ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରେ ଆୟୋଜିତ ହୋଇଥିବା ଦୁଲିପ ଟ୍ରଫିରେ ଇଷ୍ଟଜୋନ ଟିମର ଉପଅଧିନାକ ହୋଇଥିଲେ ବୈଭବ ସୂର୍ଯ୍ୟବଂଶୀ। ଇଶାନ କିଶନ ହୋଇଥିଲେ କ୍ୟାପ୍ଟେନ୍। ଏହି ଦୁଇ ଜଣଙ୍କ ନେତୃତ୍ୱରେ ଦଳ ୧୩ ବର୍ଷ ପରେ ଟ୍ରଫି ଜିତିଥିଲା। ଏହା ସତ୍ତ୍ୱେ ବି ବୈଭବଙ୍କ ଉପଅଧିନାୟକ ହେବା ଉପରେ ପ୍ରଶ୍ନ ଉଠାଇଛନ୍ତି ସଚିନ ତେନ୍ଦୁଲକର। ଏତେ କମ ବୟସରେ ତାଙ୍କୁ ଏଭଳି ଦାୟିତ୍ୱ ଦେବା ଉଚିତ ନୁହେଁ। ବରଂ ସେ ଅଭିଜ୍ଞତା ସାଉଁଟି ପାଇଁ ଅଧିକରୁ ଅଧିକ ରେଡ୍ ବଲ କ୍ରିକେଟ ଖେଳିବା ଉଚିତ ବୋଲି ସଚିନ କହିଛନ୍ତି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରେଡିଟ୍‌ରେ ‘ଆସ୍କ ମି ଏନିଥିଂ’ (AMA) ନାମରେ ଏକ ସେସନ ହୋଇଥିଲା। ଏଥିରେ ବୈଭବଙ୍କ ଉପ-ଅଧିନାୟକ ହେବା ସମ୍ପର୍କରେ ପ୍ରଶ୍ନର କରାଯାଇଥିଲା। ଯାହାର ଉତ୍ତର ଦେଇ ସଚିନ ଲେଖିଛନ୍ତି “ମୋତେ ଲାଗୁଛି ଦୁଲିପ ଟ୍ରଫିରେ ତାଙ୍କୁ ଉପଅଧିନାୟକ କରିବା ଟିକେ ତରବରିଆ ନିଷ୍ପତ୍ତି ହୋଇଗଲା। ଆମକୁ ପ୍ରଥମେ ତାଙ୍କୁ ଲାଲ୍ ବଲ୍‌ରେ ଅଧିକ ଖେଳିବାକୁ ସୁଯୋଗ ଦେବା ଉଚିତ। ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବା ଦରକାର।“

ବିବାଦୀୟ ଥିଲା ବୈଭବଙ୍କ ଉପଅଧିନାୟକ ନିଷ୍ପତ୍ତି

ଦୁଲୀପ୍ ଟ୍ରଫି ୨୦୨୬ ମୁକାବିଲାରେ ଇଷ୍ଟ ଜୋନ୍ ଟିମ୍ ପାଇଁ ଇଶାନ କିଶନଙ୍କୁ କ୍ୟାପ୍ଟେନ୍ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାଇସ କ୍ୟାପ୍ଟେନ କରାଯାଇଥିଲା। ସେତେବେଳେ ଏହି ନିଷ୍ପତ୍ତିକୁ ନେଇ କ୍ରିକେଟର ବିଭିନ୍ନ ମହଲରେ ନାନା ପ୍ରକାର ମତ ପ୍ରକାଶ ପାଇଥିଲା। ତଥାପି ଏହି ଯୋଡ଼ି ୧୩ ବର୍ଷ ପରେ ଦଳକୁ ଟ୍ରଫି ଜିତାଇବାରେ ସଫଳ ହୋଇଥିଲେ।

Also Read- ମଥାରେ କେଉଁ ଡିଭାଇସ୍ ଲଗାଇଛନ୍ତି ଭାରତୀୟ ଅଧିନାୟକ ? କଣ ଏହି ଟେମ୍ପଲ, କାହିଁକି ପଡ଼ିଲା ଦରକାର ? ଜାଣନ୍ତୁ

ଏହି ଟୁର୍ଣ୍ଣାମେଣ୍ଟରେ ବାମହାତୀ ଓପନର ବୈଭବ ୫ଟି ଇନିଂସରୁ ମୋଟ ୧୯୨ ରନ୍ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୯୨ ରନ୍। ୧୦୪.୯୧ ଷ୍ଟ୍ରାଇକ୍ ରେଟ୍ ସହ ବ୍ୟାଟିଂ କରିଥିବା ବୈଭବଙ୍କ ବ୍ୟାଟିଂ ହାର ଥିଲା ୩୮.୬୦।

ସଚିନଙ୍କ ୩୭ ବର୍ଷର ରେକର୍ଡ ଭାଙ୍ଗିଥିଲେ ବୈଭବ

ଅଳ୍ପ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏଣ୍ଟ୍ରି ମାରି ବୈଭବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୂର୍ବରୁ ଏହି ଅଭିଜ୍ଞତା ସଚିନ ତେନ୍ଦୁଲକରଙ୍କର ବି ରହିଥିଲା। ସେ ୧୬ ବର୍ଷରେ ଭାରତୀୟ ଟିମ୍ ପାଇଁ ଡେବ୍ୟୁ କରି ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ ଖେଳିଥିଲେ।

ତେବେ ବୈଭବ ଟି-୨୦ ଅନ୍ତର୍ଜାତୀୟ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିବା ପରେ ସେ ୩୭ ବର୍ଷ ତଳର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। ଏହି ଡେବ୍ୟୁ ସହିତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ବୈଭବ ସବୁଠାରୁ କମ୍ ବୟସର ଭାରତୀୟ ଖେଳାଳି ହୋଇପାରିଥିଲେ।

ଟି-୨୦ରେ ବୈଭବଙ୍କ ପ୍ରଦର୍ଶନ

ବର୍ତ୍ତମାନ ପର୍ଯ୍ୟନ୍ତ ବୈଭବ ୧୦ ଟି-୨୦ ମ୍ୟାଚ୍ ଖେଳିଥବା ବେଳେ ୨୯୫ ରନ୍ କରିଛନ୍ତି। ଯେଉଁଥିରେ ବ୍ୟାଟିଂ ଆଭେରେଜ୍ ୨୯.୫୦ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୮୫.୫୩ ରହିଛି। ଏଥିରେ ତାଙ୍କର ଦୁଇଟି ଅର୍ଦ୍ଧଶତକ ବି ରହିଛି। ଜୁଲାଇରେ ହରାରେଠାରେ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ବୈଭବ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ୍ ବୟସରେ ୫୦ ରନ୍ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା।