ପୁରୀ ୨୬।୩: ପାରମ୍ପରିକ ନୃତ୍ୟ ବାଦ୍ୟରେ କମ୍ପୁଛି ଜାଗା ପରିସର। ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ। କଳାକାର ମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି। ଆସନ୍ତା ୨୭ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ। ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାର ମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ। ଏଣୁ ସାହିଯାତ ୨୦୨୬ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ୍ ଶ୍ରୀକ୍ଷେତ୍ର ହେଉଛି ବହୁ ପ୍ରାଚୀନ ସାଂସ୍କୃତିକ ପୀଠ। ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ପକ୍ଷରୁ କାହିଁ କେଉଁ କାଳରୁ ଶ୍ରୀରାମ ନବମୀ ଠାରୁ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଥିବା ସାହିଯାତ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ସମୟ ବହୁତ ବଦଳିଛି ସତ କିନ୍ତୁ ଶ୍ରୀକ୍ଷେତ୍ର ବାସୀ ତାଙ୍କ ପରମ୍ପରାକୁ ଭୁଲି ନାହାଁନ୍ତି। ଜାଗା ଆଖଡ଼ାର କଳାକାର ମାନେ ସାହିଯାତ ଅବସରରେ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହି ଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହେବ। ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏପଟେ ସାହି ଯାତ କୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ରାସ୍ତାଘାଟ ସଫେଇ, ମରାମତି, ଆଲୋକୀକରଣ ସହିତ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ।

Also Read:- ଏକାମ୍ର କ୍ଷେତ୍ର ରଥଦାଣ୍ଡରେ ରୁକୁଣା ରଥ, ବର୍ଷାରେ ଭିଜି ଭିଜି ଟାଣିଲେ ଶ୍ରଦ୍ଧାଳୁ

ଆସନ୍ତା ୨୭ ତାରିଖରେ ରାମନବମୀ ଅବସରରେ ରାମଜନ୍ମ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ୨୮ ରେ ଯଜ୍ଞ ରକ୍ଷା ନୀତି, ୨୯ ରେ ପର୍ଶୁରାମ କଳାହରଣ ଓ ସୀତା ବିବାହ, ୩୦ ରେ ରାମ ବନବାସ, ଏପ୍ରିଲ ୧ ରେ ସୀତା ଚୋରି, ୩ ରେ ଲଙ୍କା ପୋଡ଼ି, ୪ ରେ ସେତୁ ବନ୍ଧ ନୀତି ସହ ୫ ରେ ରାବଣ ବଦ୍ଧ ଏବଂ ୧୨ ତାରିଖରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ଅନୁଷ୍ଠିତ ହେବ।