ନୂଆଦିଲ୍ଲୀ: ୨୦ ହଜାର ଟଙ୍କାରୁ କମ୍ ଦାମର ସ୍ମାର୍ଟଫୋନ୍ ବଜାରରେ ଏବେ ଭାରତୀୟ କମ୍ପାନୀଙ୍କ ପାଇଁ ଖୋଲିଛି ବଡ଼ ସୁଯୋଗ। ମେମୋରୀ ଚିପ୍‌ର ଦାମ ବଢ଼ିବା ପରେ ଲାଭର ମାର୍ଜିନ କମିଯାଉଥିବାରୁ ଚୀନର ଅନେକ ସ୍ମାର୍ଟଫୋନ୍ କମ୍ପାନୀ ଏହି ଦାମ ବର୍ଗରେ ମଡେଲ୍ ସଂଖ୍ୟା କମାଇ ପ୍ରିମିୟମ୍ ଫୋନ୍ ଉପରେ ଫୋକସ୍ କରୁଛନ୍ତି। ଆଉ ଠିକ୍ ଏହି ସମୟରେ ବଜାରକୁ ଏଣ୍ଟ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ଭାରତୀୟ ବ୍ରାଣ୍ଡ୍।

ମିଭି ଠାରୁ ଆରମ୍ଭ କରି ଏଆଇ ପ୍ଲସ୍ ଓ ଫାୟାର ବୋଲ୍ଟ, ସମସ୍ତଙ୍କ ନଜର ଏବେ ଏହି ସେଗମେଣ୍ଟର ସ୍ମାର୍ଟଫୋନ ମାର୍କେଟ୍ ଉପରେ। ଯଦି ଭାରତୀୟ ବ୍ରାଣ୍ଡଗୁଡ଼ିକ ମାର୍କେଟ୍ କବ୍ଜା କରିବାରେ ସଫଳ ହେଲେ ତେବେ ଚୀନ ବ୍ରାଣ୍ଡଗୁଡ଼ିକ ମିଳିପାରେ କଡ଼ା ଟକ୍କର। ଭାରତୀୟ ସ୍ମାର୍ଟଫୋନ ମାର୍କେଟ୍‌ରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏହାକୁ ଏକ ସୁଯୋଗ ଭାବେ ନେଇଛନ୍ତି ଭାରତୀୟ କମ୍ପାନୀ। ତେଣୁ ୨୦ ହଜାରରୁ କମ ମୂଲ୍ୟର ସ୍ମାର୍ଟୋଫନ ମାର୍କେଟରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଉଛି ତାକୁ ଭରିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ଗୋଟିଏ ପରେ ଗୋଟିଏ ସ୍ମାର୍ଟଫୋନ ଲଞ୍ଚ୍ କରି ଚାଲିଛନ୍ତି।

ହାଇଦ୍ରାବାଦର ଅଡିଓ ପ୍ରଡକ୍ଟ କମ୍ପାନୀ ମିଭି (Mivi) ପ୍ରଥମ ଥର ପାଇଁ ସ୍ମାର୍ଟଫୋନ ବଜାରରେ ଏଣ୍ଟିର କରିବାକୁ ଯାଉଛି। କମ୍ପାନୀ ଆସନ୍ତା ନଭେମ୍ବର ୨୪ରେ ନିଜର ପ୍ରଥମ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯୋଜନା କରିଛି। ଏହାର ମୂଲ୍ୟ ୨୦ ହଜାର ଟଙ୍କାରୁ କମ୍ ରହିବ।

