ନୂଆଦିଲ୍ଲୀ: ପ୍ଲାଏଦୁବାଇ ବିମାନକୁ ହାଇଜ୍ୟାକ ଉଦ୍ୟମ ଏବଂ ଭାରତୀୟ ପାଇଲଟ୍ ସ୍ମିଥ ମାଛରଙ୍କ ସାହସିକ କାର୍ଯ୍ୟ ମନରୁ ନ ଲିଭୁଣୁ ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରେ ହାଇଜ୍ୟାକ୍ ଉଦ୍ୟମ ହୋଇଛି। ଏହାର ସୂଚନା ମିଳିବା ମାତ୍ରେ ବିମାନକୁ ଜୟପୁର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ତେବେ କିଏ ଏବଂ କାହିଁକି ଏୟାର ଇଣ୍ଡିଆ ବିମାନକୁ ହାଇଜ୍ୟାକ କରିବାକୁ ଉଦ୍ୟମ କରୁଥିଲା ତାର ତଦନ୍ତ ଜାରି ରହିଛି। ବିମାନରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନି।

ଏୟାର ଇଣ୍ଡିଆର ଫ୍ଲାଇଟ AI 2030କୁ ନେଇ ଅହମ୍ମଦାବାଦ ଟ୍ରାପିକ କଣ୍ଟ୍ରୋଲ(ATC)କୁ ସକାଳ ୯ଟା ୫ରେ ଏମରଜେନ୍ସି ଆଲର୍ଟ ମିଳିଥିଲା। ଏହା ପରେ ବିମାନକୁ ଜୟପୁର ଡାଇଭର୍ଟ କରାଯାଇ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନଟି ଗତକାଲି ରାତି ୧୦ଟା ୪୫ରେ ଜର୍ମାନୀର ଫ୍ରାଙ୍କଫର୍ଟରୁ ଉଡ଼ାଣ ଭରିଥିଲା। ତେବେ ସୁରକ୍ଷା ଏଜେନ୍ସିର ଯାଞ୍ଚ ପରେ ଏହା ଗୁଜବ ଥିବା ଜଣା ପଡ଼ିଛି।

ଏୟାରପୋର୍ଟ ପହଞ୍ଚିଲେ ପୋଲିସ ଅଧିକାରୀ

ବିମାନର ଜରୁରୀକାଳୀନ ଅବତରଣ ପରେ ବିମାନ ବନ୍ଦରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏୟାରପୋର୍ଟ ପ୍ରୋଟୋକଲ ସହିତ ଜୟପୁର ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଟିମ୍ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଜସ୍ଥାନ ପୋଲିସର ଏଡିଜି ସମେତ ଅନେକ ପୋଲିସ ଅଧିକାରୀ ମଧ୍ୟ ଖବର ମିଳିବା ମାତ୍ରେ ତତକ୍ଷଣାତ ବିମାନ ବନ୍ଦରରେ ପହଞ୍ଚିଥିଲେ।

Also  Read: ମଝି ଆକାଶରେ ବଡ଼ ଅଘଟଣ, ଦୁବାଇର ବିମାନ ହାଇଜ୍ୟାକ ? ଇସ୍ରାଏଲରେ ଖେଳିଗଲା ଚାଞ୍ଚଲ୍ୟ

ପ୍ରାରମ୍ଭିକ ସୂତ୍ର ଅନୁସାରେ, ଯେବେ ବିମାନ ମୁମ୍ବାଇ ଫ୍ଲାଇଟ୍ ଇନଫର୍ମେସନ ରିଜନରେ ଥିଲା, ସେହି ସମୟରେ ପାଇଲଟ୍ ‘ସ୍କ୍ଵାଡ କୋଡ୍ ୭୫୦୦’ ବଟନ ଦବାଇଥିଲେ।ଏହା ବିମାନ ଭିତରକୁ ବେଆଇନ ଭାବେ ପଶିବା/ହାଇଜ୍ୟାକିଙ୍ଗର ସଙ୍କେତ ଦେଇଥାଏ। ଜୟପୁର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ବିମାନକୁ ଆଇସୋଲେସନ ପ୍ରକ୍ରିୟାକୁ ନିଆଯାଇଥିଲା।

ମାଲଭିୟ ନଗର ସହାୟକ କମିଶନର ଶିବ ଦୟାଲ କହିଛନ୍ତି, ବିମାନ ବନ୍ଦର କର୍ତ୍ତୃପତ୍ର ପୋଲିସକୁ ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ ବିଷୟରେ ସୂଚନା ଦେଇଥିଲେ। ଏହା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତଦନ୍ତ ପରେ ଏହା ଗୁଜବ ଥିବା ଜଣା ପଡ଼ିଛି।