ରାଉରକେଲା: ରକ୍ତର ସମ୍ପର୍କଠୁ ବି ଅଧିକ ମଧୁର ହେଉଛି ଅଜା ଓ ନାତିର ସମ୍ପର୍କ । ନାତିର ଟିକିଏ ଲୁହ ଯେଉଁ ଅଜାର ଛାତିକୁ ଆନ୍ଦୋଳିତ କରିଦିଏ, ସେହି ନାତିର ଜୀବନ ବଞ୍ଚାଇବା ପାଇଁ ଆଜି ଜଣେ ଅଜା ନିଜ ଜୀବନକୁ ବାଜି ଲଗାଇଦେଇଛନ୍ତି । ନାତିକୁ ସିନା ମୃତ୍ୟୁ ମୁଖରୁ ଛଡ଼ାଇ ଆଣିଲେ, ହେଲେ ନିଜେ ସବୁଦିନ ପାଇଁ ଶୋଇଗଲେ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରୁ ଆସିଛି ଏଭଳି ଏକ ଛାତିଫଟା ଖବର ।

ହସୁଥିଲା ଖେଳୁଥିଲା ୫ ବର୍ଷର କୁନି ନାତି । ହେଲେ କିଏ ଜାଣିଥିଲା, ସେହି ଗାଁ ଦାଣ୍ଡରେ ହିଁ ଛକି ବସିଛି ଯମ ! ବୀରମିତ୍ରପୁର ରାଏବଗା ଥାନା ଜୟକୁଦର୍ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଠିକାଦାରଙ୍କ ଚରମ ବେପରୁଆ ମନୋଭାବ ଯୋଗୁଁ ବେଆଇନ ଭାବେ ଟଣାଯାଇଥିବା ବିଦ୍ୟୁତ ତାରଟି ହଠାତ ଛିଣ୍ଡି ପଡ଼ିଥିଲା । ଆଉ ଦୁର୍ଭାଗ୍ୟବଶତଃ ସେହି ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲା ୫ ବର୍ଷର ନିଷ୍ପାପ ଶିଶୁ ।

ନାତିକୁ ବିଦ୍ୟୁତ ଝଟକା ଲାଗୁଥିବାର ଦେଖି ସହିପାରିନଥିଲେ ଅଜା । ନିଜ ଜୀବନର ମୋହ ଛାଡ଼ି, ଡେଇଁପଡ଼ିଥିଲେ ନାତିକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ । ନାତିକୁ ତ’ ମରଣ ମୁହଁରୁ ଟାଣି ଆଣିଲେ, ହେଲେ ନିଜେ ସେହି ମାରାତ୍ମକ କରେଣ୍ଟ ସ୍ରୋତରୁ ମୁକୁଳି ପାରିଲେ ନାହିଁ । ଗୋଟିଏ ପଟେ ନାତି ବଞ୍ଚିଯିବାର ଆଶ୍ୱାସନା, ଆଉ ଅନ୍ୟପଟେ ଅଜାଙ୍କୁ ସବୁଦିନ ପାଇଁ ହରାଇବାର ଅସହ୍ୟ ବେଦନା, ଏବେ ସାରା ଜୟକୁଦର୍ ଗାଁକୁ ସ୍ତବ୍ଧ କରିଦେଇଛି ।

ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠି ସେମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।