ସେହିପରି, ନୋଏଡା ଭିତ୍ତିକ ନେକ୍ସଟ୍ କ୍ୱାଣ୍ଟମ ଶିଫ୍ଟ ଟେକ୍ନୋଲୋଜୀ (NxtQuantum Shift Technologies) ଭାରତରେ ଏହାର ଦମଦାମର ସ୍ମାର୍ଟଫୋନ ଲଞ୍ଚ୍ କରୁଛି। ଏହି କମ୍ପାନୀର ଫାଉଣ୍ଡର ହେଉଛନ୍ତି ପୂର୍ବତନ ରିୟଲମି ଇଣ୍ଡିଆ ସିଇଓ ମାଧବ ସେଠ୍। Ai+ ବ୍ରାଣ୍ଡ୍ ଅଧୀନରେ କମ୍ପାନୀ ଏପର୍ଯ୍ୟନ୍ତ ୧୧ଟି ମଡେଲ୍ ଏବଂ ସେଗୁଡ଼ିକର ବିଭିନ୍ନ ଭାରିଆଣ୍ଟ ଲଞ୍ଚ କରିସାରିଛି। ଏହି ଫୋନଗୁଡ଼ିକର ମୂଲ୍ୟ ୧୦,୯୯୯ ଟଙ୍କାରୁ ୧୯,୯୯୯ ଟଙ୍କା ମଧ୍ୟରେ ରହିଛି।

Also Read- ମେଟା ଲଞ୍ଚ କଲା ‘ମ୍ୟୁଜ୍’ AI ଏଜେଣ୍ଟ, ମାଗଣାରେ ମିଳିବ ପର୍ସନାଲ ଆସିଷ୍ଟାଣ୍ଟ !

ସ୍ମାର୍ଟୱାଚ୍ ଓ ଅଡିଓ ଉତ୍ପାଦ ପାଇଁ ଭାରତରେ ବେସ୍ ପରିଚିତ ଫାୟାର ବୋଲ୍ଟ (Fire-Boltt) ମଧ୍ୟ ସ୍ମାର୍ଟଫୋନ ବଜାରରେ ପ୍ରବେଶ କରିଛି। କମ୍ପାନୀ ନିଜର ବୋଲ୍ଟ ସ୍ମାର୍ଟଫୋନ ରେଞ୍ଜ୍ ଲଞ୍ଚ କରିଛି। ଏହି ଫୋନଗୁଡ଼ିକର ମୂଲ୍ୟ ୧୦ ହଜାରରୁ ୧୬ ହଜାର ଟଙ୍କା ମଧ୍ୟରେ ରହିଛି ଏବଂ ଏଗୁଡ଼ିକ କେବଳ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି ହେଉଛି।

ଏପଟେ ପୁରୁଣା ଭାରତୀୟ ମୋବାଇଲ୍ ବ୍ରାଣ୍ଡ୍ ଲାଭା ଇଣ୍ଟରନ୍ୟାସନାଲ ମଧ୍ୟ ଏଇ କିଛି ବର୍ଷ ହେବ ସ୍ମାର୍ଟଫୋନ ଲଞ୍ଚ କରି ଆସୁଛି। ଏହିସବୁଗୁଡ଼ିକ ବଜେଟ୍ ସେଗ୍ମେଣ୍ଟରେ ଲଞ୍ଚ ହେଉଛି। ୯,୯୯୯ ଟଙ୍କାରୁ ୧୯,୯୯୯ ଟଙ୍କା ମଧ୍ୟରେ ଥିବା ଏହି ଫୋନଗୁଡ଼ିକୁ ଅନଲାଇନ୍ ସହିତ ପ୍ରାୟ ୮୦୦ଟି ଅଫଲାଇନ୍ ବିତରଣ କେନ୍ଦ୍ର ମାଧ୍ୟମରେ ବିକ୍ରି କରୁଛି କମ୍ପାନୀ।

କମୁଛି ଲୋ-ପ୍ରାଇସ୍ ସେଗମେଣ୍ଟରେ ମଡେଲ୍ ସଂଖ୍ୟା

କାଉଣ୍ଟରପଏଣ୍ଟ ରିସର୍ଚ୍ଚର ବିଶ୍ଳେଷକ ଶୁଭମ ସିଂହଙ୍କ ଅନୁସାରେ, ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ୧୦ ହଜାର ଟଙ୍କାରୁ କମ୍ ସ୍ମାର୍ଟଫୋନ ବଜାରରେ ଥିବା ବ୍ରାଣ୍ଡ୍ ସଂଖ୍ୟା ୧୪ରୁ ହ୍ରାସ ପାଇ ୮କୁ ଆସିଛି। ସେହିପରି ୧୦ରୁ ୧୫ ହଜାର ଟଙ୍କା ମୂଲ୍ୟ ବର୍ଗରେ ନୂଆ ମଡେଲ୍ ଆସି ନାହିଁ। ୧୫ରୁ ୨୦ ହଜାର ଟଙ୍କା ବର୍ଗରେ ମଡେଲ୍ ସଂଖ୍ୟା ୧୬ରୁ କମି ୧୪କୁ ଆସିଛି।

ବିଶ୍ଳେଷକଙ୍କ ମତରେ, ମେମୋରୀ ଚିପ୍ର ଦାମ ବଢ଼ିବା ଯୋଗୁ ଲୋ-ପ୍ରାଇସ୍ ସେଗମେଣ୍ଟରେ କମ୍ପାନୀଗୁଡ଼ିକର ଲାଭ ପ୍ରଭାବିତ ହେଉଛି। ଭଲ ମାର୍ଜିନ ନ ମିଳିବାରୁ ବଡ଼ ସ୍ମାର୍ଟଫୋନ ନିର୍ମାତାମାନେ ପ୍ରିମିୟମ୍ ଫୋନ ଆଡ଼କୁ ମୁହାଁଉଛନ୍ତି।

ତଥାପି ୨୦ ହଜାର ଟଙ୍କାରୁ କମ୍ ସେଗମେଣ୍ଟ, ଭାରତୀୟ ସ୍ମାର୍ଟଫୋନ ବଜାର ପାଇଁ ଏବେ ବି ବେଶ୍ ଗୁରୁତ୍ୱପୂର୍ଣ୍ଣ। ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ଏହି ସେଗମେଣ୍ଟ ସମଗ୍ର ସ୍ମାର୍ଟଫୋନ ବଜାରର ପ୍ରାୟ ୫୧ ପ୍ରତିଶତ ଅଂଶ ଦଖଲ କରିଥିଲା। ତେଣୁ ବଡ଼ ବିଦେଶୀ ବ୍ରାଣ୍ଡଗୁଡ଼ିକ ପଛକୁ ହଟୁଥିବା ସମୟରେ ନୂଆ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ଏହା ଏକ ବଡ଼ ବଜାର ସୁଯୋଗ ପାଲଟିଛି।

‘ଭାରତୀୟ ବ୍ରାଣ୍ଡ ପାଇଁ ଏହା ଠିକ୍ ସମୟ’

ମିଭିର ସହ-ପ୍ରତିଷ୍ଠାତା ମିଧୁଲା ଦେବଭକ୍ତୁନିଙ୍କ ମତରେ, ଏବେ ଭାରତୀୟ ମୋବାଇଲ୍ ବ୍ରାଣ୍ଡ ପାଇଁ ୨୦ ହଜାର ଟଙ୍କାରୁ କମ୍ ମୂଲ୍ୟ ସେଗ୍ମେଣ୍ଟରେ ଏଣ୍ଟ୍ରି କରିବାର ଉପଯୁକ୍ତ ସମୟ। ମେମୋରୀ ଦାମ ବଢ଼ିବା ଯୋଗୁ ବଡ଼ ବିଶ୍ୱସ୍ତରୀୟ କମ୍ପାନୀ ପ୍ରିମିୟମ୍ ବଜାରକୁ ଯାଉଥିବାରୁ ଭାରତୀୟ କମ୍ପାନୀ ପାଇଁ ଏଠାରେ ଏକ ନୂଆ ସ୍ଥାନ ସୃଷ୍ଟି ହୋଇଛି।

ମିଭି ନିଜ ସ୍ମାର୍ଟଫୋନର ଡିଜାଇନ୍ ନିଜେ ବିକଶିତ କରିଛି। ଏଥିରେ ନଏଜ କ୍ୟାନସଲେସନ ଭଳି ଫିଚର୍ ମଧ୍ୟ ଦିଆଯାଇଛି। ଆଗାମୀ ଦିନରେ କମ୍ପାନୀ ନିଜେ ଫୋନ୍ ଆସେମ୍ବଲ୍ କରିବାକୁ ଯୋଜନା କରୁଛି। ଦୀର୍ଘମିଆଦୀ ଭାବେ ନିଜକୁ ଏକ ଅରଜିନାଲ ଡିଜାଇନ ମେନୁଫେକ୍ଚର (ODM) ଭାବେ ପରିଣତ କରିବାକୁ କମ୍ପାନୀର ଲକ୍ଷ୍ୟ ରହିଛି। ଅର୍ଥାତ୍ ଫୋନର ଡିଜାଇନ୍ ଓ ଉତ୍ପାଦନ ସହିତ ମୁଖ୍ୟ ଉପାଦାନଗୁଡ଼ିକୁ ମଧ୍ୟ ନିଜେ ତିଆରି କରିବା ଦିଗରେ ମିଭି ଆଗକୁ ବଢ଼ିବ ବୋଲି କମ୍ପାନୀ ଟାର୍ଗେଟ୍ ରଖିଛି।

