ନୂଆଦିଲ୍ଲୀ: ସଂସଦରେ ପେପର ଲିକ୍ ଆଇନ ଚର୍ଚ୍ଚା କାଳରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଛାତ୍ରଙ୍କ ଉପରକୁ ଗୁଳି ଚଳାଇବାକୁ ଗୃହମନ୍ତ୍ରୀ ଆଦେଶ ଦେଇଛନ୍ତି। ଏହାକୁ ନେଇ ସଂସଦରେ ଉଭୟ ଶାସକ ଓ ବିରୋଧୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ରାହୁଲଙ୍କ ବୟାନରେ ଆପତ୍ତି କରିବା ସହ କ୍ଷମାଯାଚନା କରନ୍ତୁ ବୋଲି ଦାବି କରିଛନ୍ତି। ରାହୁଲଙ୍କ ଟିପ୍ପଣୀକୁ ନେଇ ସଂସଦରେ ବେଶ୍ ହୋ ହଲ୍ଲା ହୋଇଛି। ଏଥିରେ ରାହୁଲଙ୍କୁ କହିବାକୁ ଦିଆ ନଯିବାରୁ ସଂସଦର କାର୍ଯ୍ୟକ୍ରମ ସ୍ଥଗିତ ହୋଇଯାଇଛି।

୨୦ ଜୁଲାଇ ସଂସଦ ମାର୍ଚ୍ଚ କାଳରେ ହୋଇଥିବା ହିଂସା ସମ୍ପର୍କରେ କହିବାକୁ ଯାଇ ରାହୁଲ ଗାନ୍ଧି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ଛାତ୍ରଙ୍କୁ ଗୁଳି ଚଳାଇବାକୁ ଆଦେଶ ଦେଇଥିବା କହିଛନ୍ତି। ରାହୁଲ କହିଛନ୍ତି ଯେ ଏବେ ପ୍ରସଙ୍ଗରେ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସଂସଦରେ କଥା ହେବାକୁ ଗୃହମନ୍ତ୍ରୀଙ୍କ ସାହାସ ନାହିଁ। ଏହା ଛଡା ରାହୁଲ ଗାନ୍ଧି ଗୃହରେ କହିଛନ୍ତିଯେ ଦେଶରେ ଶିକ୍ଷା ବ୍ୟବସ୍ଥା ବହୁତ ମହଙ୍ଗା,ସରକାର ପୁରା ଶିକ୍ଷା ବଜେଟରେ ଯେତିକି ଖର୍ଚ୍ଚ କରନ୍ତି ଏହାଠୁ ଅଧିକ ପଇସା ଗୋଟିଏ ପରୀକ୍ଷାରେ ଖର୍ଚ୍ଚ ହୋଇଯାଏ।

ତେବେ ଅମିତ ଶାହଙ୍କ ବିରୋଧରେ ରାହୁଲଙ୍କ ବୟାନକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ଗୃହରେ ଆପତ୍ତି କରିଛନ୍ତି ଓ ଗୃହମନ୍ତ୍ରୀଙ୍କ ଉପରେ ଆରୋପ ନ ଲଗାଇବାକୁ କହିଛନ୍ତି। ରିଜିଜୁ କହିଛନ୍ତି ଯେ ରାହୁଲ ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଆରୋପ ଲଗାଇଛନ୍ତି ସେଥି ପାଇଁ କ୍ଷମାଯାଚନା କରନ୍ତୁ। ସେ କହିଛନ୍ତି ଯେ ଅମିତ ଶାହ ଛାତ୍ରଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିବା ନେଇ ରାହୁଲଙ୍କ କଥାର ପ୍ରମାଣ କ’ଣ? କିରେଣ ରିଜିଜୁ କହିଛନ୍ତି ଯେ ବିରୋଧୀ ଦଳ ନେତା ଆଧାରହୀନ ଅଭିଯୋଗ କରିପାରିବେନି। ଏଣୁ ସେ ତାଙ୍କ ବକ୍ତବ୍ୟ ପ୍ରତ୍ୟାହାର କରନ୍ତୁ ଓ ବୟାନ ପାଇଁ କ୍ଷମାଯାଚନା କରନ୍ତୁ।

କିରେଣ ରିଜିଜୁ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ କ୍ଷମାଯାଚନା କରିବାକୁ ହେବ, କାରଣ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ଏହା ଏକ ଗୁରୁତର ଆରୋପ। ରିଜିଜୁ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ତାଙ୍କ ଆରୋପ ପ୍ରମାଣିତ ନ କରିଛନ୍ତି ଓ କ୍ଷମା ନ ମାଗିଛନ୍ତି, ସେ ପର୍ଯ୍ୟନ୍ତ ବିତର୍କ ଗୃହରେ ଆଗକୁ ବଢି ପାରିବ ନାହିଁ।