ନୂଆଦିଲ୍ଲୀ ୦୨।୦୯; ହିନ୍ଦୁ ଧର୍ମରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ ପର୍ବର ଏକ ବିଶେଷ ମହାତ୍ମ୍ୟ ରହିଛି। ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପବିତ୍ର ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଥାଏ। ୨୦୨୬ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୪ ସେପ୍ଟେମ୍ବର ଶୁକ୍ରବାର ଦିନ ପାଳନ କରାଯିବ। ଏହି ବର୍ଷ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟର ନକ୍ଷତ୍ର 'ରୋହିଣୀ' ଏବଂ ଶୁଭ ଯୋଗର ଏକ ଦୁର୍ଲଭ ଓ ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଥିବାରୁ ଏହା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଫଳଦାୟୀ ଓ ମଙ୍ଗଳମୟ ହେବ ବୋଲି ବିଚାର କରାଯାଉଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ୪ ସେପ୍ଟେମ୍ବର ରାତିରେ ଅଷ୍ଟମୀ ତିଥି ସହିତ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ଚନ୍ଦ୍ରଙ୍କ ସ୍ଥିତି ରହିବ। ଶାସ୍ତ୍ରାନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟରାତ୍ରିରେ ଏହି ସମାନ ତିଥି ଓ ନକ୍ଷତ୍ର ସଂଯୋଗରେ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ । ତେଣୁ ଏଥର ପୂଜାରାଧନା ପାଇଁ 'ନିଶିଥ କାଳ' ଅର୍ଥାତ ମଧ୍ୟରାତ୍ରି ସମୟ ସବୁଠାରୁ ଶ୍ରେଷ୍ଠ ଓ ଫଳପ୍ରଦ ହେବ । ଏହି ସଂଯୋଗ ଯୋଗୁଁ ନିଷ୍ଠାର ସହ ବ୍ରତ-ପୂଜା କରୁଥିବା ସାଧକମାନଙ୍କୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ପ୍ରାପ୍ତ ହେବ।

ଏହି ଜନ୍ମାଷ୍ଟମୀର ଗ୍ରହ ସ୍ଥିତି ଓ ଶୁଭ ଯୋଗ କେତେକ ବିଶେଷ ରାଶିର ଜାତକମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ନେଇ ଆସୁଛି। ଖାସ୍ କରି ବୃଷ, କର୍କଟ, ତୁଳା ଏବଂ ମୀନ ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏହି ରାଶିର ବ୍ୟକ୍ତିମାନଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ସନ୍ତାନ ସୁଖ ପ୍ରାପ୍ତ ହେବ ଏବଂ କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ସୃଷ୍ଟି ହେବ। ଅନ୍ୟ ରାଶିର ଜାତକମାନେ ମଧ୍ୟ ଭକ୍ତିଭାବର ସହ ଲଡୁ ଗୋପାଳଙ୍କ ସେବା କରିବା ଦ୍ୱାରା ଶୁଭଫଳ ପାଇପାରିବେ।

ଜନ୍ମାଷ୍ଟମୀ ଦିନ ସକାଳୁ ସ୍ନାନ ସାରି ବ୍ରତ ସଂକଳ୍ପ କରିବା ପରେ ରାତିରେ ନିଶିଥ କାଳ ମୁହୂର୍ତ୍ତରେ ପ୍ରଭୁଙ୍କ ବାଳ ସ୍ୱରୂପକୁ ପଞ୍ଚାମୃତରେ ଅଭିଷେକ କରାଯାଏ। ଶ୍ରୀକୃଷ୍ଣଙ୍କୁ ନୂଆ ବସ୍ତ୍ର, ଶୃଙ୍ଗାର ଓ ତୁଳସୀ ମାଳ ସହିତ ଲହୁଣୀ-ମିଶ୍ରି ଏବଂ ଛପନ ଭୋଗ ଅର୍ପଣ କରି ଦୋଳିରେ ଝୁଲାଇବାର ପରମ୍ପରା ରହିଛି। ଶ୍ରଦ୍ଧାଳୁମାନେ "ଓଁ ନମୋ ଭଗବତେ ବାସୁଦେବାୟ" ମନ୍ତ୍ର ଜପ କରିବା ସହ ଆରତି ଓ ନାମ-ସଂକୀର୍ତ୍ତନ କଲେ ଘରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।