ଅନଲାଇନ୍ ବିକ୍ରି ଉପରେ ନେକ୍ସଟ କ୍ୱାଣ୍ଟମର ଭରସା

ଅନ୍ୟପଟେ ନେକ୍ଟ କ୍ୱାଣ୍ଟମ ଚଳିତ ଆର୍ଥିକ ବର୍ଷରେ ସମଗ୍ର ସ୍ମାର୍ଟଫୋନ ବଜାରର ୩ରୁ ୪ ପ୍ରତିଶତ ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ଏପର୍ଯ୍ୟନ୍ତ ଅନଲାଇନ୍ ବିକ୍ରି ଉପରେ ଅଧିକ ଗୁରୁତ୍ୱ ଦେଇଛି ଏବଂ ଫ୍ଲିପ୍କାର୍ଟ ସହ ପାର୍ଟନର୍ସିପ୍ ମାଧ୍ୟମରେ ନିଜ ଫୋନ ବିକ୍ରି କରୁଛି। ଏନେଇ କମ୍ପାନୀର ପ୍ରତିଷ୍ଠାତା ମାଧବ ସେଠ୍ କହିଛନ୍ତି ଯେ, ଗ୍ରାହକଙ୍କ ପାଇଁ ଫୋନର ମୂଲ୍ୟକୁ ସୁହାଇଲା ଭଳି ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ଅନଲାଇନ୍ ବଜାର ସମଗ୍ର ସ୍ମାର୍ଟଫୋନ ବଜାରର ପ୍ରାୟ ୫୦ ପ୍ରତିଶତ ହୋଇଥିବାରୁ କମ୍ପାନୀ ଏବେ ଅନଲାଇନ୍ ବିକ୍ରିକୁ ପ୍ରାଥମିକତା ଦେଉଛି।

ମାଧବଙ୍କ ଅନୁସାରେ, ଅଫଲାଇନ୍ ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା ଗଢ଼ିବାରେ ମୋବାଇଲ୍ ମୂଲ୍ୟର ପ୍ରାୟ ୩୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଖର୍ଚ୍ଚ ହୋଇପାରେ। ଏହି ଖର୍ଚ୍ଚ ଶେଷରେ ଗ୍ରାହକଙ୍କ ଉପରେ ପଡ଼ିଥାଏ। ସେଥିପାଇଁ ବର୍ତ୍ତମାନ ଅନଲାଇନ୍ ମଡେଲ୍କୁ ଅନୁସରଣ କରୁଛି କମ୍ପାନୀ। ତେବେ ବିକ୍ରି ପରିମାଣ ବଢ଼ିଲେ ଅଫଲାଇନ୍ ବଜାରକୁ ମଧ୍ୟ ପ୍ରବେଶ କରିବାର ଯୋଜନା ରହିଛି।

ମୋଟ ଉପରେ କହିବାକୁ ଗଲେ ମେମୋରୀ ଚିପ୍ର ବଢ଼ୁଥିବା ଦାମ ବଡ଼ ଗ୍ଲୋବାଲ୍ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକୁ ପ୍ରିମିୟମ୍ ବଜାର ଆଡ଼କୁ ଠେଲି ଦେଉଥିବା ବେଳେ ଭାରତୀୟ କମ୍ପାନୀମାନେ ବଜେଟ୍ ସେଗ୍ମେଣ୍ଟରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ ଏହି ବଜାରରେ ଭାରତୀୟ ବ୍ରାଣ୍ଡଗୁଡ଼ିକ କେତେ ଦୂର ସଫଳ ହେବେ, ତାହା ଉପରେ ନଜର ରହିବ।