ନୂଆଦିଲ୍ଲୀ: ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ ହେବା ପରେ ରକ୍ତମୁଖା ହୋଇଉଠିଛି ରୁଷ । ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ରୁଷ ସେନା । ଏହି ଆକ୍ରମଣରେ ବ୍ୟବହୃତ ମିସାଇଲ୍ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମଧ୍ୟମ ଦୂରଗାମୀ ଓରେଶିଙ୍କ କ୍ଷେପଣାସ୍ତ୍ର ୟୁକ୍ରେନରେ ଧ୍ବଂସଲୀଳା ରଚିଛି । ଏହାର ଅବଶେଷ ସଂଗ୍ରହ କରି ଫଟୋ-ଭିଡିଓ ଶେୟାର କରିଛି ୟୁକ୍ରେନ୍ । କିଭ୍ର ପଶ୍ଚିମରେ ଥିବା ସହର ଲିଭିଭ୍ରେ ଏହି କ୍ଷେପଣାସ୍ତ୍ର ମାଡ଼ କରିଥିଲା ରୁଷ ।

କ୍ଷେପଣାସ୍ତ୍ର ମାତ୍ର ୧୨-୧୩ ମିନିଟ୍ରେ ୧୮୦୦ କିଲୋମିଟର ଯାତ୍ରା କରିଥିଲା ଏବଂ ଟାର୍ଗେଟକୁ ଧ୍ବଂସ କରିଥିଲା । ଲିଭିଭ୍ରେ ମାଡ଼ ହେବା ପୂର୍ବରୁ ମିସାଇଲ୍ ଘଣ୍ଟାକୁ ୧୦ ହଜାର କିଲୋମିଟର ବେଗରେ ଗତି କରିଥିବା ଜଣାପଡ଼ିଛି । ମସ୍କୋ ଦାବି କରିଛି, ଓରେଶିଙ୍କକୁ ଅଟକାଇବା ମୁସକିଲ୍ । ୟୁକ୍ରେନର SBU ସୁରକ୍ଷା ସେବା କହିଛି ଯେ, ଜାନୁଆରୀ ୮-୯ ରାତିରେ ଆକ୍ରମଣ ସମୟରେ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା । ୟୁରୋପୀୟ ୟୁନିଅନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମାଡ଼ ହୋଇଥିଲା । ଶୁକ୍ରବାର ଭଗ୍ନାବଶେଷର ଫଟୋଗ୍ରାଫ୍ ପ୍ରକାଶ କରି SBU କହିଛି ଯେ, ଏହା ଓରେଶିଙ୍କ ସିଷ୍ଟମର ପ୍ରମୁଖ ଉପାଦାନଗୁଡ଼ିକୁ ଚିହ୍ନଟ କରିଛି ।

ଏହି ଆକ୍ରମଣ ସମୟରେ ରୁଷ ଶତାଧିକ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଥିଲା । କିଭ୍ରେ ପ୍ରାୟ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଅଧା ରାଜଧାନୀରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ବିଯୁକ୍ତ ତାପମାତ୍ରାରେ ଲୋକେ ଛଟପଟ ହେବାକୁ ବାଧ୍ୟ ହୋଇଛନ୍ତି । ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ, ଆପାର୍ଟମେଣ୍ଟ , ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ କୂଟନୈତିକ ପରିସର ପ୍ରଭାବିତ ହୋଇଛି । ଏଥିରେ କାତାର ଦୂତାବାସକୁ କ୍ଷତି ପହଞ୍ଚିଛି।

ୟୁକ୍ରେନ ଯୁଦ୍ଧ ରୋକିବା ଲାଗି ଆମେରିକା ମଧ୍ୟସ୍ଥତାରେ ଆଲୋଚନା ଚାଲିଥିବା ବେଳେ ଏହି ଆକ୍ରମଣ ଚିନ୍ତା ବଢ଼ାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି, ରୁଷ ଉପରେ ଚାପ ପକାଇବାକୁ ନିଜର ସହଯୋଗୀ ଦେଶଙ୍କୁ ଅପିଲ କରିଛନ୍ତି ।

ଓରେଶିଙ୍କ ମିସାଇଲ୍ କ’ଣ ?

ରୁଷର ଏକ ଗଛ ‘ହାଜେଲ୍ ଟ୍ରି’ ନାମାନୁସାରେ ନାମିତ ଓରେଶିଙ୍କ ମିସାଇଲ୍ । ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ର ଲକ୍ଷ୍ୟଭେଦ କ୍ଷମତା ୩୦୦୦-୫,୫୦୦ କିଲୋମିଟର । ଏହି ମିସାଇଲ୍ ମାଧ୍ୟମରେ ରୁଷ ପୂରା ୟୁରୋପରେ ଟାର୍ଗେଟକୁ ଧ୍ବଂସ କରିପାରିବ । ରାଷ୍ଟ୍ରପତି ପୁଟିନ୍ ଏହାକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବୋଲି କହିବା ସହ ଏହାକୁ କୌଣସି ରାଡାର ଖୋଜି ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏହା ପୂର୍ବରୁ ନଭେମ୍ବର ୨୦୨୪ରେ ଡିନପ୍ରୋରେ ଓରେଶିଙ୍କ ମିସାଇଲ୍ର ବ୍ୟବହାର କରିଥିଲା ରୁଷ । ପୁଟିନ କହିଥିଲେ, ଏହି କ୍ଷେପଣାସ୍ତ୍ରଟି ଅନେକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏବଂ ହାଇପରସୋନିକ୍ ବେଗରେ ଯାତ୍ରା କରିପାରିବ । ଏହାକୁ ଏକ ଉଲ୍କାପିଣ୍ଡ ସହିତ ତୁଳନା କରିଥିଲେ ପୁଟିନ୍।