ମସ୍କୋ: ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଖାମେନି ପ୍ରାଣ ହରାଇଛନ୍ତି  । ଖାମେନିଙ୍କ ମୃତ୍ୟୁ ଖବର ମିଳିବା ପରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତକ୍ଷିପ୍ତ ହୋଇଉଠିଛନ୍ତି । ଖାମେନିଙ୍କ ହତ୍ୟା ଅତି ନିନ୍ଦନୀୟ ଏବଂ ଅମାନୁଷିକ ବୋଲି କହିଛନ୍ତି ପୁଟିନ । ସେ କହିଛନ୍ତି, ‘ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ଅମାନୁଷିକ । ମାନବ ନୈତିକତା ଏବଂ ଅନ୍ତର୍ଜାତୀୟ ଆଇନର ସମସ୍ତ ମାନଦଣ୍ଡକୁ ଉଲ୍ଲଂଘନ କରିଛି।’

ଇସଲାମିକ୍ ଗଣରାଜ୍ୟ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ହତ୍ୟାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୁଟିନ । ଖାମେନିଙ୍କ ହତ୍ୟା, ମଣିଷର ନୈତିକତା ଏବଂ ଅନ୍ତର୍ଜାତୀୟ ଆଇନର ସମସ୍ତ ମାନଦଣ୍ଡର ଉଲ୍ଲଂଘନ କରି କରାଯାଇଛି ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି । 

ଏହା ପୂର୍ବରୁ ଇରାନର ସରକାରୀ ଗଣମାଧ୍ୟମ ଘୋଷଣା କରିଥିଲା ଯେ, ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ଖମେନିଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତେବେ ଖାମେନିଙ୍କ ମୃତ୍ୟୁ ପରେ ପୁଟିନ୍‌ ଇରାନ ପ୍ରତିପକ୍ଷ ମାସୁଦ ପେଜେସ୍କିଆନଙ୍କ ଉଦ୍ଦେଶ୍ୟରେ ଜାରି ଏକ ବିବୃତ୍ତିରେ କହିଛନ୍ତି ଯେ, ‘ଆମ ଦେଶରେ ଆୟତୋଲ୍ଲା ଖାମେନିଙ୍କୁ ଜଣେ ଉତ୍କୃଷ୍ଟ ରାଜନେତା ଭାବରେ ମନେ ରଖାଯିବ । ସେ ରୁଷ-ଇରାନ ସମ୍ପର୍କର ବିକାଶ ଏବଂ ରଣନୈତିକ ସହଭାଗୀତା ସ୍ତରକୁ ଆଣିବାରେ ଏକ ବିରାଟ ବ୍ୟକ୍ତିଗତ ଅବଦାନ ଦେଇଥିଲେ ।’

ରୁଷ ରାଷ୍ଟ୍ରପତି ଇରାନର ସର୍ବୋଚ୍ଚ ନେତାଙ୍କ ପରିବାର, ବନ୍ଧୁ, ସରକାର ଏବଂ ସମଗ୍ର ଇରାନବାସୀଙ୍କ ପ୍ରତି  ଆନ୍ତରିକ ସମବେଦନା ଏବଂ ସମର୍ଥନ ଜଣାଇବାକୁ ସାରା ବିଶ୍ବକୁ ଅନୁରୋଧ କରିଛନ୍ତି। ଶନିବାର ଆମେରିକା-ଇସ୍ରାଏଲ ବିମାନ ଆକ୍ରମଣରେ ଇରାନ ନେତୃତ୍ୱ ଆନୁଷ୍ଠାନିକ ଭାବରେ ଏହାର ସର୍ବୋଚ୍ଚ ନେତା, ତାଙ୍କ ଝିଅ, ଜ୍ୱାଇଁ, ବୋହୂ ଏବଂ ନାତିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିବାର କିଛି ଘଣ୍ଟା ପରେ ରୁଷ ରାଷ୍ଟ୍ରପତିଙ୍କ ଏହି ପ୍ରତିକ୍ରିୟା ଆସିଛି।