍ପର୍କ ନାହିଁ। କିନ୍ତୁ ମୁଁ ଆପଣଙ୍କୁ ଅନେକ ଉଦାହରଣ ଦେଇପାରିବି, ଯେଉଁଠାରେ ଦେଶଗୁଡ଼ିକ ସେମାନଙ୍କର ଖେଳାଳିମାନଙ୍କ ପାଇଁ ନିୟମକୁ କୋହଳ କରିଛନ୍ତି । ମହିଳାମାନେ ମା' ହେବା ପରେ ମଧ୍ୟ ଦେଶ ପାଇଁ ଖେଳିପାରିବେ ଏବଂ ପଦକ ଜିତିପାରିବେ।’

ପିଏମ ମୋଦୀଙ୍କୁ ଅପିଲ 

କହିଛନ୍ତି, ‘ଆମର ଫେଡେରେସନ ଏପରି ନିୟମ ବିଷୟରେ କଥା ହେଉଛି ଯାହା ଭିନେଶଙ୍କ ଫେରିବାକୁ ରୋକିବ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ WFIକୁ ଅନୁରୋଧ କରୁଛି ଯେ, ଭିନେଶଙ୍କ ପାଇଁ ଟ୍ରାଏଲ୍ କରାନ୍ତୁ । ଯାହା ଦ୍ଵାରା ସେ ମଧ୍ୟ ଦେଶ ପାଇଁ ପଦକ ଜିତିପାରିବେ ଏବଂ ମାଆ ହେବା ପରେ ସଫଳତା ହାସଲ କରି ମହିଳାମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିବେ।’

ସୂଚନାଯୋଗ୍ୟ, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରେ ନିର୍ଦ୍ଧାରିତ ଓଜନ ସୀମାଠାରୁ ୧୦୦ ଗ୍ରାମ ଅଧିକ ଓଜନ ହେବାରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ହୋଇଥିଲେ । ଏହା ପରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ। ପରେ ହରିୟାଣା ରାଜନୀତିରେ ପ୍ରବେଶ କରିଥିଲେ ଭିନେଶ । ସେହି ବର୍ଷ ଜୁଲାନା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ। ଏବେ, ସେ କୁସ୍ତିକୁ ଫେରିବାକୁ ଯାଉଛନ୍ତି ।

WFI ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ମଧ୍ୟ, ଗୋଣ୍ଡାରେ ଆୟୋଜିତ ନ୍ୟାସନାଲ ଓପନ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ଭିନେଶ ଫୋଗଟ । ଆଣ୍ଟି ଡୋପିଂ ନିୟମ ଅନୁଯାୟୀ, ଜାତୀୟ ଦଳକୁ ଫେରିବା ପୂର୍ବରୁ ରେସଲରଙ୍କୁ ୬ ମାସର ନୋଟିସ ପିରିୟଡ୍ରେ ରହିବା ଜରୁରୀ ବୋଲି WFI କହିଥିଲା । ୧୦ ମାସ ପୂର୍ବରୁ ମା’ ହୋଇଥିବା ଭିନେଶ, WFI ଏହି ନିୟମକୁ ଚ୍ୟାଲେଞ୍ଜ କରି ଓପନ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।