ସହାରନପୁର:କଳିଯୁଗର କ୍ରୂର ବାସ୍ତବତା । ଯେଉଁ ବାପା ଦିନେ ପୁଅକୁ କୋଳେଇ କାଖେଇ ମଣିଷ କରିଥିଲେ, ଆଜି ସେହି ପୁଅ ସାମାନ୍ୟ ସମ୍ପତ୍ତି ପାଇଁ ଜନ୍ମକଲା ବାପାକୁ ମାରିବାକୁ ବି ପଛେଇନି। ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରୁ ଏଭଳି ଏକ ମାନବିକତାକୁ ଦୋହଲାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସିସିଟିଭିରେ କଏଦ ହେଲା ପୁଅର ବର୍ବରତା

ସହାରନପୁରର କୁତୁବଶେର ଥାନା ଅନ୍ତର୍ଗତ ମାନକମଉ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜଣେ ୭୨ ବର୍ଷୀୟ ବୃଦ୍ଧ ବାପା (ହାଜି ତହସୀନ) ନିଜ ଘର ବାହାରେ ଥିବା ଗଳିରେ ଏକ ଚେୟାର ଉପରେ ବସିଥିଲେ। ଏହି ସମୟରେ ତାଙ୍କ ପୁଅ ସେଠାରେ ପହଞ୍ଚି ହଠାତ ତାଙ୍କ ଉପରେ ଚାପୁଡ଼ା ଓ ବିଧା ବର୍ଷା କରିବାକୁ ଲାଗିଲା। ବୃଦ୍ଧ ବାପାଙ୍କ ବୟସ ଏବଂ ଅସହାୟତାକୁ ଖାତିର ନକରି ପୁଅ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କ ବେକ ଚିପି ମାରିଦେବାକୁ ଚେଷ୍ଟା କରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମ୍ପୂର୍ଣ୍ଣ ଦୃଶ୍ୟ ପାଖରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା।

ସୋସିଆଲ ମିଡିଆରେ ୟୁଜର୍ସଙ୍କ ତୀବ୍ର ଅସନ୍ତୋଷ

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ପ୍ରବଳ ଜନଆକ୍ରୋଶ ଦେଖିବାକୁ ମିଳିଛି। ସାମାଜିକ ମୂଲ୍ୟବୋଧ ଏବଂ ପାରିବାରିକ ସମ୍ପର୍କର ଅବକ୍ଷୟକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ଲୋକେ ଏବଂ ସୋସିଆଲ ମିଡିଆ ୟୁଜର୍ସ ଉତ୍ତର ପ୍ରଦେଶ ପୁଲିସକୁ ଟ୍ୟାଗ୍ କରି ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଆକ୍ସନ ମୋଡ୍ରେ ପୁଲିସ, ଅଭିଯୁକ୍ତ ପୁଅ ଗିରଫ

ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିବା ପରେ କୁତୁବଶେର ଥାନା ପୁଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଥିଲା। ପୁଲିସ ଭିଡିଓ ଆଧାରରେ ତଦନ୍ତ କରି ଅଭିଯୁକ୍ତ ପୁଅ 'ଗୁଲନାଜ୍' (କେତେକ ସ୍ଥାନରେ ଗୁଲଫିଶାନ ବୋଲି ଉଲ୍ଲେଖ ଅଛି) କୁ ଗିରଫ କରି କୋର୍ଟରେ ହାଜର କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଘରୋଇ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏହି ମାରପିଟ୍ ହୋଇଥିଲା। ତେବେ ଏହି ଘଟଣାରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି ଯେ, ପୁଅ ଗିରଫ ହେବା ପରେ ମଧ୍ୟ ସେହି ସ୍ନେହୀ ବାପା ଜଣକ ପୁଲିସକୁ ତାଙ୍କ ପୁଅକୁ ଛାଡ଼ିଦେବା ପାଇଁ ଗୁହାରି କରୁଥିବା ଜଣାପଡ଼ିଛି।