ମୁମ୍ୱାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରୋହିତ୍ ଶର୍ମାଙ୍କ ଦିନିକିଆ କ୍ରିକେଟରୁ ଅବସର ନେବା ଗୁଜବ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପୂର୍ଣ୍ଣଚ୍ଛେଦ ଲଗାଇଛି । ରବିବାର ଲର୍ଡସର ଐତିହାସିକ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ନୁହେଁ । ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଏହା ସ୍ପଷ୍ଟ କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାଇକିଆ, ସେହି ସମସ୍ତ ରିପୋର୍ଟକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ଦାବି କରାଯାଉଥିଲା ଯେ ରୋହିତ ଶର୍ମା ରବିବାର ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ପରେ ଦିନିକିଆ କ୍ରିକେଟକୁ ଅଲବିଦା କହିବେ ।

ସାଇକିଆ କହିଛନ୍ତି, "ମୁଁ ସ୍ପଷ୍ଟ କରିବାକୁ କହିବାକୁ ଚାହୁଁଛି ଯେ ରୋହିତ ରବିବାର ଲର୍ଡସରେ ନିଜର ଶେଷ ମ୍ୟାଚ୍ ଖେଳିବେ ବୋଲି ବୋର୍ଡ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ରୋହିତ ଭାରତୀୟ ଦିନିକିଆ ଦଳର ଜଣେ ନିୟମିତ ସଦସ୍ୟ ଏବଂ ଯେପର୍ଯ୍ୟନ୍ତ ତାଙ୍କୁ ଦଳରେ ସାମିଲ କରିବାର ଯୋଜନା ରହିବ, ସେ ଦେଶର ପ୍ରତିନିଧିତ୍ୱ ଜାରି ରଖିବେ । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଲର୍ଡସ ୱାନଡେ ତାଙ୍କର ଶେଷ ମ୍ୟାଚ୍ ହେବନାହିଁ ।"

କାହିଁକି ସୃଷ୍ଟି ହୋଇଥିଲା ଗୁଜବ ?

ଆଗକୁ ୨୦୨୭ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ । ଏହାକୁ ଦୃଷ୍ଟିରେ ରଖି ଚୟନ ସମିତି ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଏକ 'ଟ୍ରାଞ୍ଜିସନ ଫେଜ୍' ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମରେ ଖବର ଆସିଥିଲା । ଏହି ଖବର ପରେ ଗୁଜବ ଆରମ୍ଭ ହୋଇଥିଲା । ଏହାସହ ଇଂଲଣ୍ଡ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ରୋହିତଙ୍କ ବ୍ୟାଟରୁ ରନ୍ ନବାହାରିବା ଯୋଗୁଁ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠୁଥିଲା । ତେବେ ବିସିସିଆଇ ସଚିବ ଏହି ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି ।